ରାଜ୍ୟ

Sundargarh Meat Market: ପୌରପାଳିକାର ଆମିଷ ବଜାରକୁ ବ୍ୟବସାୟୀଙ୍କ ନା, ବିଧାୟକଙ୍କ ଜମିରେ ଚାଲିଲା ବେପାର

ସୁନ୍ଦରଗଡ଼, ୨୬।୧୧: ସୁନ୍ଦରଗଡ଼ ପୌର ପରିଷଦର ଆମିଷ ବଜାର ଆରମ୍ଭ ଉଦ୍ୟମ ଫେଲ ମାରିଛି । ଏମସିଏଲର ସୁନ୍ଦରଗଡ଼ ସରକାରୀ କଲେଜ ଛକରୁ-ଶଙ୍କରା ବାଇପାସ ରାସ୍ତାକଡ଼ରେ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ନୂତନ ଆମିଷ ବଜାରରେ କେହି ବ୍ୟବସାୟୀ ଦୋକାନ ଖୋଲି ନାହାନ୍ତି । ସେମାନେ ୧୦ ନମ୍ବର ରାଜ୍ୟ ରାଜପଥର ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ସୁନ୍ଦରଗଡ଼ ବିଧାୟକଙ୍କ ପରିବାରର ରୟତି ଜମିରେ ନୂତନ ଦୋକାନ ଖୋଲି ବ୍ୟବସାୟ ଆରମ୍ଭ କରିଛନ୍ତି । ଫଳରେ ପୌର ପରିଷଦକୁ ଏକ ବଡ଼ ଝଟକା ଲାଗିଛି ।  ସୁନ୍ଦରଗଡ଼ର ଆମିଷ ବଜାର ସହରର ମଧ୍ୟଭାଗରେ ଥିବା ବିର୍ସା ମୁଣ୍ଡା ଛକରୁ ପଞ୍ଚମୁଖୀ ଛକ ରାସ୍ତାରେ ରହିଥିଲା । ଫଳରେ ଉକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ମାଛ, ମାଂସର ବର୍ଜ୍ୟବସ୍ତୁରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହେଉଥିବା ଅଭିଯୋଗ ହୋଇ ଆସୁଥିଲା ।

ସହରବାସୀଙ୍କ ଦାବି କ୍ରମେ ପୌର ପରିଷଦ ପକ୍ଷରୁ ଦୀର୍ଘବର୍ଷ ତଳୁ ଏହାକୁ ସହର ବାହାରକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ବିଭିନ୍ନ କାରଣରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁ ନଥିଲା । ବିଳମ୍ବରେ ହେଲେ ମଧ୍ୟ ପୌର ପରିଷଦ ପକ୍ଷରୁ ଏମ୍‌ସିଏଲର କଲେଜ ଛକରୁ ଶଙ୍କରା ବାଇପାସ ରାସ୍ତାପାଶ୍ୱର୍ରେ ୩୦ ଲକ୍ଷ ବ୍ୟୟ ଅଟକଳରେ ନୂତନ ଆମିଷ ବଜାର ପାଇଁ ଭିତ୍ତିଭୂମି ସ୍ଥାପନ କରାଯାଇଛି । ସେହିପରି ଭିତ୍ତିଭୂମିର ବିକାଶ ପାଇଁ ଏବେ ଆହୁରି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ନୂତନ କୋଲ କରିଡର ରାସ୍ତା କାର୍ଯ୍ୟକାରୀ ହେବାପରେ ଏହି ବାଇପାସ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ କରି ଦିଆଯାଇଛି । ତେଣୁ ଏହି ରାସ୍ତା ସମ୍ପ୍ରତି ଖାଲି ରହିଛି । ସୁନ୍ଦରଗଡ଼ ସହରର ଦ୍ରୁତ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ପୌର ପରିଷଦ ପକ୍ଷରୁ ଆମିଷ ବଜାରକୁ ଏଠାକୁ ସ୍ଥାନାନ୍ତର ଦିଗରେ ପଦକ୍ଷେପ ନିଆଯାଇଥିଲା । ଏହା ସୁନ୍ଦରଗଡ଼ର ୩୫ଜଣ ଆମିଷ ବ୍ୟବସାୟୀଙ୍କୁ ଆବଣ୍ଟନ କରାଯାଇଥିଲା । ପୌରପାଳିକା ପକ୍ଷରୁ ପୁରୁଣା ଦୋକାନ ଛାଡ଼ିବାକୁ ନୋଟିସ ଦିଆଯିବାକୁ ସେମାନେ ବିରୋଧ କରି ସେମାନେ ଗତ ୨୫ ତାରିଖରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ମାଛ, ମାଂସ ଓ କୁକୁଡ଼ା ବ୍ୟବସାୟରେ ପରିଷ୍କାର ପାଣିର ଆବଶ୍ୟକ ଅଧିକ ଥିବାବେଳେ ଏଠାରେ ପାନୀୟ ଜଳ ଓ ବ୍ୟବସାୟ ପାଇଁ ଆବଶ୍ୟକ ପାଣିର ଉପଯୁକ୍ତ ବ୍ୟବସ୍ଥା ନ ଥିବା ଅଭିଯୋଗ କରିଥିଲେ ।

