Bangladesh: ଆୱାମୀ ଲିଗ୍ର ୩୦ ନେତାଙ୍କ ଘର ଜାଳିଦେଲେ
ବାଂଲାଦେଶରେ ରାଜନୈତିକ ହିଂସା ଉଗ୍ର ରୂପ ନେଇଛି। ଦୁଇଜଣ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ନେତାଙ୍କ ହତ୍ୟା ପରେ ନରାଇଲ ଜିଲ୍ଲାରେ ଆୱାମୀ ଲିଗ୍ର ନେତା ଓ କର୍ମୀଙ୍କ ୩୦ରୁ ଅଧିକ ଘର ଜାଳିଦିଆଯାଇଛି।

ଢାକା: ବାଂଲାଦେଶରେ ରାଜନୈତିକ ହିଂସା ଉଗ୍ର ରୂପ ନେଇଛି। ଦୁଇଜଣ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ନେତାଙ୍କ ହତ୍ୟା ପରେ ନରାଇଲ ଜିଲ୍ଲାରେ ଆୱାମୀ ଲିଗ୍ର ନେତା ଓ କର୍ମୀଙ୍କ ୩୦ରୁ ଅଧିକ ଘର ଜାଳିଦିଆଯାଇଛି। ଏହା ସହ ଅନେକ ଘର ଓ ଦୋକାନ ଭଙ୍ଗାରୁଜା ଓ ଲୁଟ୍ର ଶିକାର ହୋଇଛି। ଶୁକ୍ରବାର ଅପରାହ୍ଣରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ କାଲିଆ ଉପଜିଲ୍ଲାର ବେନ୍ଦରଚର ଗାଁରେ ଏହି ହିଂସା ଚାଲିଥିଲା। ଘଟଣା ପରେ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।
ନଭେମ୍ବର ୧୮ରେ ନରାଇଲ ଜିଲ୍ଲାର କାଲିଆ ଅଞ୍ଚଳରେ ବିଏନ୍ପିର ଏକ ମୋଟରସାଇକେଲ ଶୋଭାଯାତ୍ରା ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଦଳର ଦୁଇଜଣ ସ୍ଥାନୀୟ ନେତା ଶାହିନ୍ ଶେଖ୍ (୪୫) ଓ ସୋହେଲ ମୋଲ୍ଲା (୪୦) ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଶାହିନ୍ କାଲିଆ ପୌର କୃଷକ ଦଳର ସାଧାରଣ ସମ୍ପାଦକ ଥିବାବେଳେ ସୋହେଲ ଜାତୀୟତାବାଦୀ ସାମାଜିକ ଓ ସାଂସ୍କୃତିକ ସଂଗଠନ (ଜାସାସ୍)ର କାଲିଆ ଉପଜିଲ୍ଲା ଶାଖାର ସାଧାରଣ ସମ୍ପାଦକ ଥିଲେ। ଏହି ଆକ୍ରମଣ ପଛରେ ନିଷିଦ୍ଧ ଆୱାମୀ ଲିଗ୍ର କର୍ମୀଙ୍କ ହାତ ଥିବା ଅଭିଯୋଗ ହୋଇଛି। ଏହାର ଦୁଇଦିନ ପରେ ମୃତ ବିଏନ୍ପି ନେତାଙ୍କ ସମ୍ପର୍କୀୟ ଓ ସମର୍ଥକମାନେ ବେନ୍ଦରଚର ଗାଁରେ ଏକାଠି ହୋଇ ଆୱାମୀ ଲିଗ୍ ନେତା ଓ କର୍ମୀଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଏଥିରେ ପୂର୍ବତନ ଆୱାମୀ ଲିଗ୍ ସାଂସଦ ବିଏମ୍ କବିରୁଲ ହକ୍ ମୁକ୍ତି, ପୂର୍ବତନ କାଲିଆ ପୌରପାଳିକା ମେୟର ମୁଶଫିକୁର ରହମାନ ଲିଟନ୍ ଓ ସ୍ଥାନୀୟ ଦଳୀୟ ସାଧାରଣ ସମ୍ପାଦକ କୃଷ୍ଣପଦ ଘୋଷଙ୍କ ଘର ମଧ୍ୟ ଟାର୍ଗେଟ୍ ହୋଇଥିଲା।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ବିଏନ୍ପି ସମର୍ଥକମାନେ ପ୍ରାୟ ୫୦ଟି ଘର ଓ ଦୋକାନ ଭଙ୍ଗାରୁଜା କରିବା ସହ ଲୁଟ୍ପାଟ୍ ଓ ଅଗ୍ନିକାଣ୍ଡ ଘଟାଇଥିଲେ। ତେବେ ସ୍ଥାନୀୟ ବିଏନ୍ପି ନେତାମାନେ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ କହି ଖଣ୍ଡନ କରିଛନ୍ତି। କାଲିଆ ଉପଜିଲ୍ଲା ନିର୍ବାହୀ ଅଧିକାରୀ ମହମ୍ମଦ ଜିନ୍ନାତୁଲ ଇସଲାମ କହିଛନ୍ତି ଯେ, ଅନେକ ଘର ଭଙ୍ଗାରୁଜା ହୋଇଥିବାବେଳେ ୫ରୁ ୬ଟି ଘର ପୋଡ଼ି ଦିଆଯାଇଛି। ଘଟଣାରେ କିଏ ସମ୍ପୃକ୍ତ ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
୨ ବିଏନ୍ପି ନେତାଙ୍କ ହତ୍ୟା ପରେ ଅଣାୟତ୍ତ ସ୍ଥିତି
ନରାଇଲ ଜିଲ୍ଲା ପୁଲିସ ଅଧୀକ୍ଷକ ମହମ୍ମଦ ଅଲ୍ ମାମୁନ୍ ସିକଦର କହିଛନ୍ତି ଯେ, ମୃତ ବିଏନ୍ପି ନେତାଙ୍କ ସମ୍ପର୍କୀୟ ଓ ସମର୍ଥକମାନେ ୩ରୁ ୪ଟି ଘର ଭଙ୍ଗାରୁଜା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବା ସହ ଅତିରିକ୍ତ ବଳ ମୁତୟନ କରିଛି। ଏହି ସମୟରେ ପାବନା ଜିଲ୍ଲାର ବେରା ପୌରାଞ୍ଚଳରେ ଶନିବାର ବିଏନ୍ପି ଓ ଆୱାମୀ ଲିଗ୍ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ରବର ବୁଲେଟ୍ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଅନ୍ୟପକ୍ଷରେ, ସୀମା ସୁରକ୍ଷା ବାହିନୀ (ବିଜିବି) ଦେଶର ବିଭିନ୍ନ ଜିଲ୍ଲାରେ ୯୫ଟି ପ୍ଲାଟୁନ୍ ମୁତୟନ କରିଛି। ଗୋପାଳଗଞ୍ଜରେ ଦୁଇଟି ବାଟାଲିୟନ୍କୁ ମୁତୟନ କରାଯାଇଛି। ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଦେଶରେ ରାଜନୈତିକ ଉତ୍ତେଜନା ବଢ଼ୁଥିବାବେଳେ ଏହି ହିଂସା ସରକାରଙ୍କ ପାଇଁ ଆଇନଶୃଙ୍ଖଳା ରକ୍ଷାରେ ନୂଆ ଆହ୍ୱାନ ସୃଷ୍ଟି କରିଛି।
ସୌଜନ୍ୟ ସମ୍ବାଦ




