ରାଜ୍ୟ

Aadhaar card issue: ଆଧାର କାର୍ଡ ବିନା ମେଡିକାଲ୍‌ରେ ବନ୍ଧା ପଡ଼ିଛି ରୋଗୀ

ଆଧାର କାର୍ଡ ନଥିବାରୁ ମେଡିକାଲ ବେଡ୍‌ରେ ବନ୍ଧା ପଡ଼ିଛନ୍ତି ରୋଗୀ। ସୋମବାର ସଂଧ୍ୟାରୁ ଡାକ୍ତରଙ୍କ ଡିସଚାର୍ଜ ପରାମର୍ଶ ସତ୍ତ୍ବେ ୨୪ ଘଣ୍ଟାରୁ ଅଧିକ ସମୟ ଧରି କଟକ ବଡ଼ ମେଡିକାଲ୍ ଅସ୍ଥିଶଲ୍ୟ ବିଭାଗର ୮୫ ନମ୍ବର ଶଯ୍ୟାରେ ଅସହାୟ...

କାଳିଆପାଣି (ରବି ନାରାୟଣ କର): ଆଧାର କାର୍ଡ ନଥିବାରୁ ମେଡିକାଲ ବେଡ୍‌ରେ ବନ୍ଧା ପଡ଼ିଛନ୍ତି ରୋଗୀ। ସୋମବାର ସଂଧ୍ୟାରୁ ଡାକ୍ତରଙ୍କ ଡିସଚାର୍ଜ ପରାମର୍ଶ ସତ୍ତ୍ବେ ୨୪ ଘଣ୍ଟାରୁ ଅଧିକ ସମୟ ଧରି କଟକ ବଡ଼ ମେଡିକାଲ୍ ଅସ୍ଥିଶଲ୍ୟ ବିଭାଗର ୮୫ ନମ୍ବର ଶଯ୍ୟାରେ ଅସହାୟ ଭାବେ ପଡ଼ି ରହିଛନ୍ତି ଗରିବ ଆଦିବାସୀ ଯୁବକ ରାଜୁ ସିଂ(୨୦)। ପାଖ‌େପାଖେ ଜଗି ରହିଥିବା ବାପା ନିର୍ମଳ ସିଂ ସାଧାରଣରେ ସହାୟତା ଲୋଡ଼ୁଥିଲେ ହେଁ ବାପପୁଅଙ୍କୁ ନିରାଶ ହେବାକୁ ପଡ଼ିଛି।

ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ଚିରିଗୁଣିଆ ମାଝିସାହି ମୁନା ମୁଣ୍ଡା ଓରଫ୍ ରାଜୁ ସିଂ ନିରକ୍ଷର। ସେ ଦାନଗଦୀରେ ଜଣେ ଠିକାଦାର କ୍ୟାମ୍ପ୍‌ରେ ରହି ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି। ୯ ତାରିଖ‌ କାଳିଆପାଣି ଆସୁଥିବା ବାଟରେ ସୁକିନ୍ଦା ଥାନା ଜାତୀୟ ରାଜପଥ-୫୩ ସୁକିନ୍ଦା ଭବନ ପାଖ‌ରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ତାଙ୍କ ବାମ ଗୋଡ଼‌ରେ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।

ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଆଣ୍ଠୁ ଓ ଗୋଇଠି ଗଣ୍ଠି ପାଖରେ ୨ଟି ସ୍ଥାନରେ ଏକାଧିକ ଲେଖାଏଁ ହାଡ଼ ଭାଙ୍ଗିଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ପରାମର୍ଶ ଦିଆଯାଇଥିଲା। ୧୦ ତାରିଖ ତାଙ୍କ ବାପା ସୁକିନ୍ଦା ମେଡିକାଲରେ ପହଞ୍ଚିଥିଲେ। ଆଧୁନିକ ଚିକିତ୍ସା ସଂପର୍କରେ ଅଜ୍ଞ ଥିବା ନିର୍ମଳ ସିଂ ପୁଅକୁ କାମାକ୍ଷାନଗର ରେକୁଳା ନେବା ଯୋଜନା କରିଥିଲେ। ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ଅଗୋଚରରେ ଏକ ଅଟୋ ଭଡ଼ା କରି ଔଷଧ ଓ ପ୍ରମାଣପତ୍ର ବିନା ଗୁରୁତର ପୁଅକୁ ସାଥୀରେ ଧରି ଲୁଚି କାଳିଆପାଣି ପଳାଇ ଆସିଥିଲେ।

ବିଭାଗୀୟ କର୍ତ୍ତୃପକ୍ଷ ଖୋଳତାଡ଼ କରି ଗୁରୁତର ରାଜୁ ସିଂଙ୍କୁ କାଳିଆପାଣିସ୍ଥିତ ତାଙ୍କ ଘରେ ଠାବ କରିଥିଲେ। ୧୨ ତାରିଖରେ ତାଙ୍କୁ ପୁଣି ସୁକିନ୍ଦା ମେଡିକାଲ୍‌ ଅଣାଯାଇଥିଲା। ସେଠାରୁ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ କଟକ ପଠା ଯାଇଥିଲା। ୧୩ ତାରିଖରେ ଅସ୍ଥିଶଲ୍ୟ ବିଭାଗରେ ତାଙ୍କ ଗୋଡ଼ର ୨ଟି ସ୍ଥାନରେ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପୂର୍ବରୁ ଡାକ୍ତର ତାଙ୍କ ଆଧାରକାର୍ଡ‌ ଖୋଜିଥିଲେ। ହେଲେ ସଚେତନତା ଅଭାବରୁ ୨ ଦିନ କୌଣସି ଔଷଧ ନଖାଇ ବିନା ଚିକିତ୍ସାରେ ନିଜ ଭଙ୍ଗା ଦଦରା ଘରର ଅସ୍ବାସ୍ଥ୍ୟକର ପରିବେଶରେ ପଡ଼ି ରହିଥିବାରୁ କ୍ଷତ ସଂକ୍ରମିତ ହେବା ଆଶଂକା ଜାଣି ଡାକ୍ତର ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହୋଇଥିଲେ। ଏବେ ମେଡିକାଲରୁ ଛାଡ଼ ପାଇବା ପାଇଁ ରାଜୁ ଓ ତାଙ୍କ ବାପା ନିର୍ମଳ ସିଂ ଆକୁଳ ନିବେଦନ କରିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button