Baramunda bus terminal: ବରମୁଣ୍ଡା ବସ୍ଷ୍ଟାଣ୍ଡରେ ନୂଆ ଆଇଟି କମ୍ପାନି
ବରମୁଣ୍ଡାସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ (ବିଏସ୍ଏବିଟି)ରେ ନୂଆ ସୂଚନା ପ୍ରଯୁକ୍ତି କମ୍ପାନି ଏଆରଏଫ୍ ଡିଜାଇନ୍ ପ୍ରାଇଭେଟ୍ ଲିମିଟେଡ୍ର କାର୍ଯ୍ୟାଳୟକୁ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି।

ଭୁବନେଶ୍ବର: ବରମୁଣ୍ଡାସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ (ବିଏସ୍ଏବିଟି)ରେ ନୂଆ ସୂଚନା ପ୍ରଯୁକ୍ତି କମ୍ପାନି ଏଆରଏଫ୍ ଡିଜାଇନ୍ ପ୍ରାଇଭେଟ୍ ଲିମିଟେଡ୍ର କାର୍ଯ୍ୟାଳୟକୁ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ଏହା ହେଉଛି ଏକ ସର୍କିଟ୍ ଓ ଆଇସି ଲେଆଉଟ୍ ଡିଜାଇନ୍ ସେବା ପ୍ରଦାନକାରୀ ସଂସ୍ଥା। ବେଙ୍ଗାଲୁରୁ, ରାଞ୍ଚି, ଭୁବନେଶ୍ବର ଓ ହାଇଦ୍ରାବାଦରେ ଏହାର ଉପସ୍ଥିିତ ରହିଛି। କମ୍ପାନି ପାଇଁ ୫୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି।
ଏହି ଅବସରରେ ଡ. ମହାଲିଙ୍ଗ କହିଥିଲେ, ବିଏସ୍ଏବିଟିରେ କାର୍ଯ୍ୟାଳୟ ଖୋଲିବାକୁ ବଡ଼ ବଡ଼ ଆଇଟି କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି। ବର୍ତ୍ତମାନ ୧୧,୨୯୨ ବର୍ଗଫୁଟ ଅଞ୍ଚଳରେ ଆଇଟି କମ୍ପାନି କାର୍ଯ୍ୟାଳୟ ଖୋଲିସାରିଛନ୍ତି। ସେ କହିଲେ, ଓଡ଼ିଶା ୪୦୦୦ କୋଟି ଟଙ୍କା ନିବେଶର ଦୁଇଟି ସେମିକଣ୍ଡକ୍ଟର ପ୍ରକଳ୍ପ ହାସଲ କରିଛି।
ଏହା ବ୍ୟତୀତ ୮୭୦ ଏକର ଜମିରେ ଓଡ଼ିଶା ସିଲିକନ ଭ୍ୟାଲି ପ୍ରକଳ୍ପ ବିକାଶ କରାଯାଉଛି। ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଓ ମାନୁଫାକ୍ଚରିଂ (ଇଏସ୍ଡିଏମ୍) କ୍ଷେତ୍ରର ପ୍ରସାର ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ଇଲେକ୍ଟ୍ରୋନିକ୍ସ କମ୍ପୋନେଟ୍ ମାନୁଫାକ୍ଚରିଂ ପଲିସି ୨୦୨୫ରେ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦିଆଯାଉଛି।
ସୌଜନ୍ୟ ସମ୍ବାଦ




