Young woman breaks her own record: ନିଜ ରେକର୍ଡ ଭାଙ୍ଗିଲେ ତରୁଣୀ
ଅସାମାନ୍ୟ ସ୍କେଟିଙ୍ଗ୍ କୌଶଳ ଦେଖାଇ ଜଣେ ୧୮ ବର୍ଷୀୟା ମରାଠୀ ତରୁଣୀ ପୁଣିଥରେ ଭାରତକୁ ଗୌରବମଣ୍ଡିତ କରିଛନ୍ତି। ତାଙ୍କ ନାମ ସୃଷ୍ଟି ଧର୍ମେନ୍ଦ୍ର ଶର୍ମା। ସେ କଷ୍ଟସାଧ୍ୟ ଲିମ୍ବୋ ପୋଜିସନ୍ରେ ମାତ୍ର ୬.୮୬ ସେକେଣ୍ଡ୍ରେ ୫୦ ମିଟର୍ ସ୍କେଟିଙ୍ଗ୍...

ଅସାମାନ୍ୟ ସ୍କେଟିଙ୍ଗ୍ କୌଶଳ ଦେଖାଇ ଜଣେ ୧୮ ବର୍ଷୀୟା ମରାଠୀ ତରୁଣୀ ପୁଣିଥରେ ଭାରତକୁ ଗୌରବମଣ୍ଡିତ କରିଛନ୍ତି। ତାଙ୍କ ନାମ ସୃଷ୍ଟି ଧର୍ମେନ୍ଦ୍ର ଶର୍ମା। ସେ କଷ୍ଟସାଧ୍ୟ ଲିମ୍ବୋ ପୋଜିସନ୍ରେ ମାତ୍ର ୬.୮୬ ସେକେଣ୍ଡ୍ରେ ୫୦ ମିଟର୍ ସ୍କେଟିଙ୍ଗ୍ କରି ପୂର୍ବରୁ ସ୍ଥାପନ କରିଥିବା ନିଜ ଗିନିଜ୍ ବିଶ୍ବ ରେକର୍ଡକୁ ଅତିକ୍ରମ କରିଦେଇଛନ୍ତି। ଏହି ଦୁଃସାଧ୍ୟ ୫୦ ମିଟର୍ ସ୍କେଟିଙ୍ଗ୍ ପଥରେ ଶର୍ମା ୫୧ଟି ସମାନ୍ତରାଳ ବାର୍ ତଳ ଦେଇ ଅତିକ୍ରମ କରିଥିଲେ। ପ୍ରତି ବାର୍ ମାଟି ଉପରୁ ମାତ୍ର ୩୦ ସେଣ୍ଟିମିଟର୍ ଉପରେ ରଖାଯାଇଥିଲା। ନିୟମ ଥିଲା ଯେ କୌଣସି ବାର୍ ନ ଛୁୁଇଁ ସୃଷ୍ଟି ଆଗକୁ ଯିବେ। ଏଥିପାଇଁ ଦରକାର ଥିଲା ଅସାଧାରଣ ନମନୀୟତା, ଭାରସାମ୍ୟ ଓ ନିୟନ୍ତ୍ରଣ। ଲିମ୍ବୋ ପୋଜିସନ୍ ବଜାୟ ରଖିବା ପାଇଁ ସୃଷ୍ଟି ନିଜ ଗୋଡ଼ଦୁଇଟି ଧରିରଖି ୬.୮୬ ସେକେଣ୍ଡ୍ରେ ସାଫଲ୍ୟମଣ୍ଡିତ ହୋଇଥିଲେ।
ଏ ସଫଳତା ଯୋଗୁଁ ସେ ଅବଶ୍ୟ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତେବେ ସେ ପୂର୍ବରୁ ‘୨୫ ମିଟର୍ରୁ ଊର୍ଦ୍ଧ୍ବ ନିମ୍ନତମ ଲିମ୍ବୋ ସ୍କେଟିଙ୍ଗ୍’ ବର୍ଗରେ ମାତ୍ର ୧୧ ବର୍ଷ ବୟସରେ ଗିନିଜ୍ ବିଶ୍ବ ରେକର୍ଡ କରିଥିଲେ। ସେଥର ସେ ମାଟି ଉପରୁ ମାତ୍ର ୧୭ ସେଣ୍ଟିମିଟର୍ ଉଚ୍ଚରେ ରଖାଯାଇଥିବା ୨୫ଟି ବାର୍ ତଳ ଦେଇ ସ୍କେଟିଙ୍ଗ୍ କରିଥିଲେ। ପୁଣି, ୨୦୧୭ରେ ସୃଷ୍ଟି ୧୭.୮ ସେଣ୍ଟିମିଟର୍ ଉଚ୍ଚତାରେ ୧୦ ମିଟର୍ରୁ ଅଧିକ ନିମ୍ନତମ ଲିମ୍ବୋ ଆଇସ୍ ସ୍କେଟିଙ୍ଗ୍ କରି ରେକର୍ଡ ଅର୍ଜନ କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର ସେ ଦୁଇଟି ରେକର୍ଡକୁ ଆଉ କେହି ଅତିକ୍ରମ କରିନାହାନ୍ତି। ସୃଷ୍ଟି ପାଠପଢ଼ାରେ ବି ଖୁବ୍ ଉଜ୍ଜ୍ବଳ। ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ଏବେ ନାଗପୁରର ଇନ୍ଦିରା ଗାନ୍ଧୀ ସରକାରୀ ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ ପଢୁଛନ୍ତି। କନ୍ୟା ସନ୍ତାନଙ୍କ ସଶକ୍ତୀକରଣ ଓ ସମାନତା ପାଇଁ ମଧ୍ୟ ସେ ବେଶ୍ ମୁଖର ଓ ସକ୍ରିୟ।
ସୌଜନ୍ୟ ସମ୍ବାଦ




