Land dispute: ଅମାରିଙ୍ଗ ଜମିକୁ ନେଇ ଓଡ଼ିଶା-ଆନ୍ଧ୍ର ବିବାଦ; ମାପଚୁପ ପରେ ଓଡ଼ିଶାର ଜମି ବୋଲି ସ୍ପଷ୍ଟ କଲେ ରାଜସ୍ୱ ଅଧିକାରୀ
ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ପୁଣି ଜମି ବିବାଦକୁ ନେଇ ଉତ୍ତେଜନା। ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର ଅମାରିଙ୍ଗ ଗ୍ରାମର ଚାଷଜମିକୁ ନିଜ ଅଞ୍ଚଳର ବୋଲି ଦାବି କରି ଆନ୍ଧ୍ରର ଦାଡସର ଗ୍ରାମବାସୀଙ୍କ ସହ କିଛି ଅଧିକାରୀ ମାପଚୁପ କରିବାକୁ...

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ପୁଣି ଜମି ବିବାଦକୁ ନେଇ ଉତ୍ତେଜନା। ଗଜପତିଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର ଅମାରିଙ୍ଗ ଗ୍ରାମର ଚାଷଜମିକୁ ନିଜ ଅଞ୍ଚଳର ବୋଲି ଦାବି କରି ଆନ୍ଧ୍ରର ଦାଡସର ଗ୍ରାମବାସୀଙ୍କ ସହ କିଛି ଅଧିକାରୀ ମାପଚୁପ କରିବାକୁ ଆସିଥିବା ବେଳେ ଓଡ଼ିଶା ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ତେବେ ରାଜସ୍ୱ ବିଭାଗର ମାପଚୁପ ପରେ ସମ୍ପୃକ୍ତ ଜମି ଓଡ଼ିଶାର ବୋଲି ସ୍ପଷ୍ଟ ହୋଇଥିବା ବେଳେ ଏହାକୁ ସୀମା ବିବାଦ ବୋଲି ମାନିବାକୁ ନାରାଜ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ।
ସୂଚନା ଅନୁଯାୟୀ, ସୋମବାର ଆନ୍ଧ୍ରର ଦାଡସର ଗ୍ରାମବାସୀଙ୍କ ସହ କିଛି ଅଧିକାରୀ ଅମାରିଙ୍ଗ ଗ୍ରାମର ଚାଷଜମିରେ ପହଞ୍ଚି ମାପଚୁପ କରୁଥିଲେ। ଉକ୍ତ ଜମି ଆନ୍ଧ୍ର ଅଞ୍ଚଳର ବୋଲି ଦାବି କରି ମାପଚୁପ କରାଯାଉଥିବାରୁ ଅମାରିଙ୍ଗ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପିଢ଼ି ପରେ ପିଢ଼ି ସେମାନେ ଏହି ଜମିରେ ଚାଷବାସ କରି ଆସୁଛନ୍ତି। ତେଣୁ ଅନ୍ୟ ରାଜ୍ୟର ଲୋକେ ଏହା ଉପରେ ଅଧିକାର ଜାହିର କରିବାକୁ ଉଦ୍ୟମ କରିବାକୁ ସେମାନେ ବିରୋଧ କରିଥିଲେ।
ତହସିଲଦାରଙ୍କ ନିକଟରେ ଫେରାଦ
ଏନେଇ ଗ୍ରାମବାସୀ ପ୍ରଥମେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ପରେ ତହସିଲଦାରଙ୍କ ନିକଟରେ ଫେରାଦ ହୋଇଥିଲେ। ଏହାପରେ ଆଜି ଗଙ୍ଗାବାଡ଼ର ରାଜସ୍ୱ ନିରୀକ୍ଷକ ଓ ଅମିନ ଘଟଣାସ୍ଥଳରେ ପହଞ୍ଚି ସରକାରୀ ମ୍ୟାପ୍ ଆଧାରରେ ଜମି ମାପଚୁପ କରିଥିଲେ। ମାପଚୁପ ପରେ ସମ୍ପୃକ୍ତ ଜମି ଓଡ଼ିଶାର ସୀମା ମଧ୍ୟରେ ଥିବା ସେମାନେ ସ୍ପଷ୍ଟ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଭଗବତ କଲ୍ୟାଣ ରାଓ କହିଛନ୍ତି, ସୀମାକୁ ନେଇ କୌଣସି ବିବାଦ ନାହିଁ। ଘରୋଇ ଜମିକୁ ନେଇ ବିବାଦ ଥାଇପାରେ। ତହସିଲଦାରଙ୍କ ରିପୋର୍ଟ ଆସିବା ପରେ ଏ ସମ୍ପର୍କରେ ସ୍ପଷ୍ଟ ହୋଇପାରିବ ବୋଲି ସେ କହିଛନ୍ତି।
ପ୍ରଶାସନର ସହଯୋଗ ଲୋଡ଼ିଲେ ଗ୍ରାମବାସୀ
ତେବେ ଗ୍ରାମବାସୀଙ୍କ ଅଭିଯୋଗ ଓ ରାଜସ୍ୱ ଅଧିକାରୀଙ୍କ ମାପଚୁପ ପରେ ମଧ୍ୟ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ରହିଛି। ନିଜ ଜମି ଓ ଭିଟାମାଟିର ସୁରକ୍ଷା ପାଇଁ ଗ୍ରାମବାସୀ ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି। ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସୀମା ବିବାଦର ସ୍ଥ୍ଯି ସମାଧାନ କରିବାକୁ ଗଙ୍ଗାବାଦ ସରପଞ୍ଚ ହରିବନ୍ଧୁ କାର୍ଜୀ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଦିନ ତମାମ ଓଡିଶା ରାଜସ୍ୱ ଅଧିକାରୀ ମାନେ ଉପସ୍ଥିତ ରହି ମାପଚୁପ ସହ ସ୍ଥିତିର ଅନୁଧ୍ୟାନ କରି ଫେରିଥିବା ବେଳେ ସନ୍ଧ୍ଯା ସମୟରେ ଆନ୍ଧ୍ରର କିଛି ଅଧିକାରୀ ଓ ପୋଲିସ ସେହି ଅଞ୍ଚଳ ଗସ୍ତ କରିଥିବା ଜଣା ପଡିଛି। ତେବେ ସେମାନ ଙ୍କ ଗସ୍ତର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏନେଇ ଆନ୍ଧ୍ର ପ୍ରଶାସନ କୁ ଚିଠି ଲେଖାଯାଇଛି ଘଟଣା ସମ୍ପର୍କରେ ଆଲୋଚନା କରାଯିବ ବୋଲି କହିଛନ୍ତି ରାୟଗଡ ତହସିଲଦାର।
ସୌଜନ୍ୟ ସମ୍ବାଦ




