ରାଜ୍ୟ

Odisha Repeal Bill 2026 Passed: ଓଡ଼ିଶା ରଦ୍ଦକରଣ ବିଧେୟକ ୨୦୨୬ ପାରିତ: ରଦ୍ଦ ହେଲା ୩୫୮ଟି ଆଇନ

ରାଜ୍ୟର ଆଇନଗତ ବ୍ୟବସ୍ଥାରେ ଅଧିକ ସ୍ପଷ୍ଟତା ଓ ନିଶ୍ଚିତତା ଆଣିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୩୫୮ଟି ଅାଇନକୁ ରଦ୍ଦ କରିଛନ୍ତି। ଏହି ସମସ୍ତ ଆଇନ ମୂଳ ଆଇନ ଉପରେ ସଂଶୋଧନ ହୋଇଥିଲା...

ଭୁବନେଶ୍ବର: ରାଜ୍ୟର ଆଇନଗତ ବ୍ୟବସ୍ଥାରେ ଅଧିକ ସ୍ପଷ୍ଟତା ଓ ନିଶ୍ଚିତତା ଆଣିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୩୫୮ଟି ଅାଇନକୁ ରଦ୍ଦ କରିଛନ୍ତି। ଏହି ସମସ୍ତ ଆଇନ ମୂଳ ଆଇନ ଉପରେ ସଂଶୋଧନ ହୋଇଥିଲା କିମ୍ବା ସାମୟିକ ସମୟ ପାଇଁ ଆସିଥିଲା। ଆଜି ଏ ସଂକ୍ରାନ୍ତରେ ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ‘ଓଡ଼ିଶା ରଦ୍ଦକରଣ ଅଧିନିୟମ,୨୦୨୬’ ଉପସ୍ଥାପନ କରିଥିବାବେଳେ ଏହା ଉପରେ ସବିଶେଷ ଆଲୋଚନା ହେବା ପରେ ବାଚସ୍ପତି ସୁରମା ପାଢ଼ୀ ଏହି ବିଲ୍‌ଟିକୁ ପାରିତ କରିଥିଲେ ।

ଆଇନଗତ ବ୍ୟବସ୍ଥାରେ ଅଧିକ ସ୍ପଷ୍ଟତା ଓ ନିଶ୍ଚିତତା ଆଣିବା ଆମ ଲକ୍ଷ୍ୟ: ଆଇନ ମନ୍ତ୍ରୀ

ଏହି ବିଲ୍‌ ଉପରେ ଆଲୋଚନା କରି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଥିଲେ, ଯେଉଁ ଆଇନଗୁଡ଼ିକ ପୂର୍ବରୁ ଆସିଥିଲା, ଯେଉଁ ମୂଳ ଆଇନରେ ସମୟକ୍ରମେ ସଂଶୋଧନ ଅଣାଯାଇଥିଲା ସେତେବେଳେ ତ କିଞ୍ଚିତ ଲକ୍ଷ୍ୟ ଥିଲା। ଏବେ କ’ଣ ସେସବୁ ପୂରଣ ହୋଇଗଲା ଯେ ସବୁ ରଦ୍ଦ କରିଦେବ? ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ରାଜ୍ୟ ଆଇନ ଆୟୋଗଙ୍କୁ ୪୧୮ଟି ଆଇନ ରଦ୍ଦ କରିବାକୁ ପ୍ରସ୍ତାବ ଦେଇଥିଲ ବୋଲି କହୁଛ। ତେବେ ସେ ୩୫୮ଟି ରଦ୍ଦ କରିବାକୁ କାହିଁକି ନିଷ୍ପତ୍ତି ନେଲେ, ବାକି ଆଇନ କ’ଣ ହେବ? ଯେଉଁ ଆଇନ ରଦ୍ଦ ହେଲା ତା’ର ଡାଟାବେସ୍‌ କେଉଁଠି ରହିବ ନା ନାହିଁ? ସେହିପରି ବିଧାୟକ ଦିବ୍ୟଶଙ୍କର ମିଶ୍ର, ସୁନିଲ କୁମାର ମହାନ୍ତିି କହିଥିଲେ ଯେ ଯଦି ରାଜ୍ୟ ସ୍ବାର୍ଥ ଦୃଷ୍ଟିରୁ ଆଇନଗୁଡ଼ିକୁ ରଦ୍ଦ କରାଯାଉଛି ତେବେ କରାଯାଉ। ଶାସକ ଦଳ ପକ୍ଷରୁ ବିଧାୟକ ସନ୍ତୋଷ କୁମାର ଖଟୁଅା, ଇରାଶିଷ ଆଚାର୍ଯ୍ୟ, ବିଭୂତି ଭୂଷଣ ପ୍ରଧାନ, ଲକ୍ଷ୍ମଣ ବାଗ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ବର୍ତ୍ତମାନ ସମୟରେ ଏହି ଅଦରକାରୀ ଆଇନଗୁଡ଼ିକ ରଦ୍ଦ ହେବାର ଆବଶ୍ୟକ ଥିବାରୁ ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ।

ଆଲୋଚନାର ଉତ୍ତର ରଖି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ, ସମୟକ୍ରମେ ନୀତିଗତ ପରିବର୍ତ୍ତନ ଓ ଅଧିକ ବ୍ୟାପକ ଆଇନ ପ୍ରଣୟନ ହେବା ହେତୁ କେତେକ ପୁରୁଣା ଆଇନ ଆଉ କୌଣସି ବ୍ୟବହାରିକ ଉଦ୍ଦେଶ୍ୟ ସାଧନ କରିପାରୁନାହିଁ। ତେଣୁ ଆଇନ ପୁସ୍ତକକୁ ସରଳ ଓ ଯୁକ୍ତିଯୁକ୍ତ କରିବା, ଅନାବଶ୍ୟକ ଆଇନର ବୋଝ ହ୍ରାସ କରିବା ଏବଂ ଆଇନଗତ ବ୍ୟବସ୍ଥାରେ ଅଧିକ ସ୍ପଷ୍ଟତା ଓ ନିଶ୍ଚିତତା ଆଣିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ। ଏଥିରେ ୧୯୭୪ରୁ ୨୦୨୫ ମସିହା ପର୍ଯ୍ୟନ୍ତ ବିଭିନ୍ନ ଆଇନ ରହିଛି। ଚଳିତବର୍ଷ ଜାନୁଆରି ୯ରୁ ଫେବ୍ରୁଆରି ୧୭ ମଧ୍ୟରେ ବିଭିନ୍ନ ବିଭାଗ ସେମାନଙ୍କ ରଦ୍ଦ ହେବାକୁ ଥିବା ୪୧୮ଟି ଆଇନକୁ  ଅନାବଶ୍ୟକ ଦର୍ଶାଇ ରଦ୍ଦ କରିବା ପାଇଁ ଆଇନ ବିଭାଗକୁ ଅନୁରୋଧ କରିଥିଲେ। ଏହାର ତର୍ଜମା ପାଇଁ ଆଇନ ଆୟୋଗଙ୍କ ଦ୍ୱାରା ଏକ ୩ ଜଣିଆ ଉପ-କମିଟି ଗଠନ କରାଯାଇଥିଲା। ଆୟୋଗ ତର୍ଜମା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button