Arunachal border villages: ପଳାଇଥିବା ଲୋକେ ଭିଟାମାଟିକୁ ଫେରୁଛନ୍ତି: ଶାହ
ଅରୁଣାଚଳ ପ୍ରଦେଶର ଚୀନ୍ ସୀମାନ୍ତରେ ଥିବା ୪୦ଟି ଗାଁରେ ଜନସଂଖ୍ୟା ବୃଦ୍ଧି ପାଇଛି ଏବଂ ଲୋକଙ୍କ ପଳାୟନ ବନ୍ଦ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବା ପରେ ଏହି ପରିବର୍ତ୍ତନ...

ଇଟାନଗର: ଅରୁଣାଚଳ ପ୍ରଦେଶର ଚୀନ୍ ସୀମାନ୍ତରେ ଥିବା ୪୦ଟି ଗାଁରେ ଜନସଂଖ୍ୟା ବୃଦ୍ଧି ପାଇଛି ଏବଂ ଲୋକଙ୍କ ପଳାୟନ ବନ୍ଦ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବା ପରେ ଏହି ପରିବର୍ତ୍ତନ ଆସିଛି। ରବିବାର ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ଏକ ସମବାୟ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇଛନ୍ତି। ଗତ ଶନିବାର ଏହି ୪୦ଟି ଗାଁର ସ୍ଥିତି ସମୀକ୍ଷା କରିଥିବା ସେ କହିଛନ୍ତି।
ଶାହ କହିଥିଲେ, ଏହି ଗାଁଗୁଡ଼ିକରୁ ଅନ୍ୟତ୍ର ଚାଲିଯାଇଥିବା ଲୋକେ ଏବେ ନିଜ ଭିଟାମାଟିକୁ ଫେରିବା ଆରମ୍ଭ କରିଛନ୍ତି। ଏହାଦ୍ୱାରା ସୀମାନ୍ତ ଗ୍ରାମଗୁଡ଼ିକର ଜନସଂଖ୍ୟା ବଢ଼ିବା ସହ ପଳାୟନ ଧାରା ମଧ୍ୟ ବନ୍ଦ ହୋଇଛି। ପୂର୍ବରୁ ରୋଜଗାର, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଅଭାବ ଯୋଗୁଁ ଅନେକ ଲୋକ ଗାଁ ଛାଡ଼ି ସହରକୁ ଚାଲିଯାଉଥିଲେ। ସୀମାନ୍ତ ଗ୍ରାମଗୁଡ଼ିକରେ ଆର୍ଥିକ କାର୍ଯ୍ୟକଳାପ ବଢ଼ାଇବା ପାଇଁ ଭାରତୀୟ ସେନା ଓ ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)କୁ ସ୍ଥାନୀୟ ସମବାୟ ସମିତିରୁ କୃଷିଜାତ ସାମଗ୍ରୀ କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେନା ଓ ଆଇଟିବିପି ତେଜପୁର କିମ୍ବା ଗୁଆହାଟୀ ଭଳି ସହରରୁ ସାମଗ୍ରୀ କିଣିବା ପରିବର୍ତ୍ତେ ସୀମାନ୍ତ ଗ୍ରାମରୁ ଆବଶ୍ୟକ ସାମଗ୍ରୀ କିଣିବେ। ଏହାଦ୍ୱାରା ଗ୍ରାମବାସୀଙ୍କ ଉତ୍ପାଦିତ ସାମଗ୍ରୀର ବଜାର ସୃଷ୍ଟି ହେବା ସହ ସେମାନଙ୍କ ଆୟ ବଢ଼ିବ। ଏଥିସହ ସୀମାନ୍ତ ଅଞ୍ଚଳର ଲୋକ ଓ ସୁରକ୍ଷା ବାହିନୀ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ ବୋଲି ଶାହ କହିଛନ୍ତି।
ମହିଳାମାନେ ମଧ୍ୟ ସମବାୟ ସମିତି ମାଧ୍ୟମରେ କ୍ଷୀର, ଅଣ୍ଡା, ପନିପରିବା, ମାଣ୍ଡିଆ ଓ ଅଟା ଆଦି ଯୋଗାଇ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି। ଅରୁଣାଚଳ ପ୍ରଦେଶକୁ କ୍ଷୀର, ଅଣ୍ଡା, ମାଛ ଓ ମାଂସ ଉତ୍ପାଦନରେ ଆତ୍ମନିର୍ଭର କରିବାକୁ ସମବାୟ ଆନ୍ଦୋଳନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ପର୍ଯ୍ୟାପ୍ତ ପରିମାଣରେ କ୍ଷୀର ଉତ୍ପାଦନ ହେଲେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନ୍ଡିଡିବି) ଓ ଅମୁଲ୍ ଏହା କିଣିବାକୁ ଆଗ୍ରହୀ ଥିବା ସେ ଜଣାଇଥିଲେ।
ଏହି ଗସ୍ତ ଅବସରରେ ଶାହ ଅରୁଣାଚଳ ପ୍ରଦେଶରେ ୫,୬୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଚାରିଟି ପ୍ରମୁଖ ବିକାଶମୂଳକ ପଦକ୍ଷେପ ଆରମ୍ଭ କରିଥିଲେ। ଏଥିରେ ୧,୫୦୦ କୋଟି ଟଙ୍କାର ‘ମିସନ ଶିକ୍ଷିତ ଅରୁଣାଚଳ-ଦ୍ୱିତୀୟ ପର୍ଯ୍ୟାୟ’, ୨,୦୦୦ କୋଟିର ବିଦ୍ୟୁତ୍ ବିକାଶ କାର୍ଯ୍ୟକ୍ରମ ଏବଂ ୨,୦୦୦ କୋଟିର ଗ୍ରାମୀଣ ସଡ଼କ ବିକାଶ କାର୍ଯ୍ୟକ୍ରମ ରହିଛି। ଏହାବ୍ୟତୀତ ୧୧ଟି ସୀମାନ୍ତ ଜିଲ୍ଲାରେ ‘ଭାଇବ୍ରାଣ୍ଟ ଭିଲେଜେସ୍ ପ୍ରୋଗ୍ରାମ୍’ ଅଧୀନରେ ୧୧୦.୯୫ କୋଟି ଟଙ୍କାର ୧୯୯ଟି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ, ଉପମୁଖ୍ୟମନ୍ତ୍ରୀ ଚୌନା ମେନ୍ ଓ ଅନ୍ୟ ମନ୍ତ୍ରୀ ତଥା ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ମିଳନୀରେ ଶାହ ‘ଅରୁଣାଚଳ ପ୍ରଦେଶ ସମବାୟ ଦୃଷ୍ଟିପତ୍ର-୨୦୪୭’ ଉନ୍ମୋଚନ କରିବା ସହ ସମବାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର ପ୍ରଦାନ କରିଥିଲେ।
ସୌଜନ୍ୟ ସମ୍ବାଦ




