ରାଜ୍ୟ

Sea: ମଝି ସମୁଦ୍ରରେ ଭାଙ୍ଗିଲା ପ୍ରୋପେଲର: ଜାହାଜରେ ପଶିଲା ପାଣି, ୨୭ ନାବିକ ସୁରକ୍ଷିତ ଉଦ୍ଧାର

ମଝି ସମୁଦ୍ରରେ ଭାଙ୍ଗିଗଲା ଜାହାଜର ପଙ୍ଖା (ପ୍ରୋପେଲର)। ଜାହାଜରେ ପାଣି ପଶିବା ଆରମ୍ଭ କରିଥିଲା। ଏହି ଖବର ମିଳିବା ପରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ୨୭ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଜାହାଜକୁ ବନ୍ଦରକୁ ଆଣିଛନ୍ତି।

ଜଗତସିଂହପୁର: ମଝି ସମୁଦ୍ରରେ ଭାଙ୍ଗିଗଲା ଜାହାଜର ପଙ୍ଖା (ପ୍ରୋପେଲର)। ଜାହାଜରେ ପାଣି ପଶିବା ଆରମ୍ଭ କରିଥିଲା। ଏହି ଖବର ମିଳିବା ପରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ୨୭ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଜାହାଜକୁ ବନ୍ଦରକୁ ଆଣିଛନ୍ତି। ସୂଚନା ଅନୁଯାୟୀ, ‘ଏମ୍‌ଭି ବିଶ୍ବ ଉଦୟ’ ଭାରତୀୟ ଜାହାଜ ପଶ୍ଚିମବଙ୍ଗର ହଳଦିଆରୁ ମୋଜାମ୍ବିକ୍‌କୁ କୋଇଲା ଆଣିବା ପାଇଁ ଯାଉଥିଲା। ଜାହାଜର ପ୍ରୋପେଲର ସାଫ୍ଟ ଅଚଳ ହେବା ସହ ଜାହାଜ ଭିତରେ ପାଣି ପଶିବା ଆରମ୍ଭ ହୋଇଥିଲା। ଏ ନେଇ ସିପିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏସ୍‌ସିଆଇ) ପକ୍ଷରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା। ଜାହାଜଟି ସେତେବେଳେ ପାରାଦୀପ ବନ୍ଦରଠାରୁ ୫୦ ନଟିକାଲ୍ ମାଇଲ୍ (୯୨ କିଲୋମିଟର) ଦୂରରେ ଥିଲା। ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶକଙ୍କ (ଡିଜିଏମ୍‌ଏ)ଙ୍କ ଅନୁମତି ପରେ ୧୬ ତାରିଖ ଅପରାହ୍ଣ ୧୨ଟା ୩୦ରେ ପାରାଦୀପ ବନ୍ଦରର ଦୁଇଟି ଟଗ୍‌ ‘ଡଲଫିନ୍-୨୫’ ଓ ‘ଡଲଫିନ୍-୨୦’ ଉଦ୍ଧାର କାର୍ଯ୍ୟ ପାଇଁ ସମୁଦ୍ରକୁ ଯାତ୍ରା କରିଥିଲା।

ହାର୍ବର ମାଷ୍ଟର କ୍ୟାପଟେନ୍ ଇନ୍ଦ୍ରନୀଲ ମୁଖାର୍ଜୀଙ୍କ ନେତୃତ୍ୱରେ ଉଦ୍ଧାର ଅଭିଯାନ ପରିଚାଳିତ ହୋଇଥିଲା। ‘ଡଲଫିନ୍-୨୫’ ମୁଖ୍ୟ ଟଗ୍ ଭାବେ ଏବଂ ‘ଡଲଫିନ୍-୨୦’ ସହାୟକ ଟଗ୍ ଭାବେ କାର୍ଯ୍ୟ କରିଥିଲା। ଉଭୟ ଟଗ୍‌ର ସମନ୍ୱିତ ପ୍ରୟାସ ଓ ଦକ୍ଷତା ବଳରେ ଜାହାଜଟିକୁ ସୁରକ୍ଷିତ ଭାବେ ଅଣାଯାଇ ଆଜି (ନଭେମ୍ବର ୧୭ ତାରିଖ) ସକାଳେ ବନ୍ଦରର ବାହ୍ୟ ସୀମା ନିକଟରେ ଲଙ୍ଗର ପକାଯାଇଥିଲା। ଏହି ସଫଳ ଅଭିଯାନ ପାଇଁ ପାରାଦୀପ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ସାମୁଦ୍ରିକ ବିଭାଗ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଜାହାଜର ଲମ୍ବ ୨୨୯ ମିଟର ହୋଇଥିବା ବେଳେ ଚଉଡ଼ା ୩୨.୨୬ ମିଟର।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button