ବିଶେଷ

Tishya’s record: ଭଉଣୀ ତିଷ୍ୟାଙ୍କ ରେକର୍ଡ ଭାଙ୍ଗିଲେ ତ୍ବିଷା: ୧୦ ବର୍ଷ ବୟସରେ ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍‌

ନିଜ ବଡ଼ ଭଉଣୀଙ୍କ ରେକର୍ଡକୁ ଭାଙ୍ଗି ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍‌ ହେବାର କୃତିତ୍ବ ଅର୍ଜନ କରିଛନ୍ତି ଦୁବାଇରେ ରହୁଥିବା ସମ୍ବଲପୁରର ବାଳିକା ତ୍ୱିଷା ପାଣିଗ୍ରାହୀ।

ସମ୍ବଲପୁର: ନିଜ ବଡ଼ ଭଉଣୀଙ୍କ ରେକର୍ଡକୁ ଭାଙ୍ଗି ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍‌ ହେବାର କୃତିତ୍ବ ଅର୍ଜନ କରିଛନ୍ତି ଦୁବାଇରେ ରହୁଥିବା ସମ୍ବଲପୁରର ବାଳିକା ତ୍ୱିଷା ପାଣିଗ୍ରାହୀ। ମାତ୍ର ୧୦ ବର୍ଷ ୨ ଦିନ ବୟସରେ ସେ ପାଡି (ପ୍ରଫେସନାଲ୍ ଆସୋସିଏସନ୍ ଅଫ୍ ଡାଇଭିଂ ଇନ୍‌ଷ୍ଟ୍ରକ୍ଟର୍ସ) ଜୁନିଅର ଓପନ୍ ୱାଟର୍ ଡାଇଭର୍ ଲାଇସେନ୍ସ ହାସଲ କରିଛନ୍ତି। ଏହି ସଫଳତା ସହ ତ୍ୱିଷା ନିଜ ବଡ଼ ଭଉଣୀ ତିଷ୍ୟା ପାଣିଗ୍ରାହୀଙ୍କ ପୂର୍ବ କୃତିତ୍ୱକୁ ଅତିକ୍ରମ କରିଛନ୍ତି। ତିଷ୍ୟା ୧୦ ବର୍ଷ ୨ ମାସ ବୟସରେ, ୨୨ ଅଗଷ୍ଟ ୨୦୨୦ରେ, ଜୁନିଅର ଓପନ୍ ୱାଟର୍ ଡାଇଭର୍ ଲାଇସେନ୍ସ ହାସଲ କରି ସେତେବେଳେ ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ହୋଇଥିଲେ। ଅନ୍ତର୍ଜାତୀୟ ସ୍କୁବା ଡାଇଭିଂ ମାନଦଣ୍ଡ ଅନୁଯାୟୀ ଏହି ପ୍ରଶିକ୍ଷଣ ପାଇଁ ସର୍ବନିମ୍ନ ବୟସ ସୀମା ହେଉଛି ୧୦ ବର୍ଷ। ଗତ ୧୫ ତାରିଖରେ ତ୍ୱିଷାଙ୍କୁ ୧୦ ବର୍ଷ ହୋଇଥିଲା। ସେ ସମୟ ନଷ୍ଟ ନ କରି ସେହିଦିନ ହିଁ ନିଜର ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ଏହି ପ୍ରଶିକ୍ଷଣ ଅନ୍ତର୍ଗତ ଆବଶ୍ୟକ ସହନଶକ୍ତି ପରୀକ୍ଷା, ଅନଲାଇନ୍ ଶିକ୍ଷା, ନିୟନ୍ତ୍ରିତ ଜଳ ପରିବେଶରେ ପ୍ରଶିକ୍ଷଣ ଓ ଖୋଲା ସମୁଦ୍ରରେ ଚାରିଟି ଡାଇଭ୍ ସଫଳତାର ସହ ଶେଷ କରି ସେ ତିନି ଦିନ ମଧ୍ୟରେ ଲାଇସେନ୍ସ ପାଇଥିଲେ।

ଦୁବାଇର ରାଫଲ୍ସ ୱାର୍ଲ୍ଡ ଏକାଡେମିର ପଞ୍ଚମ ଶ୍ରେଣୀ ଛାତ୍ରୀ ତ୍ୱିଷା, ଦୁବାଇର ଅଲ୍ ବୁମ୍ ଡାଇଭିଂରେ ଯୋଗ୍ୟତା ପରୀକ୍ଷା ଦେଇଥିଲେ ଓ ସୁଇମିଂ ପୁଲ୍‌ରେ ପ୍ରଶିକ୍ଷଣ ଶେଷ କରିଥିଲେ। ଦୁବାଇର ଲା ମେର୍ ବିଚ୍ ନିକଟ ସମୁଦ୍ରରେ ସେ ପ୍ରଥମ ଦୁଇଟି ସାମୁଦ୍ରିକ ଡାଇଭ୍ କରିଥିଲେ। ପରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଫୁଜୈରା ସ୍ଥିତ ଅଲ୍ ଆକା ବିଚ୍ ନିକଟ ଓମାନ ଉପସାଗର ସମୁଦ୍ରରେ ସେ ଲାଇସେନ୍ସ ପାଇଁ ଆବଶ୍ୟକ ଶେଷ ଦୁଇଟି ଡାଇଭ୍ ମଧ୍ୟ ସଫଳତାର ସହ ପୂରା କରିଥିଲେ। ପୁଲ୍‌ରେ ଶିଖିଥିବା ସମସ୍ତ କୌଶଳ ସେ ଖୋଲା ସମୁଦ୍ରରେ ପ୍ରଦର୍ଶନ କରିଥିଲେ ଏବଂ ପ୍ରାୟ ୩୩ ରୁ ୩୪ ଫୁଟ ଗଭୀରତାକୁ ଯାଇଥିଲେ। ତ୍ୱିଷାଙ୍କ ଲାଇସେନ୍ସ ସହ ପାଣିଗ୍ରାହୀ ପରିବାର ଏକ ନୂଆ ସଫଳତା ହାସଲ କରିଛି। ତାଙ୍କ ବାପା ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ବଡ଼ ଭଉଣୀ ତିଷ୍ୟା ଉଭୟ ଅଭିଜ୍ଞ ଆଡଭାନ୍ସଡ୍ ଓପନ୍ ୱାଟର୍ ସ୍କୁବା ଡାଇଭର୍‌ର ମାନ୍ୟତା ହାସଲ କରି ସାରିଛନ୍ତି। ତିଷ୍ୟା ଓ ତ୍ୱିଷା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସ୍ୱର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ଶିକ୍ଷାବିତ୍ ସ୍ୱର୍ଗତ ସୁନନ୍ଦା ପାଣିଗ୍ରାହୀଙ୍କ ନାତୁଣୀ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button