ଦେଶ ବିଦେଶ

Israel Govt Deadlock: ଇସ୍ରାଏଲ୍‌ରେ ସରକାର ଗଠନ ପାଇଁ ନେତାନ୍ୟାହୁଙ୍କ ଦଳକୁ ଆଲୋଚନା ଲାଗି ନିମନ୍ତ୍ରଣ କଲେ ଆଇଜେନକୋଟ୍‌

ଇସ୍ରାଏଲ୍‌ରେ ନୂଆ ସରକାର ଗଠନ ପାଇଁ ରାଜନୈତିକ ଅଙ୍କକଷା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସରକାର ଗଠନ ଦାୟିତ୍ୱ ପାଇଥିବା ଗାଦି ଆଇଜେନକୋଟ୍‌ ରବିବାର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଲିକୁଡ୍‌ ଦଳକୁ ମେଣ୍ଟ ଗଠନ ନେଇ ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି।

ଜେରୁଜେଲମ୍‌: ଇସ୍ରାଏଲ୍‌ରେ ନୂଆ ସରକାର ଗଠନ ପାଇଁ ରାଜନୈତିକ ଅଙ୍କକଷା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସରକାର ଗଠନ ଦାୟିତ୍ୱ ପାଇଥିବା ଗାଦି ଆଇଜେନକୋଟ୍‌ ରବିବାର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଲିକୁଡ୍‌ ଦଳକୁ ମେଣ୍ଟ ଗଠନ ନେଇ ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି। ଆଇଜେନକୋଟ୍‌ଙ୍କ ମଧ୍ୟମପନ୍ଥୀ ୟାଶର୍‌ ପାର୍ଟି ଏକ ବ୍ୟାପକ ଜାତୀୟ ସରକାର ଗଠନ ପାଇଁ ସମସ୍ତ ସମ୍ଭାବନା ଅନୁଧ୍ୟାନ କରୁଥିବା କହିଛି।

ଅକ୍ଟୋବର ୨୭ରେ ଅନୁଷ୍ଠିତ ନିର୍ବାଚନରେ କୌଣସି ଦଳ କିମ୍ବା ମେଣ୍ଟ ସଂସଦରେ ସ୍ପଷ୍ଟ ବହୁମତ ପାଇନଥିଲେ। ଫଳରେ ନୂଆ ସରକାର ଗଠନ ନେଇ ଅନିଶ୍ଚିତତା ଦେଖାଦେଇଛି। ଇସ୍ରାଏଲ୍‌ର ରାଷ୍ଟ୍ରପତି ଆଇଜାକ୍‌ ହର୍ଜୋଗ୍‌ ନଭେମ୍ବର ୮ରେ ଆଇଜେନକୋଟ୍‌ଙ୍କୁ ସରକାର ଗଠନ ପାଇଁ ୨୮ ଦିନ ସମୟ ଦେଇଥିଲେ। ଆବଶ୍ୟକ ହେଲେ ଏହି ସମୟକୁ ଆଉ ୧୪ ଦିନ ବଢ଼ାଯାଇପାରିବ।

