Baitarani Sand Mafia: ବୈତରଣୀରେ ବାଲି ମାଫିଆଙ୍କ ରାଜ୍, ବନ୍ଧୁକ ମୁନରେ ଚାଲିଛି ବେଆଇନ ଲୁଟ୍ !

କେନ୍ଦୁଝର, ୨୩।୧୧: ପୁଣି ଚୋରା ବାଲି ଚାଲାଣ କୁମଡ଼ ଘାଟରୁ ବେଧଡ଼କ ଭାବେ ଚାଲିଛି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ ପରେ କିଛିଦିନ ବନ୍ଦ ଥିବା ଘାଟ ପୁଣି ଚଳଚଞ୍ଚଳ ହୋଇପଡିଛି । ଘାଟ ନିଲାମ ନହୋଇ ମଧ୍ୟ ସ୍ଥାନୀୟ ପ୍ରଶାସନର ସହଯୋଗରେ ବାଲି ମାଫିଆମାନେ ଦିନରାତି ବୈତରଣୀକୁ ଲୁଟ୍ କରି ଚାଲିଥିବା ବେଳେ ଅଭିଯୋଗ କଲେ ଅସାମାଜିକ ବାଲି ମାଫିଆ ଧମକ ଦେଉଛନ୍ତି । ବନ୍ଧୁକ ଭୟ ଦେଖାଇ କୁମଡ଼ ଘାଟରୁ ବାଲି ଉଠୁଥିବା ବେଳେ ପ୍ରତିଦିନ ୮୦ରୁ ଊଦ୍ଧ୍ୱର୍ ହାଇୱାରେ ବାଲି ଚାଲାଣ ହେଉଛି । ପୁଲିସ ବିଭାଗ ପକ୍ଷରୁ କିଛିଦିନ ତଳେ ବାଲି ମାଫିଆଙ୍କୁ ସାବାଡ୍ କରିବାକୁ ଆରମ୍ଭ ହୋଇଥିବା ଅପରେସନ୍ ବୈତରଣୀ କୁମଡ଼ ଘାଟରେ ଫେଲ୍ ମାରିଛି । ୩ ଦିନ ତଳେ ବାଲି ଚାଲାଣ ସମୟରେ ଜଣେ ଶ୍ରମିକ ଦୁର୍ଘଟଣାର ଶିକାର ହେବା ପରେ କଟକ ବଡ଼ ଡାକ୍ତରଖାନାରେ ହାତ କଟାଯାଇଛି । ଏହି ଘଟଣାକୁ ମଧ୍ୟ ଚପାଇ ଦେବାକୁ ଉଦ୍ୟମ ହେଉଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ତହସିଲ ଘଷିପୁରା ଥାନା ଅଧୀନ କାଳିମାଟି ପଞ୍ଚାୟତ କୁମଡ ହେଉଛି ଏକ ଆଦିବାସୀ ଅଞ୍ଚଳ । ଏହି ଗ୍ରାମ ପାଶ୍ୱର୍ ଦେଇ ବୈତରଣୀ ପ୍ରବାହିତ । ତେବେ ଏହି ଅଞ୍ଚଳଟି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି ।
ସଂରକ୍ଷିତ ଜଙ୍ଗଲ ଓ ହାତୀଙ୍କ ଚଲାପଥ ହୋଇଥିବାରୁ ଏଠାରେ କୌଣସି ବାଲିଘାଟ ନିଲାମ ଦିଆ ଯାଇନାହିଁ । ତେବେ କିଛି ମାଫିଆ ଦୀର୍ଘ ମାସରୁ ଅଧିକ ଦିନ ହେବ ଏଠାରେ ବଡ ବଡ ମେସିନ ଲଗାଇ ହାଇୱା ଯୋଗେ ବାଲି ଉତ୍ତୋଳନ ଓ ପରିବହନ କରୁଛନ୍ତି । ଏହାଦ୍ୱାରା ଗ୍ରାମ୍ୟ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ନୂଆକରି ନିର୍ମାଣ ଶେଷ ହୋଇଥିବା କଂକ୍ରିଟ ରାସ୍ତା ମଧ୍ୟ ଭାଙ୍ଗିରୁଜି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅପରପକ୍ଷରେ ବନ୍ୟଜନ୍ତୁ ସୁରକ୍ଷା ଆଇନକୁ ଏଠାରେ ଆଖି ବୁଜି