Naveen’s foreign visit: ସାଧାରଣ ଜନତାଙ୍କ ସନ୍ଦେହ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି: ବିଜେପି
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ତତ୍କାଳୀନ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏହାକୁ ନେଇ ବୟାନବାଜି କମୁନି।

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ତତ୍କାଳୀନ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏହାକୁ ନେଇ ବୟାନବାଜି କମୁନି। ଆଜି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ଗଣମାଧ୍ୟମରେ ଯେଉଁ ଖବର ପ୍ରସାରଣ ହେଲା, ସୂଚନା ଅଧିକାର କର୍ମୀମାନେ ତଥ୍ୟ ଦେଲେ ଯେ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତରେ ଅନିୟମିତତା ହୋଇଛି।
ସାଧାରଣ ଜନତା ଓ ସୂଚନା ଅଧିକାର କର୍ମୀ ଯେଉଁ ପ୍ରଶ୍ନ ଉଠେଇଛନ୍ତି, ସେମାନଙ୍କର ସନ୍ଦେହ ଦୂର କରିବା ହେଉଛି ଏକ ଲୋକାଭିମୁଖୀ ସରକାରଙ୍କ ଦାୟିତ୍ୱ। କାରଣ ଜାତୀୟ ସମ୍ପତ୍ତି ହେଉ କିମ୍ବା ଓଡ଼ିଶାର ସାଧାରଣ ଲୋକଙ୍କ ସମ୍ପତି, ସେସବୁର ସୁରକ୍ଷାର ଦାୟିତ୍ୱ ରାଜ୍ୟ ସରକାରଙ୍କର। ସେହି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାସ୍ତବ ତଥ୍ୟ ସାଧାରଣ ଜନତାଙ୍କ ଆଗରେ ରଖିବା ପାଇଁ ଅଧିକାରୀସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସାଧାରଣ ଜନତାଙ୍କ ସନ୍ଦେହ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି: ବିଜେପି
ହେଲେ ତଦନ୍ତ ଆଦେଶ ଶୁଣିବା ପରେ ବିଜେଡି ନେତାଙ୍କ ଦେହରେ ନିଆଁ ଲାଗିଯାଉଛି କାହିଁକି? ବିଜେଡି କ’ଣ ଚାହୁଁ ନାହିଁ ସତ ସାମ୍ନାକୁ ଆସୁ? ସତ କ’ଣ ଅଧିକାରୀସ୍ତରୀୟ ତଦନ୍ତ ପରେ ଜଣାପଡ଼ିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
ଏହାସହ ସେ କହିଛନ୍ତି ଯେ ସତ୍ୟକୁ ସାମ୍ନା କରିବା ପାଇଁ କ’ଣ ବିଜେଡି ପାଖରେ ଧୈର୍ଯ୍ୟ କି ସାହସ ନାହିଁ? ସରକାର ଲୋକ ହିତରେ ଓଡ଼ିଶାର ସମ୍ପତ୍ତିକୁ ସୁରକ୍ଷା ଦେବାକୁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଓଡ଼ିଶା ରାଜନୀତି ଇତିହାସରେ ଉଦାହରଣ ସୃଷ୍ଟି କରିଛି। ନବୀନ ବାବୁଙ୍କ ବିଦେଶ ଗସ୍ତ ବିରୋଧରେ ଯେଉଁ ଅଭିଯୋଗ ଆସିଛି ବା ଯେଉଁ ସନ୍ଦେହ ସୃଷ୍ଟି ହୋଇଛି, ତାହା ଉପରେ ସେ ଉତ୍ତର ଦେବା ଦରକାର। ବିଦେଶ ଗସ୍ତରେ ଅଧିକ ଯାଆନ୍ତୁ କି କମ୍ ଯାଆନ୍ତୁ ସ୍ୱଚ୍ଛତା ରହିବା ଆବଶ୍ୟକ।
ସୌଜନ୍ୟ ସମ୍ବାଦ




