ରାଜ୍ୟ

Budget: ଏଥର ୩.୫ ଲକ୍ଷ କୋଟିର ବଜେଟ୍‌: ଅଟକଳ ୧୦% ବଢ଼ିବ

ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷ (୨୦୨୬-୨୭)ର ବଜେଟ୍‌ ଅଟକଳକୁ ୧୦% ବଢ଼ାଇବା ଯୋଜନା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଥିଲେ।

ଭୁବନେଶ୍ବର: ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷ (୨୦୨୬-୨୭)ର ବଜେଟ୍‌ ଅଟକଳକୁ ୧୦% ବଢ଼ାଇବା ଯୋଜନା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ପାଇଁ ୩ ଲକ୍ଷ ୧୦ ହଜାର  କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଥିଲେ। ତାହା ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୪୮% ଥିଲା। ଆସନ୍ତା ଆର୍ଥିକ ବର୍ଷରେ ସେହି ଅଟକଳ ୩.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବା ଆଶା କରାଯାଉଛି। ପୁଞ୍ଜିିନିବେଶ, ଭିତ୍ତିଭୂମି ବିକାଶ ଓ ସାମାଜିକ କଲ୍ୟାଣମୂଳକ ଯୋଜନାରେ ଅଧିକ ଟଙ୍କା ଖର୍ଚ୍ଚ ହେବା ସମ୍ଭାବନା ରହିଛି। ଆଗାମୀ ବଜେଟ୍‌ ପ୍ରସ୍ତୁତି ବେ‌ଳେ ସରକାର ଦୀର୍ଘକାଳୀନ ଯୋଜନାକୁ ଗୁରୁତ୍ବ ଦେବେ। ସେଥିପାଇଁ ବିଭିନ୍ନ ଯୋଜନା ଲାଗି ଭିନ୍ନ ଭିନ୍ନ ଅଟକଳ ପ୍ରସ୍ତୁତ କରାଯିବ।

୨୦୩୬ ସୁଦ୍ଧା ୫୦୦ ବିଲିଅନ୍‌ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବା ଲାଗି ଓଡ଼ିଶା ଯେଉଁ ଲକ୍ଷ୍ୟ ରଖିଛି, ତାହାର ପ୍ରତିଫଳନ ବଜେଟ୍‌ରେ ଦେଖିବାକୁ ମିଳିବ। ସୁଭଦ୍ରା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ସମୃଦ୍ଧ ଅଙ୍ଗନବାଡ଼ି, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିସନ, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ, ମାଧୋ ସିଂହ ହାତଖର୍ଚ୍ଚ, ମଧୁବାବୁ ପେନ୍‌ସନ୍‌ ଯୋଜନା ଭଳି ରାଜ୍ୟ ଯୋଜନାଗୁଡ଼ିକର ବ୍ୟୟବରାଦ ବଢ଼ିବା ଆଶା କରାଯାଉଛି। ବିଗତ ଆର୍ଥିକ ବର୍ଷଗୁଡ଼ିକର ବଜେଟ୍‌ ଦସ୍ତାବିଜ ଅନୁଶୀଳନରୁ ପ୍ରତିବର୍ଷ ବଜେଟ୍‌ ଅଟକଳ ୭-୧୫% ହାରରେ ବଢ଼ିଛି। ୨୦୨୩-୨୪ରେ ରାଜ୍ୟର ମୋଟ ବଜେଟ୍‌ ୨.୩ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୫-୨୬ରେ ତାହା ୧୫% ବୃଦ୍ଧି ପାଇ ୨.୬୫ ଲକ୍ଷ କୋଟି ଟଙ୍କା ହୋଇଥିଲା। ୨୦୨୫-୨୬ରେ ଅଟକଳ ୯.୪% ବଢ଼ି ୨.୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୨୬-୨୭ରେ ସରକାର ଉପସ୍ଥାପନ କରିଥିବା ବଜେଟ୍‌ ତା ପୂର୍ବ ଆର୍ଥିକ ବର୍ଷର ବଜେଟ୍‌ ତୁଳନାରେ ୬.୯% ଅଧିକ ଥିଲା।

ଅଟକଳ ୧୦% ବଢ଼ିବ
ରାଜ୍ୟ କ୍ଷେତ୍ର ଯୋଜନାକୁ ଗୁରୁତ୍ବ
କେନ୍ଦ୍ରୀୟ ଯୋଜନା ପାଇଁ ମାପଚୁପ ଆଭିମୁଖ୍ୟ

ଅର୍ଥ ବିଭାଗର ସୂଚନା ଅନୁଯାୟୀ, ଚଳିତବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ନିଜସ୍ବ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ ୧୦% ବଢ଼ିଛି। ସେହି ସମୟରେ ଖଣି କ୍ଷେତ୍ରରୁ ବିପୁଳ ରାଜସ୍ବ ମିଳିବାରୁ ନିଜସ୍ବ ଅଣ-ଟିକସ ରାଜସ୍ବରେ ୧୭%ର ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ନିଜସ୍ବ ଟିକସ, ଅଣ-ଟିକସ ଓ କେନ୍ଦ୍ରରୁ ମିଳିଥିବା ଅନୁଦାନକୁ ମିଶାଇ ସେପ୍ଟେମ୍ବର ସୁଦ୍ଧା ରାଜ୍ୟକୁ ମିଳିଥିବା ପାଣ୍ଠି ଗତବର୍ଷ ତୁଳନାରେ ୧୦% ଅଧିକ ରହିଛି। ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୪୦% ରାଜସ୍ବ ସଂଗ୍ରହ ହୋଇସାରିଛି। ସେହି ଧାରାରେ ସଂଗ୍ରହ ଜାରି ରହିଲେ ବର୍ଷତମାମ ପାଇଁ ଧାର୍ଯ୍ୟ ହୋଇଥିବା ୧.୪୧ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ସହଜରେ ହାସଲ ହୋଇଯିବ ବୋଲି ବିଭାଗ ଆଶାବାଦୀ ରହିଛି। ନିଜସ୍ବ ଉତ୍ସରୁ ଟିକସ ସଂଗ୍ରହ ବଢ଼ୁଥିବା ବେଳେ କେନ୍ଦ୍ରରୁ ମିଳୁଥିବା ପାଣ୍ଠିରେ ହୋଇଥିବା ହ୍ରାସକୁ ସରକାର ବଜେଟ୍‌ ପ୍ରସ୍ତୁତି ବେଳେ ବିଚାରକୁ ନେବେ। ନିଜସ୍ବ ଟିକସ ସଂଗ୍ରହରେ ଅଭିବୃଦ୍ଧି ଧାରା ବଜାୟ ରଖିବା ଲାଗି ସରକାର ବଜେଟ୍‌ରେ ପଦକ୍ଷେପ ଗ୍ରହଣ କରିବା ଆଶା କରାଯାଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button