ରାଜ୍ୟ

Annual examination pattern: ବଦଳିଲା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଢାଞ୍ଚା: ବିଷୟରେ ୩୦ ନମ୍ବର ରଖିଲେ ପାସ୍‌

ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ପରୀକ୍ଷା ଓ ମୂଲ୍ୟାୟନ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ, ସ୍ୱଚ୍ଛ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ୨୦୨୬-୨୭ ଶିକ୍ଷାବର୍ଷରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଓ ମୂଲ୍ୟାୟନ...

ଭୁବନେଶ୍ୱର: ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ପରୀକ୍ଷା ଓ ମୂଲ୍ୟାୟନ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ, ସ୍ୱଚ୍ଛ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ୨୦୨୬-୨୭ ଶିକ୍ଷାବର୍ଷରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଓ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ନୂଆ ମାର୍ଗଦର୍ଶିକା ଜାରି ହୋଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ ଉଭୟ ଶ୍ରେଣୀ ପରୀକ୍ଷାରେ ମୋଟ ମୂଲ୍ୟାୟନର ୫୦% ଆଭ୍ୟନ୍ତରୀଣ ଓ ଅବଶିଷ୍ଟ ୫୦% ବାର୍ଷିକ ପରୀକ୍ଷାରୁ ନିର୍ଦ୍ଧାରଣ ହେବ। ପ୍ରତି ବିଷୟରେ ସର୍ବାଧିକ ୧୦୦ ନମ୍ବର ରହିବ। ପଞ୍ଚମ ଶ୍ରେଣୀରେ ଉଭୟ ମୌଖିକ ଓ ଲିଖିତ ପରୀକ୍ଷା ହେବ। ମୌଖିକ ପରୀକ୍ଷାରେ ୧୦ ନମ୍ବର ଓ ଲିଖିତ ପରୀକ୍ଷାରେ ୪୦ ନମ୍ବର ରହିବ। ଅଷ୍ଟମ ଶ୍ରେଣୀରେ କେବଳ ଲିଖିତ ପରୀକ୍ଷା ହେବ ଏବଂ ଏଥିପାଇଁ ୫୦ ନମ୍ବର ରହିବ।

ଫେଲ୍‌ ହେଲେ ଦିଆଯିବ ରିମେଡିଆଲ୍‌ ଟିଚିଂ
ପରୀକ୍ଷାର ୭ ଦିନ ପୂର୍ବରୁ ପହଞ୍ଚିବ ପ୍ରଶ୍ନପତ୍ର

ଆଭ୍ୟନ୍ତରୀଣ ମୂଲ୍ୟାୟନରେ ଫର୍ମେଟିଭ୍‌ ଆସେସ୍‌ମେଣ୍ଟ(ଏଫ୍‌ଏ), ଶିକ୍ଷକଙ୍କ ପର୍ଯ୍ୟବେକ୍ଷଣ ଓ ସମ୍ମିଳିତ ମୂଲ୍ୟାୟନକୁ ଗୁରୁତ୍ୱ ଦିଆଯାଇଛି। ପ୍ରଥମ ଟର୍ମରେ ଏଫ୍‌ଏ-୧ ପାଇଁ ୨୫, ଶିକ୍ଷକଙ୍କ ପର୍ଯ୍ୟବେକ୍ଷଣ ପାଇଁ ୨୫ ଏବଂ ସମ୍ମିଳିତ ମୂଲ୍ୟାୟନ ପାଇଁ ୫୦ ନମ୍ବର ରହିବ। ଦ୍ୱିତୀୟ ଟର୍ମରେ ମଧ୍ୟ ଏଫ୍‌ଏ-୨ ପାଇଁ ୨୫, ଶିକ୍ଷକଙ୍କ ପର୍ଯ୍ୟବେକ୍ଷଣ ପାଇଁ ୨୫ ଓ ବାର୍ଷିକ ପରୀକ୍ଷା ପାଇଁ ୫୦ ନମ୍ବର ଧାର୍ଯ୍ୟ ହୋଇଛି। ଉଭୟ ଟର୍ମରେ ମୋଟ ୧୦୦ ନମ୍ବର ଲେଖାଏଁ ରହିବ। କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ପାଇଁ କୌଣସି ବାର୍ଷିକ ପରୀକ୍ଷା ହେବ ନାହିଁ। ଏହି ତିନିଟି ବିଷୟରେ ବର୍ଷତମାମ ହେଉଥିବା ଆଭ୍ୟନ୍ତରୀଣ ମୂଲ୍ୟାୟନକୁ ଆଧାର କରି ଚୂଡ଼ାନ୍ତ ନମ୍ବର ପ୍ରଦାନ କରାଯିବ। ପରୀକ୍ଷା ପ୍ରଶ୍ନପତ୍ରରେ ୬୦% ବର୍ଣ୍ଣନାତ୍ମକ ଓ ୪୦% ସଂକ୍ଷିପ୍ତ ପ୍ରଶ୍ନ ରହିବ। ଛାତ୍ରଛାତ୍ରୀଙ୍କ ଜ୍ଞାନ, ବୁଝିବା ଶକ୍ତି ଓ ପ୍ରୟୋଗ କ୍ଷମତା ଆଧାରରେ ପ୍ରଶ୍ନ ପ୍ରସ୍ତୁତ ହେବ। ପଞ୍ଚମ ଶ୍ରେଣୀରେ ପ୍ରଥମ ଟର୍ମ ପରେ ପଢ଼ାଯାଇଥିବା ସମସ୍ତ ପାଠରୁ ପ୍ରଶ୍ନ ଆସିବ ଏବଂ ଅଷ୍ଟମ ଶ୍ରେଣୀରେ ପ୍ରଥମ ଟର୍ମ ପୂର୍ବ ପାଠ୍ୟକ୍ରମରୁ ୩୦ ପ୍ରତିଶତ ଏବଂ ପ୍ରଥମ ଟର୍ମ ପରବର୍ତ୍ତୀ ପାଠ୍ୟକ୍ରମରୁ ୭୦ ପ୍ରତିଶତ ପ୍ରଶ୍ନ ରହିବ।

ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ହେବ ଏବଂ ସେହି ମାସ ତୃତୀୟ ସପ୍ତାହ ସୁଦ୍ଧା ଫଳ ବାହାରିବ। ବିଦ୍ୟାଳୟ ସ୍ତରରେ ସମ୍ପୃକ୍ତ ବିଷୟ ଶିକ୍ଷକ ଉତ୍ତରଖାତା ମୂଲ୍ୟାୟନ କରିବେ। ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀଙ୍କୁ ସାର୍ଟିଫି‌କେଟ୍‌ ଦିଆଯିବ। ପ୍ରତି ବିଷୟରେ ସର୍ବନିମ୍ନ ପାସ୍‌ ମାର୍କ ୩୦% ରଖାଯାଇଛି। କୌଣସି ବିଷୟରେ ୩୦%ରୁ କମ୍‌ ନମ୍ବର ରଖିଲେ କିମ୍ବା ବାର୍ଷିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଉକ୍ତ ବିଷୟରେ ୪ ସପ୍ତାହର ରିମେଡିଆଲ୍‌ ଟିଚିଂ ଦିଆଯିବ। ପରୀକ୍ଷା ପରିଚାଳନା ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ତିନିଟି କମିଟି ଗଠନ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ରହିଛନ୍ତି। ଓସେପା ରାଜ୍ୟସ୍ତରରେ ପରୀକ୍ଷା ସୂଚୀ, ନିର୍ଦ୍ଦେଶାବଳୀ ଓ ପ୍ରଶ୍ନପତ୍ରର ନମୁନା ପ୍ରସ୍ତୁତି ଏବଂ ପ୍ରସାରଣ ଦାୟିତ୍ୱ ତୁଲାଇବ। ଜିଲ୍ଲାସ୍ତରୀୟ କମିଟିର ଅଧ୍ୟକ୍ଷ ଜିଲ୍ଲାପାଳ ରହିବେ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଡିଆଇଇଟି ମିଳିତ ଭାବେ ଜିଲ୍ଲା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ। ପ୍ରତ୍ୟେକ ଜିଲ୍ଲାରେ ପରୀକ୍ଷା ପାଇଁ ତିନି ସେଟ୍‌ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ। ପ୍ରଶ୍ନପତ୍ର ଛାପା ଓ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାସ୍ତରରେ ବ୍ୟବସ୍ଥା ହେବ। ପରୀକ୍ଷାର ୭ ଦିନ ପୂର୍ବରୁ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ନିକଟକୁ ପ୍ରଶ୍ନପତ୍ର ପଠାଯିବ ଏବଂ ବ୍ଲକ୍‌ସ୍ତରରେ ସୁରକ୍ଷିତ କକ୍ଷରେ ରଖାଯିବ। ସିଆରସିସିଙ୍କ ନେତୃତ୍ୱରେ ୫ରୁ ୬ ଜଣିଆ ଟିମ୍‌ ପ୍ରଶ୍ନପତ୍ର ସଂଗ୍ରହ କରି କ୍ଲଷ୍ଟରସ୍ତରରେ ବିଦ୍ୟାଳୟକୁ ପହଞ୍ଚାଇବେ। ଜାତୀୟ ଶିକ୍ଷାନୀତି-୨୦୨୦, ଜାତୀୟ ପାଠ୍ୟକ୍ରମ ରୂପରେଖ-୨୦୨୩ ଓ ଓଡ଼ିଶା ପାଠ୍ୟକ୍ରମ ରୂପରେଖ-୨୦୨୫ ଆଧାରରେ ଏହା ପ୍ରସ୍ତୁତ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button