R.P. Sharma: ଆର୍ପି ଶର୍ମାଙ୍କ ପ୍ରସ୍ତାବ ଚାପିଦେଲେ: ମହାରାଷ୍ଟ୍ର ପୁଲିସ ଓ ବୀମା ସଂସ୍ଥାର ବ୍ଲୁ ପ୍ରିଣ୍ଟ ଅକାମୀ
ରାଜ୍ୟର ୭୦ ହଜାର ପୁଲିସ କର୍ମଚାରୀଙ୍କୁ ସରକାର ବାର୍ଷିକ ପ୍ରାୟ ୧୩ କୋଟି ଟଙ୍କା ଆର୍ସିଏମ୍ (ରିମ୍ବର୍ସମେଣ୍ଟ କ୍ଲେମ୍ ଅଫ୍ ମେଡିସିନ) ଔଷଧ ଖର୍ଚ୍ଚ ବାବଦରେ ପ୍ରଦାନ କରୁଛନ୍ତି। ଜଣକା ବାର୍ଷିକ ହାରାହାରି ୧୮୫୭ ଟଙ୍କା ଲେଖାଏଁ ଭାଗ ପଡ଼ୁଛି।

କଟକ: ରାଜ୍ୟର ୭୦ ହଜାର ପୁଲିସ କର୍ମଚାରୀଙ୍କୁ ସରକାର ବାର୍ଷିକ ପ୍ରାୟ ୧୩ କୋଟି ଟଙ୍କା ଆର୍ସିଏମ୍ (ରିମ୍ବର୍ସମେଣ୍ଟ କ୍ଲେମ୍ ଅଫ୍ ମେଡିସିନ) ଔଷଧ ଖର୍ଚ୍ଚ ବାବଦରେ ପ୍ରଦାନ କରୁଛନ୍ତି। ଜଣକା ବାର୍ଷିକ ହାରାହାରି ୧୮୫୭ ଟଙ୍କା ଲେଖାଏଁ ଭାଗ ପଡ଼ୁଛି। ଶାରୀରିକ ଅସୁସ୍ଥତା ସମୟରେ ଔଷଧ ଖର୍ଚ୍ଚ ଏଥିରୁ ଭରଣା କରାଯାଏ। କିନ୍ତୁ ଏହି ଆର୍ଥିକ ସହାୟତା ଯଥେଷ୍ଟ ହେଉନଥିବାରୁ ପ୍ରତି ପୁଲିସ ପରିବାରର ହାରାହାରି ଭାବେ ୪ ଜଣଙ୍କୁ ମିଶାଇ ମୋଟ ୨ ଲକ୍ଷ ୮୦ ହଜାର ଜଣଙ୍କ ପାଇଁ ସ୍ବାସ୍ଥ୍ୟବୀମା ଯୋଜନା ହୋଇଥିଲା। ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ସ୍ବାସ୍ଥ୍ୟବୀମା କରିବାକୁ ତତ୍କାଳୀନ ପୁଲିସ ଡିଜି ଡାକ୍ତର ଆର୍ପି ଶର୍ମା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ମହାରାଷ୍ଟ୍ର ଢାଞ୍ଚାରେ ଏହି ସ୍ବାସ୍ଥ୍ୟବୀମା ପ୍ରଦାନ କରିବାକୁ ଓଡ଼ିଶା ପୁଲିସ ଏକ କମିଟି ବି ଗଠନ କରିଥିଲା। କିନ୍ତୁ ଏହି ପ୍ରସ୍ତାବ ଏଯାଏଁ କାର୍ଯ୍ୟକାରୀ ନହେବା ଓଡ଼ିଶା ପୁଲିସ ମହଲରେ ଉଦ୍ବେଗ ସୃଷ୍ଟି କରିଛି।
ମହାରାଷ୍ଟ୍ର ପୁଲିସ ଓ ବୀମା ସଂସ୍ଥାର ବ୍ଲୁ ପ୍ରିଣ୍ଟ ଅକାମୀ
୨୦୧୮ରେ ହୋଇଥିଲା କମିଟି
ପରିବାର ପିଛା ୫ ଲକ୍ଷର ସ୍ବାସ୍ଥ୍ୟବୀମା ପ୍ରସ୍ତାବ ଥିଲା
୨୦୧୮ରେ ତତ୍କାଳୀନ ପୁଲିସ ଡିଜି ଡାକ୍ତର ଶର୍ମା ରାଜ୍ୟରେ ସିପାହିଙ୍କଠାରୁ ପୁଲିସ ଡିଜିପି ପାହ୍ୟା ଯାଏଁ ପାଖାପାଖି ୭୦ ହଜାର ଜଣଙ୍କ ପାଇଁ ସ୍ବାସ୍ଥ୍ୟବୀମା ପ୍ରସ୍ତାବ ରଖିଥିଲେ। ମହାରାଷ୍ଟ୍ର ଢାଞ୍ଚାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯିବା ସହିତ ତତ୍କାଳୀନ ମୁମ୍ବାଇ ପୁଲିସ କମିସନର