ରାଜ୍ୟ

Panchuka 2026: ଶ୍ରୀମନ୍ଦିରରେ ପଞ୍ଚୁକ ପ୍ରସ୍ତୁତି, ଭିଡ଼ ନିୟନ୍ତ୍ରଣ ପାଇଁ ୫୦ ପ୍ଲାଟୁନ୍ ପୁଲିସ ମୁତୟନ

ପୁରୀ, ୧୮।୧୧: ୨୧ ତାରିଖରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ । ଶ୍ରୀକ୍ଷେତ୍ରରେ ଲାଗିବ ଶ୍ରଦ୍ଧାଳୁଙ୍କ ଭିଡ଼ । ଚଳିତ ବର୍ଷ ୫ ଦିନ ପରିବର୍ତ୍ତେ ୪ ଦିନ ହେବ ପଞ୍ଚୁକ । ଦ୍ୱାଦଶୀ ତିଥିରେ କ୍ଷୟ ଯୋଗୁଁ ମହାପ୍ରଭୁଙ୍କର ବାଙ୍କଚୁଡ଼ ବେଶ ହେବ ନାହିଁ । ଶ୍ରୀମନ୍ଦିର ନୀତି ଅନୁଯାୟୀ ୨୧ ତାରିଖ ଶନିବାର ଦିନ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ନଭେମ୍ବର ୨୨ ତାରିଖ ରବିବାର ତ୍ରୟୋଦଶୀ ତିଥିରେ ଡାଳିକିଆ ବେଶ, ନଭେମ୍ବର ୨୩ ତାରିଖ ସୋମବାର ଚତୁର୍ଦ୍ଦଶୀ ତିଥିରେ ଲକ୍ଷ୍ମୀନୃସିଂହ ବେଶ, ନଭେମ୍ବର ୨୪ ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବେଶ ବା ସୁନାବେଶ ହେବ । କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହେବ ବ୍ରତ । ଏହି ଚାରି ଦିନ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ତରଫରୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳା ବ୍ୟବସ୍ଥା କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଶନିବାର, ରବିବାର ଛୁଟି ଦିନରେ ପବିତ୍ର ପଞ୍ଚୁକ ପ୍ରାରମ୍ଭ ଦୁଇ ଦିନ ରହୁଥିବାରୁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ଅନୁମାନ କରାଯାଉଛି ।

ଶୃଙ୍ଖଳା ରକ୍ଷା ନିମନ୍ତେ ମୁତୟନ ହେବେ ୫୦ ପ୍ଲାଟୁନ୍ ପୁଲିସ ଫୋର୍ସ । ଦର୍ଶନ ଶୃଙ୍ଖଳା ପାଇଁ ମାର୍କେଟ ଛକରୁ ସିଂହଦ୍ୱାର ଯାଏ ବଡ଼ଦାଣ୍ଡରେ ୬ଥାକିଆ ବ୍ୟାରିକେଡ଼ ନିର୍ମାଣ ଆରମ୍ଭ ହୋଇଛି । ଭିଡ଼ରେ ଭକ୍ତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ପ୍ରସ୍ତୁତ ରହିବେ ଏକାଧିକ ଆଣ୍ଟି ସ୍ନାଚିଂ ଟିମ୍ ଏବଂ ଭିଡ଼ ନିୟନ୍ତ୍ରଣ ଟିମ୍ । ସେପଟେ କେବଳ ଚିହ୍ନିତ ସ୍ଥାନରେ ପାର୍କିଂ ବ୍ୟବସ୍ଥା ହେବ । ପଞ୍ଚୁକ ଭିଡ଼ ନିୟନ୍ତ୍ରଣ, ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ନୀତି ପରିଚାଳନା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦେଇ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ମଙ୍ଗଳବାର ହୋଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ପରେ ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ପଞ୍ଚୁକ ଭିଡ଼ ନିୟନ୍ତ୍ରଣ ନିମନ୍ତେ ଚଳିତ ଥର ମଧ୍ୟ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ହେବ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button