ରାଜ୍ୟ

HPV vaccination: ଏଚ୍‌ପିଭି ଟିକାକରଣରେ ଜାତୀୟ ହାରଠାରୁ ପଛରେ ଓଡ଼ିଶା: ଦେଶରେ ୮୭%, ଓଡ଼ିଶାରେ ୭୫%

ଜରାୟୁ କର୍କଟ ନିରାକରଣ ଦିଗରେ ଏକ ପ୍ରମୁଖ ଅସ୍ତ୍ର ହେଉଛି ଟିକାକରଣ। ଏଥିପାଇଁ କେନ୍ଦ୍ର ସରକାର ଚଳିତବର୍ଷ ଫେବ୍ରୁଆରି ୨୮ତାରିଖରେ ୧୪ବର୍ଷର କିଶୋରୀଙ୍କୁ ମାଗଣାରେ ଏଚ୍‌ପିଭି ଟିକା ପ୍ରଦାନ କରିବା ଆରମ୍ଭ କରିଥିଲେ।

ଭୁବନେଶ୍ବର: ଜରାୟୁ କର୍କଟ ନିରାକରଣ ଦିଗରେ ଏକ ପ୍ରମୁଖ ଅସ୍ତ୍ର ହେଉଛି ଟିକାକରଣ। ଏଥିପାଇଁ କେନ୍ଦ୍ର ସରକାର ଚଳିତବର୍ଷ ଫେବ୍ରୁଆରି ୨୮ତାରିଖରେ ୧୪ବର୍ଷର କିଶୋରୀଙ୍କୁ ମାଗଣାରେ ଏଚ୍‌ପିଭି ଟିକା ପ୍ରଦାନ କରିବା ଆରମ୍ଭ କରିଥିଲେ। ଏହାଭିତରେ ଦେଶରେ ଏଚ୍‌ପିଜି ଟିକାର ଡୋଜ୍‌ ୧ କୋଟି ଟପିଛି। ଜାତୀୟ ସ୍ତରରେ ଟିକାକରଣ ହାର ୮୭% ରହିଥିଲେ ହେଁ ଓଡ଼ିଶା ଏଥିରେ ବହୁ ପଛରେ ପଡ଼ିଛି। ରାଜ୍ୟରେ ଟିକାକରଣ ହାର ୭୫% ରହିଛି। ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଭଳି ୬ଟି ରାଜ୍ୟ ଏହି ଟିକାକରଣରେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି।

ମହିଳାଙ୍କ କ୍ଷେତ୍ରରେ ଜରାୟୁ କର୍କଟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା। ଜରାୟୁ କର୍କଟ ସୃଷ୍ଟି କରିପାରୁଥିବା ଏଚ୍‌ପିଭି ସଂକ୍ରମଣର ବିପଦକୁ ହ୍ରାସ କରିବା ଏଚ୍‌ପିଭି ଟିକାକରଣ ବେଶ ସହାୟକ ହୋଇଥାଏ। ଏହି କ୍ରମରେ ଜାତୀୟ ଏଚ୍‌ପିଭି ଟିକାକରଣ ଅଭିଯାନ ବିଶ୍ୱସ୍ତରୀୟ ବୈଜ୍ଞାନିକ ପ୍ରମାଣ ଦ୍ୱାରା ସମର୍ଥିତ ଏକ ଅଭିଯାନ। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୮୦ କୋଟିରୁ ଅଧିକ ଏଚ୍‌ପିଭି ଡୋଜ୍‌ ଦିଆଯାଇସାରିଛି। ୧୪ ବର୍ଷ ବୟସରେ କିଶୋରୀଙ୍କୁ ଟିକାକରଣ ପ୍ରଦାନ କରାଯିବା ଫଳରେ ଏଚ୍‌ପିଭିର ସମ୍ଭାବ୍ୟ ପ୍ରଭାବ ପୂର୍ବରୁ ଏହା ସୁରକ୍ଷା ପ୍ରଦାନ କରିଥାଏ। ଟିକା ନେଉଥିବା ପ୍ରତ୍ୟେକ ହିତାଧିକାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଶତ ପ୍ରତିଶତ ଟିକାକରଣ ହାସଲ କରିଥିବା ୬ଟି ରାଜ୍ୟ ବାଦ୍‌ ଆସାମ ୯୫%, କର୍ଣ୍ଣାଟକ ୯୩ ଓ ଉତ୍ତରାଖଣ୍ଡରେ ୯୦% ଟିକାକରଣ ହୋଇପାରିଛି।

ଓଡ଼ିଶାରେ ୩ଲକ୍ଷ ୩୬ହଜାର ୬୭୧ଜଣ କିଶୋରୀଙ୍କୁ ଏଚ୍‌ପିଭି ଟିକା ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୪୩ ହଜାର ୯୩୫ ଜଣଙ୍କୁ ଏହି ଟିକା ଦିଆଯାଇଛି। ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୭୨.୫%। ରାଉରକେଲାରେ ଏଚ୍‌ପିଭି ଟିକାକରଣ ଅତ୍ୟନ୍ତ ନୈରାଶ୍ୟଜନକ। ଏଠାରେ ୨୮% କିଶୋରୀ ଟିକା ନେଇଛନ୍ତି। ଭୁବନେଶ୍ବରରେ ୫୮%, ସୁବର୍ଣ୍ଣପୁରରେ ୫୧%, ରାୟଗଡ଼ାରେ ୫୨% ଏବଂ ନୂଆପଡ଼ାରେ ଏହି ହାର ୪୮% ରହିଛି। କେବଳ ଗଜପତି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟରୁ ଅଧିକ ଅର୍ଥାତ୍‌ ୧୨୧% କିଶୋରୀଙ୍କୁ ଟିକା ଦିଆଯାଇଛି। ଏଦୃଷ୍ଟିରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ରାଜ୍ୟର ଦୁଇ ସହର ଓ ଅନ୍ୟ ଜିଲ୍ଲାରେ କିଭଳି ଟିକାକରଣ ହାର ବଢ଼ିବ ତାହା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମତ ରଖିଛନ୍ତି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ସଞ୍ଜୟ ମହାପାତ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସୂଚନା ସଂପର୍କରେ ମୋ ନିକଟରେ କୌଣସି ତଥ୍ୟ ନାହିଁ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button