ଦିଆ ଯାଇଛି । ବନ ବିଭାଗ ପକ୍ଷରୁ ଆବଶ୍ୟକ ପାଟ୍ରୋଲିଂ କରାଯାଉ ନାହିଁ । ବେଧଡକ ବାଲି ଲୁଟ୍ ହେଉଥିଲେ ମଧ୍ୟ ଖଣି ବିଭାଗ ନିରବ ରହିଛି । ଏହି ଅଞ୍ଚଳ ନିଛାଟିଆ ଓ ବାଲି ଲୁଟ୍ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ ପୁଲିସ କିଛି କରୁନାହିଁ । ଜଙ୍ଗଲ ମଧ୍ୟରେ ଗଛ କାଟି ବାଲି ଲୁଟ୍ ପାଇଁ ରାସ୍ତା ନିର୍ମାଣ କରାଯାଇଛି । ଯାହା ସମ୍ପୂର୍ଣ୍ଣ ବେଆଇନ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଅଞ୍ଚଳ ଦେଇ ୨୦ ନଂ ଜାତୀୟ ରାଜପଥ ଅତିକ୍ରମ କରିଛି । ଏହା ଘାଟି ରାସ୍ତା । ତେବେ ବେଆଇନ ବାଲି ଲୁଟ୍ ପାଇଁ ବଡ ବଡ ହାଇୱା ଗାଡ଼ି ବିପରୀତ ଦିଗରେ ଚଳପ୍ରଚଳ କରୁଛି । ଫଳରେ ଗତ ବର୍ଷକ ମଧ୍ୟରେ ଏହି ସ୍ଥାନରେ ଦୁର୍ଘଟଣା ଘଟି ୯ ଜଣକର ମୃତ୍ୟୁ ହୋଇଛି ।
ସଂରକ୍ଷିତ ଜଙ୍ଗଲ ଓ ହାତୀ ଚଳପ୍ରଚଳ ପାଇଁ ଥିବା ବନ ସଂରକ୍ଷଣ ଆଇନ ୧୯୮୦ ଅନୁଯାୟୀ, ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି । ବେଆଇନ ଭାବେ ଓ ରାତିରେ ବାଲି ଉତ୍ତୋଳନ ଓ ପରିବହନ ହେଉଥିବାରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ବିଜେପି ନେତା ଯଜ୍ଞ ପ୍ରସାଦ ନିବେଦନ କରିଛନ୍ତି । ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲରେ ଗଛ ହାଣି ବାଲି ଲୁଟ୍ ପାଇଁ ରାସ୍ତା ନିର୍ମାଣ କରିଥିବାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେହିପରି ସେଠାରେ ହୋଇଥିବା ସମସ୍ତ ଦୁର୍ଘଟଣାର ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କ ଚିକିତ୍ସା ବାବଦ ଅର୍ଥ ମାଫିଆଙ୍କ ଠାରୁ ଆଦାୟ ପାଇଁ ଶ୍ରୀ ସାହୁ ରାଜ୍ୟ ସରକାର, ରାଜ୍ୟପାଳ ନିକଟରେ ପୁଣି ଅଭିଯୋଗ କରିଛନ୍ତି । ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବୈତରଣୀ ନଦୀର ସୁରକ୍ଷା ତଥା ସଂରକ୍ଷିତ ଜଙ୍ଗଲର ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ପ୍ରତି ନିଜର ସଦୟ ଦୃଷ୍ଟି ଦେବେ ବୋଲି ଯଜ୍ଞ ପ୍ରସାଦ ସାହୁ ନିବେଦନ କରିଛନ୍ତି ।
ସୌଜନ୍ୟ ପ୍ରମେୟ




