ରାଜ୍ୟ

Naveen: ସରକାରଙ୍କ ଅପାରଗତା ଓଡ଼ିଶାର ଛବିକୁ ମଳିନ କରିଛି: ନବୀନ

ଗଞ୍ଜାମରେ ଘଟିଯାଇଥିବା ବିପର୍ଯୟ ରାଜ୍ୟ ସରକାରଙ୍କ ଅପାରଗତାର ସର୍ବୋତ୍କୃଷ୍ଟ ଉଦାହରଣ। ଏଠାରେ ମନୁଷ୍ୟକୃତ ବନ୍ୟା ଓଡ଼ିଶାର ଛବିକୁ ଦେଶ ବିଦେଶରେ ମଳିନ କରିଛି। ଗଞ୍ଜାମର ଜନସାଧାରଣ ଏବେ ବି ରିଲିଫ ସହାୟତା ପାଇବାରେ ହଇରାଣ ହେଉଛନ୍ତି।

ଭୁବନେଶ୍ବର: ଗଞ୍ଜାମରେ ଘଟିଯାଇଥିବା ବିପର୍ଯୟ ରାଜ୍ୟ ସରକାରଙ୍କ ଅପାରଗତାର ସର୍ବୋତ୍କୃଷ୍ଟ ଉଦାହରଣ। ଏଠାରେ ମନୁଷ୍ୟକୃତ ବନ୍ୟା ଓଡ଼ିଶାର ଛବିକୁ ଦେଶ ବିଦେଶରେ ମଳିନ କରିଛି। ଗଞ୍ଜାମର ଜନସାଧାରଣ ଏବେ ବି ରିଲିଫ ସହାୟତା ପାଇବାରେ ହଇରାଣ ହେଉଛନ୍ତି। ବିପର୍ଯ୍ୟୟ ବେଳେ ରାଜନୈତିକ ବାଛବିଚାରରେ ରିଲିଫ୍‌ ବଣ୍ଟନ କରାଯାଉଛି ‌ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆରୋପ ଲଗାଇଛନ୍ତି।

ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ହୋଇଛି। ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ପଟ୍ଟନାୟକ ଡବଲ ଇଞ୍ଜିନ ସରକାରର ଅପାରଗତାର ତୀବ୍ର ସମାଲୋଚନା କରିଥିଲେ। ବିଧାନସଭା ଗୃହରେ ବନ୍ୟା କୁପରିଚାଳନାକୁ ବିଜେଡି ବଡ଼ ପ୍ରସଙ୍ଗ କରିବ ବୋଲି ଇଙ୍ଗିତ କରିଥିଲେ। ସେହିପରି ଏମଏମଡିଆର୍‌ ଆଇନ ସଂଶୋଧନ ପ୍ରସଙ୍ଗକୁ ମଧ୍ୟ ଦଳ ଉଠାଇବ। ଏହି ଆଇନ ଦ୍ୱାରା ଓଡ଼ିଶାର ବିପୁଳ କ୍ଷତି ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏପରି କଳା ଆଇନକୁ ବିଜେଡି ବିରୋଧ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। କୋଟିଆ ପ୍ରସଙ୍ଗରେ ବିରୋଧୀ ଦଳ ନେତା କହିଥିଲେ, ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଏନ୍‌ଡିଏର ସରକାର ଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଘଟଣାକୁ ଜଟିଳ କରି ଦେଉଛି।

ବିଜେଡି ବିଧାୟକ ଦଳ ବୈଠକରେ ରଣନୀତି
ବନ୍ୟା ପରିଚାଳନା ତ୍ରୁଟି, ଏମଏମଡିଆର, କୋଟିଆ, ଦରବୃଦ୍ଧି ହେବ ବଡ଼ ପ୍ରସଙ୍ଗ

ଓଡ଼ିଶାର ଅଖଣ୍ଡତାର ସୁରକ୍ଷା ପାଇଁ ବିଜେଡି ତା’ର ଲଢ଼େଇ ଜାରି ରଖିବ। ସେହିପରି ଡବଲ ଇଞ୍ଜିନ ସରକାର ଦାୟିତ୍ୱ ନେବା ଠାରୁ ଚାଷ ଓ ଚାଷୀ ଉଭୟ ଅବହେଳିତ ହୋଇ ଆସୁଛନ୍ତି। ମଣ୍ଡି ଠିକ୍‌ ସମୟରେ ଖୋଲୁନି। ଧାନ ସଂଗ୍ରହ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏଫ୍‌ସିଆଇ ଓଡ଼ିଶାରୁ ଧାନ ଉଠାଉ ନାହିଁ। ଏସବୁ ଦ୍ୱାରା ଚାଷୀର ସମସ୍ୟା ଦିନକୁ ଦିନ ଜଟିଳ ହୋଇଯାଉଛି। ତେଣୁ ବିଜେଡି ଚାଷୀର କଲ୍ୟାଣ ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି।
ଛାତ୍ର ସଂସଦ ନିର୍ବାଚନରେ ସରକାରଙ୍କର ଅର୍ଥ ବଳ ଓ ବାହୁ ବଳ ଏବଂ ସରକାରୀ ହସ୍ତକ୍ଷେପ ସତ୍ତ୍ୱେ ଓଡ଼ିଶାର ଜେନ୍‌-ଜି ବିଜେଡି ସହିତ ରହିଛନ୍ତି। ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ସରକାରଙ୍କ ଉଦ୍ୟମର ସେ ତୀବ୍ର ନିନ୍ଦା କରିଥିଲେ। ବରିଷ୍ଠ ନାଗରିକମାନଙ୍କର ସାମାଜିକ ସୁରକ୍ଷା ପେନ୍‌ସନ କ୍ଷେତ୍ରରେ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ବୁଢ଼ାବୁଢ଼ୀମାନେ ବିଭିନ୍ନ ସ୍ଥାନରେ ଆତ୍ମହତ୍ୟା କରୁଥିବା ଖବର ଆସୁଛି। ଓଡ଼ିଶାରେ ଅତ୍ୟାବଶ୍ୟକୀୟ ଜିନିଷପତ୍ର ଓ ପରିବାପତ୍ରର ଅସ୍ୱାଭାଭିକ ଦର ବୃଦ୍ଧି ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ଅବନତି ହୋଇଛି। ଏହି ପ୍ରସଙ୍ଗଗୁଡ଼ିକ ବିଜେଡି ପ୍ରଭାବୀ ଢଙ୍ଗରେ ଗୃହରେ ଉଠାଇବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button