ଅରୂପ ପଟ୍ଟନାୟକଙ୍କ ସହିତ ଏ ସମ୍ପର୍କରେ ଓଡ଼ିଶା ପୁଲିସର ଶୀର୍ଷସ୍ତରର ଅଧିକାରୀ ଆଲୋଚନା କରିଥିଲେ। ମହାରାଷ୍ଟ୍ର ପୁଲିସ ଓ ବୀମା ସଂସ୍ଥାର ଏକ ଟିମ୍ ଭୁବନେଶ୍ବର ସ୍ପେସାଲ୍ ଆର୍ମଡ ଫୋର୍ସ କାର୍ଯ୍ୟାଳୟକୁ ଆସି ଡାକ୍ତର ଶର୍ମାଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶା ପୁଲିସ ସଂଘର କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ। ବୀମା ପ୍ରସଙ୍ଗରେ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ତତ୍କାଳୀନ ଏସ୍ଏପି ଏଡିଜି ମନୋଜ ଛାବ୍ରାଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଥିଲା। କମିଟି ଅନୁଧ୍ୟାନ କରି ଏକ ରିପୋର୍ଟ ଡିଜିଙ୍କୁ ଦେଇଥିଲା। ଡିଜି ଏହି ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିଲେ।
ଏହି ସ୍ବାସ୍ଥ୍ୟବୀମାରେ ଉଭୟ ପୁଲିସ ଓ ରାଜ୍ୟ ସରକାରଙ୍କ ଭାଗୀଦାର ରହିବା ନେଇ ପୁଲିସ କର୍ମଚାରୀମାନେ ପ୍ରସ୍ତାବ ଦେଇଥିଲେ। କେତେ ଟଙ୍କାର ବୀମା କିସ୍ତି ପୈଠ କଲେ କେତେ ଟଙ୍କାର ସ୍ବାସ୍ଥ୍ୟବୀମା ବାବଦ ଅର୍ଥ ମିଳିବ, ସେ ନେଇ ବୀମାସଂସ୍ଥା ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଓ ସେମାନଙ୍କ ପରିବାରକୁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିଥିବାବେଳେ ସେହି ଶୈଳୀରେ ଓଡ଼ିଶାରେ କୌଣସି ନଗଦବିହୀନ ବୀମା (କ୍ୟାସଲେସ୍) ଯୋଜନାରେ ପୁଲିସ କର୍ମଚାରୀଙ୍କୁ ସାମିଲ ପାଇଁ ଉଠିଥିବା ଦାବି କାର୍ଯ୍ୟକାରୀ ନ କରି ତାହାକୁ ଅକାମୀ କରିଦିଆଯାଇଛି। ୧୯୭୯ରେ ଗଠନ ହୋଇଥିବା ହାବିଲଦାର କନେଷ୍ଟବଳ ଓ ସିପାହି ମହାସଂଘ ୧୯୮୬ରୁ ରାଜ୍ୟ ସରକାରଙ୍କ ନିକଟରେ ସ୍ବାସ୍ଥ୍ୟବୀମା ପାଇଁ ଦାବି କରିଆସୁଛି। ନିକଟରେ ୨୦୨୪ ଡିସେମ୍ବର ୧୬ ଓ ଡିସେମ୍ବର ୧୭, ୨୦୨୫ ଅଗଷ୍ଟ ୨, ୨୦୨୬ ଜାନୁଆରି ୮ ଓ ଓଡ଼ିଶା ପୁଲିସ ଅଫିସର୍ସ ସଂଘ ପକ୍ଷରୁ ୨୦୨୫ ନଭେମ୍ବର ୨୮, ୨୦୨୬ ମାର୍ଚ୍ଚ ୨୨, ମେ ୨୨, ଜୁନ୍ ୧୧, ଜୁଲାଇ ୨୧ରେ ପୁଲିସ ଡିଜିଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା।
ସୌଜନ୍ୟ ସମ୍ବାଦ




