ଦେଶ ବିଦେଶ

Prashant Kishor : ଜେଡିୟୁକୁ ବିଜେପିରେ ମିଶାଇବାକୁ ଚାଲିଛି ଷଡ଼ଯନ୍ତ୍ର!

:ବିହାର ରାଜନୀତିରେ ପୁଣି ହଟଚମଟ। ଜନତା ଦଳ (ୟୁନାଇଟେଡ୍‌) ବା ଜେଡିୟୁକୁ ବିଜେପିରେ ମିଶାଇବା ପାଇଁ ଦଳ ଭିତରେ ଉଦ୍ୟମ ଚାଲିଥିବା ଅଭିଯୋଗ ଆଣିଛନ୍ତି ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର।

ପାଟନା:ବିହାର ରାଜନୀତିରେ ପୁଣି ହଟଚମଟ। ଜନତା ଦଳ (ୟୁନାଇଟେଡ୍‌) ବା ଜେଡିୟୁକୁ ବିଜେପିରେ ମିଶାଇବା ପାଇଁ ଦଳ ଭିତରେ ଉଦ୍ୟମ ଚାଲିଥିବା ଅଭିଯୋଗ ଆଣିଛନ୍ତି ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ଏଥିପାଇଁ ଜେଡିୟୁର କିଛି ନେତା ବିଜେପିର ଏଜେଣ୍ଟ ଭାବେ କାମ କରୁଥିବା ଓ ଦଳର ମୁଖ୍ୟ ନୀତୀଶ କୁମାରଙ୍କୁ ଜାଣିଶୁଣି ଜନସାଧାରଣଙ୍କ ନଜରରୁ ଦୂରେଇ ରଖାଯାଉଥିବା ସେ କହିଛନ୍ତି।

ଶନିବାର ବୈଶାଳୀ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀନୀତୀଶ କୁମାରଙ୍କ ନାମରେ ନାମିତ ଏକ ସେତୁର ଉଦ୍‌ଘାଟନ କରିଥିଲେ। ହେଲେ ଏହି ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଶୋର। ବିଶେଷ କଥା ହେଉଛି, ପାଟନା ବିମାନବନ୍ଦରରେ ନୀତୀଶ ନିଜେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ, ମାତ୍ର ବୈଶାଳୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ। ଏନେଇ ଜେଡିୟୁର କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝାଙ୍କୁ ପ୍ରଶ୍ନ କରିବାକୁ କିଶୋର କହିଛନ୍ତି। ତାଙ୍କ ମତରେ, ଦଳକୁ ବିଜେପିରେ ମିଶାଇବା ପାଇଁ ନୀତୀଶଙ୍କୁ ସାମ୍ନାକୁ ଆସିବାକୁ ଦିଆଯାଉନାହିଁ।

ନୀତୀଶଙ୍କୁ ଜନତାଙ୍କଠାରୁ ଦୂରେଇ ରଖାଯାଉଛି: ପ୍ରଶାନ୍ତ କିଶୋର

ଅନ୍ୟପକ୍ଷରେ, ଏନ୍‌ଡିଏ ସୂତ୍ରରୁ କୁହାଯାଇଛି ଯେ, ଏପ୍ରିଲରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ନୀତୀଶଙ୍କ ପାଖରେ ଆଉ କୌଣସି ସାମ୍ବିଧାନିକ ପଦ ନଥିବାରୁ ତାଙ୍କୁ ସରକାରୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନଥିଲା। ତେବେ ତାଙ୍କ ପୁଅ ନିଶାନ୍ତ କୁମାର ଓ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କ ସମେତ ଜେଡିୟୁର ଅନେକ ନେତା ଉତ୍ସବରେ ଉପସ୍ଥିତ ଥିଲେ। ତେବେ ଆର୍‌ଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଏନଡିଏର ବ୍ୟାଖ୍ୟା ସନ୍ଦେହଜନକ, ନୀତୀଶଙ୍କ ପରି ଜେଡି(ୟୁ)ର କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା ଓ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ସଭାପତି ଉପେନ୍ଦ୍ର କୁଶୱାହା ରାଜ୍ୟସଭା ସାଂସଦ ହୋଇ କେମିତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ଘଟଣାକୁ ନେଇ ବିହାର ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଜେଡିୟୁ-ବିଜେପି ସମ୍ପର୍କ ଆଗକୁ କେଉଁ ମୋଡ଼ ନେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button