ୟାଶର୍‌ ପାର୍ଟିର ବିବୃତି ଅନୁଯାୟୀ, ଦଳର ଆଲୋଚନାକାରୀ ଟିମ୍‌କୁ ଲିକୁଡ୍‌ ପ୍ରତିନିଧିଙ୍କ ସହ ଦୀର୍ଘ ଆଲୋଚନା କରିବାକୁ କୁହାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି, ସରକାର ଗଠନ ପାଇଁ ସମସ୍ତ ବିକଳ୍ପକୁ ପରୀକ୍ଷା କରିବା ଏବଂ ଏକ ବ୍ୟାପକ ମେଣ୍ଟ ଗଠନର ରାସ୍ତା ଖୋଜିବା। ତେବେ ଏହି ଉଦ୍ୟମ ସହଜ ହେବାର ସମ୍ଭାବନା କମ୍‌। ଲିକୁଡ୍‌ ଦଳ ଏକତା ସରକାର ଗଠନ ପାଇଁ କେତେକ ସର୍ତ୍ତ ରଖିଛି। ଏଥିରେ ନେତାନ୍ୟାହୁ ଓ ତାଙ୍କ ସରକାର ବିରୋଧରେ ରାଜନୈତିକ ଓ ବ୍ୟକ୍ତିଗତ ଟାର୍ଗେଟ୍‌ ବନ୍ଦ କରିବା ସହ ଆରବ ଦଳଗୁଡ଼ିକୁ ମେଣ୍ଟରେ ସାମିଲ ନ କରିବା ଆଦି ସର୍ତ୍ତ ରହିଛି। ଇସ୍ରାଏଲ୍‌କୁ ଇହୁଦୀ ଜନସମୁଦାୟର ରାଷ୍ଟ୍ର ଭାବେ ସ୍ୱୀକାର, ପାଲେଷ୍ଟାଇନ୍‌ ରାଷ୍ଟ୍ର ଗଠନକୁ ବିରୋଧ ଏବଂ ସିରିଆ, ଲେବାନନ୍‌ ଓ ଗାଜାରେ ଇସ୍ରାଏଲ୍‌ର ସୁରକ୍ଷା ଅଞ୍ଚଳ ବଜାୟ ରଖିବା ଭଳି ପ୍ରସଙ୍ଗ ମଧ୍ୟ ଏହି ସର୍ତ୍ତରେ ରହିଛି।

ଜାତୀୟ ଏକତା ସରକାର ଗଠନକୁ ସମର୍ଥନ

ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ନାଫ୍‌ତାଲି ବେନେଟ୍‌ ଆଇଜେନକୋଟ୍‌ଙ୍କ ନେତୃତ୍ୱରେ ଏକ ଜାତୀୟ ଏକତା ସରକାର ଗଠନକୁ ସମର୍ଥନ କରିଛନ୍ତି। ତାଙ୍କ ଦଳ ନେତାନ୍ୟାହୁ କିମ୍ବା ତାଙ୍କ ମେଣ୍ଟରେ ଯୋଗ ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଆଇଜେନକୋଟ୍‌ ମଧ୍ୟ ନେତାନ୍ୟାହୁଙ୍କ ନେତୃତ୍ୱରେ ସରକାରରେ ଯୋଗ ଦେବାକୁ ଅସ୍ୱୀକାର କରିଛନ୍ତି। ଲିକୁଡ୍‌ର କିଛି ସଦସ୍ୟଙ୍କୁ ନେଇ ତାଙ୍କ ନେତୃତ୍ୱରେ ସରକାର ଗଠନ ସମ୍ଭବ କି ନାହିଁ, ତାହା ଆଲୋଚନାରେ ସ୍ପଷ୍ଟ ହେବ। ବ୍ୟାପକ ମେଣ୍ଟ ଗଠନ ବିଫଳ ହେଲେ ଆରବ ଦଳଗୁଡ଼ିକର ବାହ୍ୟ ସମର୍ଥନରେ ସଂଖ୍ୟାଲଘୁ ସରକାର ଗଠନ କରିବାର ବିକଳ୍ପ ମଧ୍ୟ ଆଇଜେନକୋଟ୍‌ଙ୍କ ଆଗରେ ରହିଛି। ତେବେ ଏହାକୁ ନେଇ ତାଙ୍କ ମେଣ୍ଟ ମଧ୍ୟରେ ମତଭେଦ ରହିଛି। ଡିସେମ୍ବର ୬ ପୂର୍ବରୁ ସରକାର ଗଠନ ନେଇ ନିଷ୍ପତ୍ତି ଆସିବାର ସମ୍ଭାବନା ଥିବାବେଳେ ଆଇଜେନକୋଟ୍‌ ଆଲୋଚନାକୁ ଅଯଥା ଲମ୍ବାଇବାକୁ ଚାହୁ ନାହାନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button