ରାଜ୍ୟ

Firing Case: ବିଚ୍ ରାସ୍ତାରେ ୪ ରାଉଣ୍ଡ ଗୁଳି, ଯୁବକଙ୍କୁ ହତ୍ୟା; ଫେରାର ଦୁର୍ବୃତ୍ତଙ୍କୁ ଖୋଜୁଛି ପୁଲିସ

ସୁବର୍ଣ୍ଣପୁର, ୧୮।୧୧: ବିଚ୍ ରାସ୍ତାରେ ଗୁଳିମାଡ଼ କରି ଯୁବକଙ୍କୁ ହତ୍ୟା । ଫିଲ୍ମ ଷ୍ଟାଇଲ୍‌ରେ ୪ ରାଉଣ୍ଡ ଗୁଳି ଫୁଟାଇ ହତ୍ୟାକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସାଲେପାଲି-ଅଇଁଲାସାରି ରାସ୍ତାର ପାଙ୍କେଲ ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ବ୍ରାହ୍ମଣୀପାଲି ଗାଁର ସୁଦାମ ନାଗ । ସୂଚନାନୁସାରେ, ସୁଦାମ ଗଜବନ୍ଧ ଛକରେ ଏକ ଛୋଟିଆ ୱେଲଡିଂ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । କୌଣସି କାମରେ ଡୁଙ୍ଗୁରିପାଲି ଯାଇ ନିଜ ଘରକୁ ଫେରୁଥିବା ସମୟରେ ସାଲେପାଲି-ପାଙ୍କେଲ ରାସ୍ତାରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ଏଥିରେ ସୁଦାମଙ୍କ ମୃତ୍ୟୁ ହୋଇଛି ।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାୟକ, ବରଗଡ଼ ଜିଲ୍ଲାର ବରପାଲି ପୁଲିସ ଏବଂ ଡୁଙ୍ଗୁରିପାଲି ପୁଲିସ ପହଞ୍ଚିଛନ୍ତି । ପୁଲିସ ସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ତନାଘନା ଚଳାଇଛି । ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ସୁଦାମଙ୍କୁ କିଏ ଏବଂ କାହିଁକି ହତ୍ୟା କଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୂର୍ବ ଶତ୍ରୁତା, ବ୍ୟବସାୟିକ ବିବାଦ ନା ଜମିଜମା ସମ୍ପର୍କିତ ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି, ସେନେଇ ଚର୍ଚ୍ଚା ହେଉଛି । ତେବେ ହତ୍ୟାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡ଼ିବ । ଅନ୍ୟପଟେ, ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୃତକଙ୍କ ସମ୍ପର୍କୀୟମାନେ ଦାବି କରିଛନ୍ତି । ଏଭଳି ଗୁଳିକାଣ୍ଡ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button