ରାଜ୍ୟ

Sambalpur University: ଚର୍ଚ୍ଚାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ: ନିଯୁକ୍ତିରେ ଅନିୟମିତତା!

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣିଥରେ କର୍ମଚାରୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ସାଂଘାତିକ ଅଭିଯୋଗ ସାମନାକୁ ଆସିଛି। ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଥିବା...

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣିଥରେ କର୍ମଚାରୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ସାଂଘାତିକ ଅଭିଯୋଗ ସାମନାକୁ ଆସିଛି। ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଥିବା ବେଳେ ଏନେଇ ଗତ ୧୮ ତାରିଖରେ ଅନ୍ୟ ଆବେଦନକାରୀମାନେ ବିରୋଧ କରିଥିଲେ। ଏହି ଯାଞ୍ଚ ପ୍ରକ୍ରିୟାର ନିରପେକ୍ଷ ତଦନ୍ତ ପାଇଁ କୁଳପତିଙ୍କଠାରୁ ନେଇ କୁଳାଧିପତିଙ୍କ ଯାଏଁ ଦାବି କରାଯାଇଛି। ଦସ୍ତାବିଜ ଦାଖଲ ପାଇଁ ନିର୍ଦ୍ଦେଶ ଦେବାର ୨ ଦିନ ପରେ ପୁଣି ଏକ ଚିଠି କରାଯାଇ ଆସନ୍ତା ୨୫ ତାରିଖରେ ଚୂଡ଼ାନ୍ତ ହୋଇଥିବା ୨ ଜଣ ପ୍ରାର୍ଥୀଙ୍କୁ ପୁନଃ ଚୟନ କମିଟି ସମ୍ମୁଖରେ ଉପସ୍ଥିତ ରହି ସାକ୍ଷାତକାର ଦେବାକୁ ବିଶ୍ବବିଦ୍ୟାଳୟ କୁଳସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଉକ୍ତ ୨ ପ୍ରାର୍ଥୀ ସେମାନଙ୍କ ପ୍ରମାଣପତ୍ର, ଦସ୍ତାବିଜ୍, ଏନ୍‌ଓସି, ସିସିଆର୍ ଆଦି ନେଇ ପହଞ୍ଚିବାକୁ ଚିଠିରେ ଉଲ୍ଲେଖ ରହିଛି। ତେବେ ତମାମ୍ ଘଟଣାରେ ୟୁଜିସି ଗାଇଡ୍‌ଲାଇନର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ବେଳେ ଯାଞ୍ଚ କମିଟିର ଭୂମିକା ସନ୍ଦେହଘେରକୁ ଆସିଛି।

ୟୁଜିସି ଗାଇଡ୍‌ଲାଇନ ଉଲ୍ଲଂଘନ ଅଭିଯୋଗ ପରେ ତଦନ୍ତ ଆରମ୍ଭ

ଅଭିଯୋଗ ଅନୁସାରେ, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଖାଲିପଡ଼ିଥିବା ଅଧ୍ୟାପକ ପଦ ପୂରଣ ପାଇଁ ଚଳିତ ବର୍ଷ ମେ’ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ୨୬ଟି ବିଭାଗ ପାଇଁ ୩୦ଟି ସହଯୋଗୀ ପ୍ରଫେସର ଓ ୨୩ଟି ବିଭାଗ ପାଇଁ ୩୪ଟି ସହକାରୀ ପ୍ରଫେସର ପଦ ପୂରଣ ନମନ୍ତେ ଆବେଦନ ଆହ୍ବାନ କରାଯାଇଥିଲା। ତେବେ ପ୍ରଦର୍ଶନ କଳା ବା ପରଫର୍ମିଂ ଆର୍ଟସ ବିଭାଗରେ ସହଯୋଗୀ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ଗୋଟିଏ ପଦ ପାଇଁ ୨ଜଣ ଯୋଗ୍ୟ ଆବେଦନକାରୀଙ୍କୁ ଚୟନ କରାଯିବା ପରେ ବିବାଦ ସାମନାକୁ ଆସିଛି। ଏହି ପଦ ପାଇଁ ମୋଟ ୮ ଜଣ ଆବେଦନକାରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ଶିକ୍ଷକତା ଅଭିଜ୍ଞତା ୮ ବର୍ଷରୁ କମ୍ ଥିବା ଦର୍ଶାଇ ଚୟନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି। ତେବେ ଯେଉଁ ୨ ଜଣଙ୍କୁ ଚୟନ କରାଯାଇଛି ସେମାନଙ୍କ ମଧ୍ୟରୁ ଜଣଙ୍କୁ ୮ ବର୍ଷ ଶିକ୍ଷକତା ଅଭିଜ୍ଞତାର ଦସ୍ତାବିଜ ଦାଖଲ କରିବାକୁ କୁହାଯାଇଛି। ଅନ୍ୟଜଣଙ୍କୁ କୌଣସି ଦସ୍ତାବିଜ ହିଁ ମଗାଯାଇନି। ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ଚଳିତ ବର୍ଷ ହିଁ ଡକ୍ଟରେଟ୍‌ ହାସଲ କରିଥିବା ବେଳେ କଲେଜ କି ବିଶ୍ବବିଦ୍ୟାଳୟରେ ଶିକ୍ଷକତା ହିଁ କରୁନଥିବା ଅଭିଯୋଗ ହୋଇଛି।

