ରାଜ୍ୟ

Accident Beaking: ମୃତ୍ୟୁର ଦୂତ ସାଜିଲା ହାଇୱା, ଦୁଇଟି ପୃଥକ୍ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର, ୨୩/୧୧:ରାଜଧାନୀରେ ପୁଣି ରକ୍ତରଞ୍ଜିତ ସଡ଼କ। ଅଶୁଭ ସୋମବାରରେ ଦୁଇଟି ପୃଥକ୍ ଦୁର୍ଘଟଣାରେ ହାଇୱା ଧକ୍କାରେ ୩ ଜଣଙ୍କ ଜୀବନ ଯାଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ରାପିଡୋ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ନନ୍ଦନକାନନ ଗୋଲେଇ ଛକରେ ଅନ୍ୟ ଏକ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି। ଦୁଇଟି ଘଟଣାରେ ହାଇୱା ଧକ୍କା ମୃତ୍ୟୁର କାରଣ ପାଲଟିଛି।

ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଅଞ୍ଚଳର ଓମ୍‌ଫେଡ୍ ଛକ ନିକଟରେ ରାପିଡୋ ଚାଳକ ଜୟଦେବ ବେହେରା ଯାଉଥିବା ସମୟରେ ଏକ ହାଇୱା ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଏହାପରେ ହାଇୱାଟି ତାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଧକ୍କାରେ ବାଇକ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି। ଦୁର୍ଘଟଣା ପରେ ହାଇୱା ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ହାଇୱାକୁ ଜବତ କରିଛି। ଫେରାର ଚାଳକଙ୍କୁ ଧରିବାକୁ ପୁଲିସ ତଦନ୍ତ ଜାରି ରଖିଛି।

ସେହିପରି ନନ୍ଦନକାନନ ଗୋଲେଇ ଛକରେ ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଆଠଗଡ଼ ଯାଜିଆପଡ଼ାର ବିକାଶ ନାୟକ ଓ କେନ୍ଦ୍ରାପଡ଼ା ଅଞ୍ଚଳର ନିରଞ୍ଜନ ପଲେଇଙ୍କ ମୃତ୍ୟୁ ହୋଇଛି। ସୋମବାର ଭୋର ପ୍ରାୟ ୫ଟା ସମୟରେ ଦୁହେଁ ଏକ ବାଇକ୍‌ରେ କଟକରୁ ଭୁବନେଶ୍ୱର ଆସୁଥିଲେ। ଏହି ସମୟରେ ବାରଙ୍ଗ ରେଳ ଷ୍ଟେସନ ପଟୁ ଆସୁଥିବା ଏକ ହାଇୱା ଗୋଲେଇ ଛକରେ ବୁଲିବାବେଳେ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇପଡ଼ିଥିଲେ। ଖବର ପାଇ ନନ୍ଦନକାନନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ ପଠାଇଥିଲା। ହେଲେ ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦୁର୍ଘଟଣାର କାରଣ ଖୋଜୁଛି। ଗୋଟିଏ ଦିନରେ ଦୁଇଟି ପୃଥକ୍ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ରାଜଧାନୀରେ ସଡ଼କ ସୁରକ୍ଷା ଓ ଭାରୀଯାନ ଚଳାଚଳ ଉପରେ ପୁଣି ପ୍ରଶ୍ନ ଉଠାଇଛି।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button