Missile attack: ଜାହାଜ ଉପରେ ସାଇବର ଆକ୍ରମଣ ପଛରେ ଇରାନର ହାତ! ୫୦ ଜାହାଜ ଆକ୍ରମଣର ଶିକାର
ବିଶ୍ୱର ବିଭିନ୍ନ ସମୁଦ୍ରପଥରେ ତୈଳ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପରିବହନ କରୁଥିବା ଜାହାଜଗୁଡ଼ିକ ଉପରେ ସାଇବର ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ଏହି ଆକ୍ରମଣ ପଛରେ ଇରାନର ହାତ ଥାଇପାରେ ବୋଲି ଆମେରିକା ସନ୍ଦେହ କରୁଛି।

ୱାସିଂଟନ: ବିଶ୍ୱର ବିଭିନ୍ନ ସମୁଦ୍ରପଥରେ ତୈଳ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପରିବହନ କରୁଥିବା ଜାହାଜଗୁଡ଼ିକ ଉପରେ ସାଇବର ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ଏହି ଆକ୍ରମଣ ପଛରେ ଇରାନର ହାତ ଥାଇପାରେ ବୋଲି ଆମେରିକା ସନ୍ଦେହ କରୁଛି। ତେବେ ରୁଷ୍ର ସମ୍ପୃକ୍ତି ଥିବା ଦିଗକୁ ମଧ୍ୟ ଆମେରିକା ତଦନ୍ତ ପରିସରଭୁକ୍ତ କରିଛି। ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ର ଏକ ରିପୋର୍ଟ ଆଧାରରେ ଏହି ଖବର ପ୍ରକାଶ ପାଇଛି।
ରିପୋର୍ଟ ଅନୁସାରେ, ପ୍ରାୟ ୫୦ଟି ଜାହାଜ ଏହି ସାଇବର ଆକ୍ରମଣର ଶିକାର ହୋଇଥାଇ ପାରନ୍ତି। ଏହି ଜାହାଜଗୁଡ଼ିକ ଅଶୋଧିତ ତୈଳ, ତରଳୀକୃତ ପେଟ୍ରୋଲିୟମ୍ ଗ୍ୟାସ୍, ରାସାୟନିକ ପଦାର୍ଥ ଓ ଅନ୍ୟାନ୍ୟ ବିପଜ୍ଜନକ ସାମଗ୍ରୀ ପରିବହନ କରୁଥିଲେ। କେତେକ ଜାହାଜକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ମଧ୍ୟ ମିଳିଥିବା ଜଣାପଡ଼ିଛି। ଆମେରିକୀୟ ଅଧିକାରୀଙ୍କ ସୂଚନା ଆଧାରରେ ରିପୋର୍ଟରେ ଇରାନ୍କୁ ଏହି ଆକ୍ରମଣର ମୁଖ୍ୟ ସନ୍ଦିଗ୍ଧ ବୋଲି ଦର୍ଶାଯାଇଛି। କେତେକ ଜାହାଜକୁ ଫାର୍ସୀ ଭାଷାରେ ବାର୍ତ୍ତା ପଠାଇ ଆମେରିକୀୟ ସାମଗ୍ରୀ ପରିବହନ ନ କରିବାକୁ ଚେତାବନୀ ଦିଆଯାଇଛି। ତେବେ ଆମେରିକାର ଟ୍ରମ୍ପ ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଆକ୍ରମଣରେ ଇରାନର ସମ୍ପୃକ୍ତି ଥିବା ନେଇ ଏଯାଏଁ କୌଣସି ପ୍ରମାଣ ମିଳିନାହିଁ।
ଆମେରିକା ଅଭିମୁଖେ ଆସୁଥିବା ଅତି କମ୍ରେ ଚାରିଟି ଜାହାଜର ସାଇବର ସୁରକ୍ଷା ଯାଞ୍ଚ ପାଇଁ ଆମେରିକୀୟ ତଟରକ୍ଷୀ ବାହିନୀର ସ୍ୱତନ୍ତ୍ର ଦଳ ମୁତୟନ ହୋଇଛନ୍ତି। ‘ଭିଏଲ୍ ପ୍ରସ୍ପରିଟି’ ଓ ‘କୋହାକୁ’ ନାମକ ଦୁଇଟି ଜାହାଜ ଏହି ଘଟଣାରେ ଚର୍ଚ୍ଚାକୁ ଆସିଛି। ଉଭୟ ଜାହାଜ ଟେକ୍ସାସ୍ ଅଭିମୁଖେ ଯାଉଥିବା ବେଳେ ସାଇବର ଆକ୍ରମଣ ଓ ବୋମା ଧମକ ପାଇଥିଲେ। ଅନ୍ୟ ଏକ ଜାହାଜ ‘ଭିଭିଟ୍ ଆଫ୍ରିକା’ ଆମେରିକାରୁ ଇଟାଲୀକୁ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ନେଇ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ରିପୋର୍ଟରେ କୁହାଯାଇଛି।
ସାଇବର ଆକ୍ରମଣକାରୀମାନେ ଜାହାଜରେ ବ୍ୟବହୃତ ‘ଫୋର୍ଟିନେଟ୍’ ରାଉଟର୍ର ସୁରକ୍ଷା ତ୍ରୁଟିର ସୁଯୋଗ ନେଉଥିବା ଆମେରିକୀୟ ଅଧିକାରୀଙ୍କ ସନ୍ଦେହ। ଏହି ତ୍ରୁଟି ଜରିଆରେ ଜାହାଜର କିଛି ଯୋଗାଯୋଗ ଓ ପରିଚାଳନା ବ୍ୟବସ୍ଥାକୁ ବାଧାପ୍ରାପ୍ତ କରାଯାଇପାରେ। ତେବେ ଜାହାଜକୁ ହ୍ୟାକ୍ କରି ସିଧାସଳଖ ଧକ୍କା କିମ୍ବା ବିସ୍ଫୋରଣ ଘଟାଇବା ସମ୍ଭାବନା କମ୍ ବୋଲି ସାମୁଦ୍ରିକ ପରିବହନ ବିଶେଷଜ୍ଞମାନେ ମତ ଦେଇଛନ୍ତି। କିନ୍ତୁ ଏଭଳି ଆକ୍ରମଣ ଯୋଗୁଁ ଜାହାଜ ଯାତ୍ରା ବିଳମ୍ବିତ ହେବା ସହ ବିଶ୍ୱ ବାଣିଜ୍ୟ ଓ ଯୋଗାଣ ବ୍ୟବସ୍ଥାରେ ବଡ଼ କ୍ଷତି ହୋଇପାରେ।
ସୌଜନ୍ୟ ସମ୍ବାଦ