ସେହିପରି ପାଣି ସଂରକ୍ଷଣ ପାଇଁ ୱାଟର ଟ୍ୟାଙ୍କ, ଦୋକାନୀ, କର୍ମଚାରୀ ଓ ଗ୍ରାହକମାନଙ୍କ ପାଇଁ ଶୌଚାଳୟ ଓ ସ୍ନାନାଗାରର ସୁବିଧା ନଥିବା, ବାଡ଼ ନିର୍ମାଣ ଓ ଗ୍ରାଉଣ୍ଡ ତଳ ଅଂଶର କାମ ସମ୍ପୂର୍ଣ୍ଣ ହୋଇନଥିବା, ବର୍ଷା ହେଲେ ପାଣି ଜମି ରହୁଥିବା, ଦୋକାନ ବନ୍ଦ କରିବା ପରେ ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଓ ଅନ୍ୟାନ୍ୟ ଉପକରଣ ରଖିବା ପାଇଁ ବ୍ୟବସ୍ଥା ନଥିବା, ସିସିଟିଭି କ୍ୟାମେରା କିମ୍ବା ସୁରକ୍ଷା କର୍ମୀଙ୍କ ବ୍ୟବସ୍ଥା ନ ଥିବା ଅଭିଯୋଗ ବାଢ଼ିଥିଲେ । ଏହିସବୁ ସମସ୍ୟାର ସମାଧାନ ପରେ ତାଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ ଜଣାଇଥିଲେ । ଏହାର ଦିନକ ପରେ ପ୍ରଶାସନ ପକ୍ଷରୁ ଡୋଜର ଲଗାଇ ତାଙ୍କ ଦୋକାନଗୁଡିକୁ ଉଚ୍ଛେଦ କରାଯାଇଥିଲା । ଏହି ଦୋକାନୀମାନେ ନୂତନ ଆମିଷ ବଜାରରେ ଦୋକାନ ଖୋଲି ନ ଥିଲେ । ବିଧାୟକ ଶ୍ରୀ ସିଂଙ୍କ ସହଯୋଗକ୍ରମେ ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଜମିରେ ସେମାନେ ନୂତନ ଦୋକାନ ଖୋଲି ବ୍ୟବସାୟ ଆରମ୍ଭ କରିଛନ୍ତି ।

ଫଳରେ ପୌରପାଳିକାର ନୂତନ ନିର୍ମାଣ ବାବଦରେ ୩୦ ଲକ୍ଷ ଟଙ୍କା ବରବାଦ ହୋଇଥିବାବେଳେ ଭିତ୍ତିଭୂମିର ବିକାଶ ପାଇଁ ମଞ୍ଜୁର ହୋଇଥିବା ୫୦ ଲକ୍ଷ ଟଙ୍କା ଫେରି ଯିବାର ଆଶଙ୍କା ରହିଛି । ଏ ନେଇ ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର କହିଛନ୍ତି, ଆମିଷ ଦୋକାନୀମାନେ ପୌର ପରିଷଦର ଅନୁମତି ବିନା ଘରୋଇ ଜମିରେ ନୂତନ ବ୍ୟବସାୟ ଆରମ୍ଭ କରିଛନ୍ତି । ମାଛ ମାଂସ ଦୋକାନର ବର୍ଜ୍ୟ ପାଣି ଇବ୍‌ ନଦୀରେ ମିଶୁଛି । ବିଜୁ ପଟ୍ଟନାୟକ ଛକଟି ଦୁର୍ଘଟଣାପ୍ରବଣ ଅଞ୍ଚଳ ହୋଇଥିବାରୁ ଏହି ନୂତନ ଆମିଷ ଦୋକାନ ପରେ ଦୁର୍ଘଟଣା ବୃଦ୍ଧିର ଆଶଙ୍କା ଦେଖା ଦେଇଛି । ଏହି ବେଆଇନ ଆମିଷ ଦୋକାନର ବିଧିବଦ୍ଧ ତଦନ୍ତ ହେବ ବୋଲି ସେ କହିଛନ୍ତି ।

 

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button