ରାଜ୍ୟ

Chief Minister: ନୌବାଣିଜ୍ୟ ପରମ୍ପରା ପାଇଁ ଓଡ଼ିଆ ଗର୍ବିତ: ମୁଖ୍ୟମନ୍ତ୍ରୀ

୧୫୦୦ରୁ୨୦୦୦ ବର୍ଷ ତଳେ କୌଣସି ଜ୍ଞାନକୌଶଳ ନ ଥିଲା। ପାଣିପାଗର କୌଣସି ସୂଚନା ଆମ ପାଖରେ ନ ଥିଲା। ତଥାପି ଆମ ଓଡ଼ିଆ ସାଧବ ପୁଅ ସମୁଦ୍ରରେ ବିପଜ୍ଜନକ ଯାତ୍ରା କରି ବ୍ୟବସାୟ ବାଣିଜ୍ୟ...

ଜଗତସିଂହପୁର: ୧୫୦୦ରୁ୨୦୦୦ ବର୍ଷ ତଳେ କୌଣସି ଜ୍ଞାନକୌଶଳ ନ ଥିଲା। ପାଣିପାଗର କୌଣସି ସୂଚନା ଆମ ପାଖରେ ନ ଥିଲା। ତଥାପି ଆମ ଓଡ଼ିଆ ସାଧବ ପୁଅ ସମୁଦ୍ରରେ ବିପଜ୍ଜନକ ଯାତ୍ରା କରି ବ୍ୟବସାୟ ବାଣିଜ୍ୟ କରି ଧନରତ୍ନ ଆଣୁଥିଲେ। ସେହି ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ ଆମେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଉଛୁ। ଯାହାକୁ ନେଇ ଆମେ ଗର୍ବ କରୁଛୁ ବୋଲି ପାରାଦୀପ କଳିଙ୍ଗ ବାଲିଯାତ୍ରାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଶ୍ବରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ରହିଛି। ଓଡ଼ିଶା ନୂଆ ନୂଆ ଇତିହାସ ଲେଖିବାକୁ ଯାଉଛି। ଡବଲ୍ ଇଞ୍ଜିନ ସରକାର ଆସିବା ପରେ ଆମେ ଭିଜନ୍‌ରେ ଯାଉଛୁ। ରାଜ୍ୟକୁ ବିକଶିତ କରିବା ପାଇଁ ଭିଜନ୍-୨୦୨୩୬ ପ୍ରସ୍ତୁତ କରାଯାଇଛି।

ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା, ଅର୍ଥନୀତିକୁ ସୁଦୃଢ଼ କରିବା ସହ ନିଯୁକ୍ତି ସୃଷ୍ଟି ପାଇଁ ସରକାର ସବୁବେଳେ ଚେଷ୍ଟିତ ରହିଛନ୍ତି। ବିଦେଶରୁ ପୁଞ୍ଜି ନିବେଶ ପାଇଁ ଆମେ ଏମ୍‌ଓୟୁ ସ୍ବାକ୍ଷରିତ କରିଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ବିକଶିତ ଭାରତ ପାଇଁ ପୂର୍ବ ଭାରତର ବିକାଶ ଆବଶ୍ୟକ ବୋଲି କହିଥିଲେ। ବିଶେଷ କରି ଓଡ଼ିଶାକୁ ଆଖି ଆଗରେ ରଖି କହିଥିଲେ। ଯଦି ଦେଖିବା ପାରାଦୀପକୁ ଲକ୍ଷ୍ୟ କରି ପୂର୍ବ ଭାରତର ଗେଟ୍ ଵେ ଅଫ୍ ଇଣ୍ଡିଆ ବୋଲି କହିଥିଲେ। ପାରାଦୀପ ନୌବାଣିଜ୍ୟର ପୂର୍ବ ଗାଥାକୁ ମନେ ପକାଇବା ଲାଗି ଇଣ୍ଡୋନେସିଆର ବାଲି ଦ୍ବୀପରେ ଆୟୋଜିତ ବାଲିଯାତ୍ରା କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସେଠାକୁ ଯାଇଛନ୍ତି। ଏହା ଓଡ଼ିଶାର ଗୌରବକୁ ଆହୁରି ବଢ଼ାଇବ। ଓଡ଼ିଶାର ସ୍ଥପତ୍ୟ, କଳା, ସାମାଜିକ ମୂଲ୍ୟବୋଧକୁ ଓଡ଼ିଆ ସାଧବ ପୁଅମାନେ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରାଇ ପାରିଛନ୍ତି। ଜଗତସିଂହପୁର ମାଟିର ସାରସ୍ବତ ସାଧକ ଆଦିକବି ସାରଳା ଦାସ ଆମ ଓଡ଼ିଆ ଜାତିର ଗୌରବ। ନିଜ କବିତାରେ ନୌବାଣିଜ୍ୟକୁ ସ୍ଥାନ ଦେଇଛନ୍ତି।

ଜିଲ୍ଲାପାଳ ଜେ. ସୋନାଲ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ସାଂସଦ ବିଭୁପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ, ପାରାଦୀପ ବନ୍ଦର ପକ୍ଷରୁ ସୁଶାନ୍ତ କୁମାର ପୁରୋହିତ ପ୍ରମୁଖ ଯୋଗ ଦେଇଥିଲେ। ଏସ୍‌ପି ଅଙ୍କିତ କୁମାର ବର୍ମା ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଗୋପବନ୍ଧୁ ଷ୍ଟାଡିୟମରେ ହେଲିକପ୍ଟର ଯୋଗେ ଆସି ଅବତରଣ କରିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହା ପରେ ତାଙ୍କୁ ପାରଦୀପ ବନ୍ଦର, ବିଜେପି ନେତୃବୃନ୍ଦ, ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇ ଶୋଭାଯାତ୍ରାରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରେ ପହଞ୍ଚି ସେ ପ୍ରଥମେ ଓରମାସ୍ ଷ୍ଟଲ୍‌କୁ ଉଦ୍‌ଘାଟନ କରିଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button