Rourkela Housing Scheme: କୋଟିଏ ଦେଲେ ବି ମିଳୁନି ଘର ! ୩୬ ବର୍ଷ ଧରି ରାଉରକେଲାରେ ଆବାସ ଯୋଜନା ଠପ୍

ରାଉରକେଲା, ୨୬।୧୧:ସହରରେ କୋଟିଏ ଟଙ୍କା ଦେଲେ ବି ମିଳୁନି ମନପସନ୍ଦର ଘର । ସହରଠାରୁ ଦଶ କିମି ଅପନ୍ତରା ଅଞ୍ଚଳରେ ଘରଟିଏ କଲେ ଖର୍ଚ୍ଚ କରିବାକୁ ପଡୁଛି ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା । ଧନୀକ ଶ୍ରେଣୀର ଲୋକେ ହାତଖୋଲା ଖର୍ଚ୍ଚ କରି ତୋଳାଉଛନ୍ତି ଘର । ଇସ୍ପାତ ସହର ରାଉରକେଲାରେ ସାଢ଼େ ୩ ଦଶନ୍ଧି ଧରି କୌଣସି ସରକାରୀ ଆବାସିକ ଯୋଜନା ହୋଇ ନ ଥିବାରୁ ମଧ୍ୟବିତ୍ତଙ୍କ ପାଇଁ ଘର ଖଣ୍ଡିଏ ତୋଳିବା ସ୍ୱପ୍ନ ପାଲଟିଛି । ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍ଡିଏ) ଓ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ (ଓଏସ୍ଏଚ୍ବି) ପକ୍ଷରୁ ବାସଗୃହ ନିର୍ମାଣ କରି ଲୋକଙ୍କୁ ଆବାସିକ ଘର ଯୋଗାଇ ଦିଆଯାଇଥାଏ । ହେଲେ ୧୯୯୦ରୁ ସହରରେ ଗୋଟିଏ ବି ଆବାସିକ ଯୋଜନା ହୋଇନାହିଁ । ସହରର ମଧ୍ୟବିତ୍ତଙ୍କ ମୁଣ୍ଡ ଉପରକୁ ଛାତ ଯୋଗାଇ ଦେବା ଲାଗି ୧୯୭୭- ୭୮ରେ ଓଏସ୍ଏଚ୍ବି ଏବଂ ଆରଡିଏ ପକ୍ଷରୁ ବାସନ୍ତୀ କଲୋନି ଅଞ୍ଚଳରେ ଗୃହ ନିର୍ମାଣ କରାଯାଇ ଆବଣ୍ଟନ କରାଯାଇଥିଲା । ଏଠାରେ ଓଏସ୍ଏଚ୍ବି ପକ୍ଷରୁ ୨୩୭୬ ଏବଂ ଆରଡିଏ ପକ୍ଷରୁ ୫୬୨ ଗୃହ ନିର୍ମାଣ କରାଯାଇଛି । ସେହିପରି ଛେଣ୍ଡ ଅଞ୍ଚଳରେ ୧୯୮୧ରୁ ୧୯୯୦ ମଧ୍ୟରେ ଅନୁରୂପ ଘର ତୋଳାଯାଇଥିଲା ।
ଏଠାରେ ହାଉସିଂ ବୋର୍ଡ ପକ୍ଷରୁ ୨୯୮୫ ଏବଂ ଆରଡିଏ ପକ୍ଷରୁ ୨୩୮୩ ଗୃହ ନିର୍ମାଣ କରାଯାଇ ବଣ୍ଟନ କରାଯାଇଛି । ଏହାପରେ ଉଭୟ ବିଭାଗ ପକ୍ଷରୁ ସହରରେ ଆଉ କୌଣସି ଆବାସିକ କଲୋନି ନିର୍ମାଣ ହୋଇନି । ସେହିପରି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସ୍ପି) ରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପାଇଁ କୋଏଲନଗର ଅଞ୍ଚଳରେ ପ୍ରାୟ ୨୦୦ ଏକର ଜାଗା ଆରଏସ୍ପି ଯୋଗାଇ ଦେଇଥିଲା । ଉକ୍ତ ଜମିରେ ପ୍ରାୟ ୨୨୦୦ ଗୃହ ନିର୍ମାଣ କରାଯାଇଛି । ରାଉରକେଲା ଭଳି ସହରାଞ୍ଚଳରେ ଜମି ସଙ୍କଟ ଲାଗିରହିଛି । ଏହାର ପ୍ରମୁଖ କାରଣ ଶିଳ୍ପାୟନ । ସହରର ସିଂହଭାଗ ଜମି ଆରଏସ୍ପି, ରେଳବାଇ ଓ ରାଜସ୍ୱ ବିଭାଗ ଅଧୀନରେ ରହିଛି । ସହରର ପୂର୍ବ ଭାଗର ଜମି ରେଳବାଇ ଅଧୀନରେ ରହିଛି । ପଶ୍ଚିମପାଶ୍ୱର୍ ମହାନଗର ନିଗମ ଅଧୀନରେ ଅଛି । ଦକ୍ଷିଣପାଶ୍ୱର୍ ଆରଏସ୍ପି ଏବଂ ଉତ୍ତର ପାଶ୍ୱର୍ ପଞ୍ଚାୟତ ଅଧୀନରେ ରହିଛି । ତେଣୁ ସହର ବଢ଼ିବା ପାଇଁ ସୁଯୋଗ ନାହିଁ । ଅନ୍ୟପଟେ ମହାନଗର ଅଞ୍ଚଳରେ ଗଢ଼ି ଉଠିଥିବା ୨୩୦ରୁ ଊଦ୍ଧ୍ୱର୍ ବସ୍ତି ସହରକୁ ସଙ୍କୁଚିତ କରୁଛି । ଅଦ୍ୟାବଧି ପିପିପି ମୋଡ୍ରେ ଛେଣ୍ଡ୍ରେ ୫୦୦ ଫ୍ଲାଟ୍ ବିଶିଷ୍ଟ ଗୋଟିଏ ଆପାର୍ଟମେଣ୍ଟ ନିର୍ମାଣ ହୋଇଛି । ସେଠାରେ ସିଭିଲ୍ଟାଉନ୍ସିପ୍ର ମାନ୍ଟୋଲା ବସ୍ତିର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ହେଲେ ଅନ୍ୟ ବସ୍ତିଗୁଡ଼ିକୁ ବ୍ୟବସ୍ଥିତ କରିବା ନିମନ୍ତେ ଯୋଜନା ନ ଥିବାରୁ ସହରୀ ଭିଡ଼ ବଢ଼ିବାରେ ଲାଗିଛି ।
ଉଲ୍ଲେଖଯୋଗ୍ୟ, ସହର ଉପକଣ୍ଠର ୧୦କିମି ମଧ୍ୟରେ ଜାଗା ଡିସିମିଲ୍ ପିଛା ୪ରୁ ଆରମ୍ଭ କରି ୧୫ ଲକ୍ଷ ଛୁଇଁଲାଣି । ବାସପଯୋଗୀ ଘରଟିଏ ତୋଳାଇବାକୁ ଅତିକମ୍ରେ ୩ ଡିସିମିଲ୍ ଜମି ଲୋଡ଼ା । ତଦନୁଯାୟୀ ଜାଗା ଏବଂ ଗୃହ ନିର୍ମାଣରେ ଖର୍ଚ୍ଚ ଅତିକମ୍ରେ ୬୦ ଲକ୍ଷ ପାର୍ କରୁଛି । ସେହିପରି ୧ ବିଏଚ୍କେ୍ ଆପାର୍ଟମେଣ୍ଟ ୫୦ ଲକ୍ଷ, ୨ବିଏଚ୍କେ ୮୦ ଲକ୍ଷ ଏବଂ ୩ବିଏଚ୍କେ ପାଇଁ କୋଟିଏରୁ ଊଦ୍ଧ୍ୱର୍ ଟଙ୍କାର ଆବଶ୍ୟକତା ରହୁଛି । ଫଳରେ ସହରରେ ଘର ମଧ୍ୟବିତ୍ତଙ୍କୁ ପାଇଁ ଦୁରୂହ ହୋଇଛି । ନିକଟ ଅତୀତରେ ସହରରେ ଖାଲି ପଡ଼ିଥିବା ଜାଗାରେ ହାଉସିଂ ପ୍ରକଳ୍ପ କରି ଲୋକଙ୍କୁ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଥିଲା । ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଦିଲୀପ ରାୟ ମଧ୍ୟ ଏ ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଏ ଦିଗରେ ପଦକ୍ଷେପ ନିଆଯାଉନାହିଁ । ଏ ନେଇ ଆର୍ଡିଏ ଉପାଧ୍ୟକ୍ଷ ଦୀନା ଦସ୍ତାଗିର କହିଛନ୍ତି, ହାଉସିଂ ପ୍ରକଳ୍ପ ପାଇଁ ଯୋଜନା ରହିଛି । ଜାଗା ଖୋଜା ଚାଲିଛି । ଜାଗା ମିଳିବା ମାତ୍ରେ ପ୍ରକ୍ରିୟା ଆରମ୍ଭ ହେବ ।
ସୌଜନ୍ୟ ପ୍ରମେୟ




