Air Conditioners : ଆସନ୍ତା ୨୦୩୫ ସୁଦ୍ଧା ଭାରତରେ ୨୦ କୋଟି ଏୟାର କଣ୍ଡିସନର ଲାଗିବ
ଆସନ୍ତା ୨୦୩୫ ସୁଦ୍ଧା ଭାରତରେ ୨୦ କୋଟି ଏୟାର କଣ୍ଡିସନର (ଏସି) ଲାଗିବା ନେଇ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଇଏ) ଆକଳନ କରିଛି। ଏହା ନିଜର ବିଶ୍ବ ଶକ୍ତି ପୂର୍ବାନୁମାନ ୨୦୨୬ ରିପୋର୍ଟରେ ଜଣାଇଛି ଯେ ଆସନ୍ତା ଦଶନ୍ଧିରେ ବିଶ୍ବ ଏସି ବଜାର ପ୍ରତି ଭାରତ ଓ ଦକ୍ଷିଣ ପୂର୍ବ ଏସିଆର ଭାଗ ୧୦ ପ୍ରତିଶତରୁ ବୃଦ୍ଧି ପାଇ ୨୦ ପ୍ରତିଶତ ହେବ।

ନୂଆଦିଲ୍ଲୀ: ଆସନ୍ତା ୨୦୩୫ ସୁଦ୍ଧା ଭାରତରେ ୨୦ କୋଟିଏୟାର କଣ୍ଡିସନର (ଏସି) ଲାଗିବା ନେଇ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଇଏ) ଆକଳନ କରିଛି। ଏହା ନିଜର ବିଶ୍ବ ଶକ୍ତି ପୂର୍ବାନୁମାନ ୨୦୨୬ ରିପୋର୍ଟରେ ଜଣାଇଛି ଯେ ଆସନ୍ତା ଦଶନ୍ଧିରେ ବିଶ୍ବ ଏସି ବଜାର ପ୍ରତି ଭାରତ ଓ ଦକ୍ଷିଣ ପୂର୍ବ ଏସିଆର ଭାଗ ୧୦ ପ୍ରତିଶତରୁ ବୃଦ୍ଧି ପାଇ ୨୦ ପ୍ରତିଶତ ହେବ। ଭାରତ ଓ ଇଣ୍ଡୋନେସିଆରେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଏସିର ଆବଶ୍ୟକତା ରହିଛି। ଏହାସତ୍ତ୍ବେ ସେଠାରେ ପ୍ରତି ପାଞ୍ଚ ପରିବାରରୁ ଗୋଟିଏ ପରିବାର ପାଖରେ ଏସି ନାହିଁ। ସେହି ତୁଳନାରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକାରେ ୯୦ ପ୍ରତିଶତ ପରିବାର ପାଖରେ ଏସି ରହିଛି।
ଆଇଇଏ ଅନୁଯାୟୀ, ପୂର୍ବରୁ ଶୀତରୁ ରକ୍ଷା ପାଇବା ଲାଗି ଗରମ ପ୍ରଦାନ କରୁଥିବା ଯନ୍ତ୍ରରେ ସର୍ବାଧିକ ବିଦ୍ୟୁତ ଉପଯୋଗ ହେଉଥିଲା। କିନ୍ତୁ ପ୍ରଥମ ଥର ଏହାକୁ ଶୀତଳତା ପ୍ରଦାନ କରୁଥିବା ଏସି ଅତିକ୍ରମ କରିବ। ଭାରତରେ ବାର୍ଷିକ ୬ ପ୍ରତିଶତ ହାରରେ ବିଦ୍ୟୁତ ଚାହିଦା ବଢ଼ିବ। ଏହା ବିଶ୍ବ ଚାହିଦା (୨.୫%)ଠାରୁ ତିନିଗୁଣା ଅଧିକ। ୨୦୩୫ ସୁଦ୍ଧା ଶୀତଳତା ପ୍ରଦାନକାରୀ ସମାଧାନ ପାଇଁ ବିଦ୍ୟୁତ ଚାହିଦା ୧୭୦୦ ଟେରାୱାଟ ଆୱାରକୁ ବୃଦ୍ଧି ପାଇବ ଯାହା ଯାହା ଭାରତର ମୋଟ୍ ବିଦ୍ୟୁତ ଚାହିଦା ସହ ପ୍ରାୟ ସମାନ।
ଦୈନିକ ୧୨ହଜାର ନୂଆ କାର୍ ରାସ୍ତାରେ ଗଡ଼ିବ
ଭାରତ ସମ୍ପର୍କରେ ଆଇଇଏ ଏହା ମଧ୍ୟ କହିଛି ଯେ କାର୍ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିବ। ଦୈନିକ ୧୨ହଜାର ନୂଆ କାର୍ ସଡ଼କକୁ ଆସିବ। ନିର୍ମାଣ ସ୍ଥଳରେ ୩୫% ବୃଦ୍ଧି ହେବ। ଇସ୍ପାତ ଓ ସିମେଣ୍ଟ ଉତ୍ପାଦନ ବି ବଢ଼ିବ। ୨୦୩୫ ସୁଦ୍ଧା ଶକ୍ତିରେ ନିବେଶ ୮୫% ବୃଦ୍ଧି ପାଇବ। ଭାରତରେ ତାପଜ ବିଦ୍ୟୁତ୍ ସମେତ ଜଳ ବିଦ୍ୟୁତ ଓ ଅନ୍ୟାନ୍ୟ ସବୁଜ ଶକ୍ତି ଉତ୍ସରୁ ବିଦ୍ୟୁତ ଉତ୍ପାଦନ ହେଉଛି। ବିଶ୍ବର ଦ୍ବିତୀୟ ସର୍ବାଧିକ କୋଇଲା ଭାରତରେ ବ୍ୟବହାର ହେଉଛି। ୨୦୩୫ ବେଳକୁ ଭାରତରେ ଅଧାରୁ ଅଧିକ ବିଦ୍ୟୁତ ଅଣ ଜୀବାଶ୍ମ ଇନ୍ଧନ ଉତ୍ସରୁ ଆସିବ ବୋଲି ଏହା ଆକଳନ କରିଛି।
ସୌଜନ୍ୟ ସମ୍ବାଦ




