US President Donald Trump: ଇରାନର ପରମାଣୁ ଅସ୍ତ୍ର ନିର୍ମାଣ ରୋକିବାକୁ ‘ସ୍ଥାୟୀ’ ଚୁକ୍ତି ଚାହୁଛନ୍ତି ଟ୍ରମ୍ପ
ଇରାନକୁ ପରମାଣୁ ଅସ୍ତ୍ର ନିର୍ମାଣରୁ ରୋକିବା ପାଇଁ ଏକ ‘ସ୍ଥାୟୀ’ ଚୁକ୍ତି କରିବାକୁ ଚାହୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭବିଷ୍ୟତରେ ଆମେରିକାରେ ଯେଉଁ ରାଷ୍ଟ୍ରପତି କ୍ଷମତାକୁ ଆସିଲେ ମଧ୍ୟ ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ୱାସିଂଟନ: ଇରାନକୁ ପରମାଣୁ ଅସ୍ତ୍ର ନିର୍ମାଣରୁ ରୋକିବା ପାଇଁ ଏକ ‘ସ୍ଥାୟୀ’ ଚୁକ୍ତି କରିବାକୁ ଚାହୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭବିଷ୍ୟତରେ ଆମେରିକାରେ ଯେଉଁ ରାଷ୍ଟ୍ରପତି କ୍ଷମତାକୁ ଆସିଲେ ମଧ୍ୟ ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ତେବେ ଇରାନରେ ଶାସନ ପରିବର୍ତ୍ତନ ଆମେରିକାର ଲକ୍ଷ୍ୟ ନ ଥିଲା ବୋଲି ମଧ୍ୟ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।
ଶନିବାର ଫକ୍ସ ନ୍ୟୁଜ୍କୁ ଏକ ସାକ୍ଷାତ୍କାର ଦେଇ ଟ୍ରମ୍ପ କହିଛନ୍ତି, ଇରାନରେ କିଏ ଶାସନ କରୁଛି, ତାହା ତାଙ୍କର ମୁଖ୍ୟ ଚିନ୍ତା ନୁହେଁ। କେତେକ ଲୋକ ଶାସନ ପରିବର୍ତ୍ତନ କଥା କହୁଥିଲେ ମଧ୍ୟ ତାହା ତାଙ୍କର ଲକ୍ଷ୍ୟ ନ ଥିଲା। ଇରାନର ପରମାଣୁ କ୍ଷମତାକୁ ରୋକିବା ହିଁ ଆମେରିକାର ପ୍ରମୁଖ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।
ଇରାନର ନେତୃତ୍ୱକୁ ନେଇ ଟ୍ରମ୍ପ କହିଛନ୍ତି, ଆମେରିକା ପୂର୍ବରୁ ଦୁଇଟି ନେତୃତ୍ୱ ଗୋଷ୍ଠୀକୁ ହଟାଇ ଦେଇଛି ଏବଂ ଏବେ ତୃତୀୟ ଗୋଷ୍ଠୀ ସହ କାରବାର କରୁଛି। ଫେବ୍ରୁଆରି ୨୮ରେ ଆମେରିକା ଓ ଇସ୍ରାଏଲ୍ର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ନିହତ ହୋଇଥିଲେ। ପରବର୍ତ୍ତୀ ଆକ୍ରମଣରେ ମଧ୍ୟ ଇରାନର ଅନେକ ଶୀର୍ଷ ନେତା ପ୍ରାଣ ହରାଇଥିଲେ। ବର୍ତ୍ତମାନ ମୋଜତବା ଖେମିନି ଇରାନର ସର୍ବୋଚ୍ଚ ନେତା ଅଛନ୍ତି।
ଇରାନର ବର୍ତ୍ତମାନର ନେତୃତ୍ୱ ପୂର୍ବ ତୁଳନାରେ ଅଧିକ ଯୁକ୍ତିଯୁକ୍ତ ହୋଇପାରେ, କିନ୍ତୁ ସେମାନଙ୍କ ସହ ଚୁକ୍ତି କରିବା କଷ୍ଟକର ବୋଲି ଟ୍ରମ୍ପ କହିଛନ୍ତି। ଆମେରିକା ଚୁକ୍ତି କଲେ ଇରାନ ପରଦିନ ତାହା ଭାଙ୍ଗି ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ଏପରି ଏକ ଚୁକ୍ତି ଆବଶ୍ୟକ, ଯାହା ଆଗାମୀ ୪, ୧୫ କିମ୍ବା ୨୦ ବର୍ଷ ପରେ ମଧ୍ୟ ବଳବତ୍ତର ରହିବ ଏବଂ ଭବିଷ୍ୟତର ଆମେରିକୀୟ ପ୍ରଶାସନ ତାହାକୁ ବଦଳାଇ ପାରିବ ନାହିଁ।
ଇରାନରେ ଶାସନ ପରିବର୍ତ୍ତନ ଆମେରିକାର ଲକ୍ଷ୍ୟ ନ ଥିଲା
ଅନ୍ୟପକ୍ଷରେ ଇରାନ ମଧ୍ୟ କୂଟନୈତିକ ଆଲୋଚନା ପାଇଁ ଆଗ୍ରହୀ ବୋଲି ସେଠାକାର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି। ତେବେ ଭବିଷ୍ୟତରେ ଆଉ ଯୁଦ୍ଧ ହେବ ନାହିଁ ବୋଲି ଆମେରିକାଠାରୁ ନିଶ୍ଚିତ ପ୍ରତିଶ୍ରୁତି ଚାହୁଛି ତେହେରାନ୍। ଇରାନରେ ଥିବା ସମୃଦ୍ଧ ୟୁରାନିୟମ୍ ଭଣ୍ଡାରକୁ ଦେଶ ବାହାରକୁ ପଠାଇବାକୁ ଇରାନ ରାଜି ନୁହେଁ। ଏହି ସମୟରେ ଆମେରିକା ଓ ଇସ୍ରାଏଲ୍ ପୁଣି ଥରେ ଇରାନ ଉପରେ ସାମରିକ ଆକ୍ରମଣ କରିବା ନେଇ ବିଚାର କରୁଥିବା ଖବର ମଧ୍ୟ ଆସିଛି। ଇରାନ ନିଜର କ୍ଷେପଣାସ୍ତ୍ର ଓ ଅସ୍ତ୍ର ଉତ୍ପାଦନ କ୍ଷମତାକୁ ଦ୍ରୁତ ଗତିରେ ପୁନର୍ଗଠନ କରୁଥିବାରୁ ଇସ୍ରାଏଲ୍ ଚିନ୍ତିତ ଥିବା କୁହାଯାଇଛି। ତେବେ ଟ୍ରମ୍ପ ନୂଆ ବର୍ଷ ପରେ ଇରାନ ବିରୋଧରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି କରିବାର ସଙ୍କେତ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