ଅନ୍ୟଜଣେ ଯୋଗ୍ୟ ବ୍ୟକ୍ତିଙ୍କର ଶିକ୍ଷାଗତ ଯୋଗ୍ୟତା ସମ୍ପୃକ୍ତ ବିଷୟରେ ରହିଛି ନା ନାହିଁ ସେନେଇ ମଧ୍ୟ ଅଭିଯୋଗକାରୀମାନେ ପ୍ରଶ୍ନ ଉଠାଇଛନ୍ତି। କେବଳ ସେତିକି ନୁହେଁ,  ଚୟନକାରୀ କମିଟିର ଜଣେ ସଦସ୍ୟଙ୍କ ଅନୁପସ୍ଥିତିରେ ଅନ୍ୟ ୨ ସଦସ୍ୟ କିଏ ଯୋଗ୍ୟ କିଏ ଅଯୋଗ୍ୟ ତାହା ଚୂଡ଼ାନ୍ତ କରିଛନ୍ତି। ଯେଉଁଠି ଖୋଦ୍ ବିଶ୍ବବିଦ୍ୟାଳୟର ପରଫର୍ମିଂ ଆର୍ଟସ ବିଭାଗରେ ୮ ବର୍ଷରୁ ଅଧିକ ସମୟ ଧରି ଚୁକ୍ତିଭିତ୍ତିକ ଭାବେ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କର ଶିକ୍ଷକତା ଅଭିଜ୍ଞତା ନଥିବା ଦର୍ଶାଯାଇଥିବା ବେଳେ ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କର ଅଭିଜ୍ଞତାକୁ କିଭଳି ଚୟନ କମିଟି ଗ୍ରହଣ କଲେ ତାକୁ ନେଇ ଅଭିଯୋଗକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ପରଫର୍ମିଂ ଆର୍ଟସ ଏକ ବିଶେଷ ବିଷୟ, ଯେଉଁଥିରେ ଶିକ୍ଷାଗତ ଯୋଗ୍ୟତା ସହିତ ମଞ୍ଚ ଅଭିଜ୍ଞତା, ପ୍ରଦର୍ଶନ ଦକ୍ଷତା, ନାଟ୍ୟ ଅଭ୍ୟାସ ଆଦିର ମୂଲ୍ୟାଙ୍କନ ବି ଆବଶ୍ୟକ ପଡ଼ିଥାଏ। କିନ୍ତୁ ଯାଞ୍ଚ କମିଟିର ସଦସ୍ୟମାନେ ଅନ୍ୟ ବିଭାଗର ହୋଇଥିବାରୁ ସେମାନଙ୍କର ପ୍ରଦର୍ଶନ କଳା ବିଭାଗରେ ଅଭିଜ୍ଞତା ଓ ଯୋଗ୍ୟତା ରହିଛି ନା ନାହିଁ ତାହାର ବି ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହୋଇଛି। ଏନେଇ ପ୍ରତିକ୍ରିୟା ପାଇଁ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ପ୍ରଫେସର ପ୍ରଦୀପ ନାଏକଙ୍କୁ ପଚାରିବାରେ, ଅଭିଯୋଗ ପରେ ତମାମ୍ ପ୍ରକ୍ରିୟାର ଯାଞ୍ଚ କରାଯାଇଛି। ଏଥିରେ କିଛି ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହେବା ପରେ ଆସନ୍ତାକାଲି ବିଶ୍ବବିଦ୍ୟାଳୟ ନିଯୁକ୍ତି ପ୍ରକ୍ରିୟାର କୋର୍ କମିଟି ବୈଠକ ଡକାଯାଇଥିବା ପ୍ରଫେସର ନାଏକ କହିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button