Unique Love Story : ପ୍ରେମିକଙ୍କ ହାତ ଧରିଲେ ଲୋମଶ କନ୍ୟା, ଖଳିସାହିରେ ସମ୍ପନ୍ନ ହେଲା ବିବାହ

ଚାରିଛକ, ୨୩/୧୧ : ଶାରୀରିକ ଅସଙ୍ଗତି ଓ ରୂପକୁ ନେଇ ଲୋମଶ କନ୍ୟା ଭାବେ ଦିନେ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ ରେବତୀ । ଦେଶଯାକର ବିଭିନ୍ନ ଗଣମାଧ୍ୟମରେ ତାଙ୍କ ଜୀବନ କାହାଣୀକୁ ନେଇ ବ୍ୟାପକ ଚର୍ଚ୍ଚା ହୋଇଥିଲା । ତେବେ ସେହି ଲୋମଶ କନ୍ୟା ରେବତୀ କହଁରଙ୍କ ଜୀବନରେ ଯୋଡ଼ିହୋଇଛି ନୂତନ ଅଧ୍ୟାୟ । ପ୍ରେମିକ ପୀତବାସ ସାହୁଙ୍କ ସହିତ ବିବାହ ବନ୍ଧନରେ ସେ ଆବଦ୍ଧ ହୋଇଛନ୍ତି । ଆରମ୍ଭ କରିଛନ୍ତି ନିଜ ସଂସାର । ଏଭଳି ଏକ ସୁଖଦ ଖବର ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଙ୍ଗା ପଞ୍ଚାୟତର ଖଳିସାହି ଗ୍ରାମରୁ ।
ରେବତୀଙ୍କ ବିବାହ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ରେବତୀ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସୁବଳୟା ଗ୍ରାମର ପୀତବାସ ସାହୁଙ୍କୁ ଭଲ ପାଉଥିଲେ । ସମୟକ୍ରମେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ସହ ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଗତ ଶନିବାର ପୀତବାସ ଖଳିସାହି ଗ୍ରାମରେ ପହଞ୍ଚିଥିଲେ । ଗ୍ରାମବାସୀ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଗ୍ରାମର ଠାକୁରାଣୀଙ୍କ ନିକଟରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ପୀତବାସ ରେବତୀଙ୍କ ମଥାରେ ସିନ୍ଦୂର ଦେବା ସହ ମଙ୍ଗଳସୂତ୍ର ପିନ୍ଧାଇଥିଲେ । ଏହାପରେ ଉଭୟେ ବରଣମାଳା ବଦଳ କରି ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଥିଲେ । ଗ୍ରାମବାସୀ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହ ନୂଆ ଜୀବନ ପାଇଁ ଶୁଭକାମନା ଜଣାଇଥିଲେ । ବିବାହ ପରେ ରେବତୀ ପୀତବାସଙ୍କ ସହ ତାଙ୍କ ଘରକୁ ଯାଇଥିଲେ ।
ସୌଜନ୍ୟ ପ୍ରମେୟ




