ଦେଶ ବିଦେଶ

Agriculture: ଖରିଫରେ ୧୬୭.୧୪ ନିୟୁତ ଟନ ଖାଦ୍ୟଶସ୍ୟ ଉତ୍ପାଦନ

୨୦୨୬-୨୭ ଫସଲ ବର୍ଷରେ ଖରିଫ ଋତୁର ଖାଦ୍ୟଶସ୍ୟ ଉତ୍ପାଦନ ୧୬୭.୧୪ ନିୟୁତ ଟନ ରହିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ପ୍ରଥମ ଅଗ୍ରିମ ଆକଳନରେ ଏହା କୁହାଯାଇଛି।

ନୂଆଦିଲ୍ଲୀ: ୨୦୨୬-୨୭ ଫସଲ ବର୍ଷରେ ଖରିଫ ଋତୁର ଖାଦ୍ୟଶସ୍ୟ ଉତ୍ପାଦନ ୧୬୭.୧୪ ନିୟୁତ ଟନ ରହିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ପ୍ରଥମ ଅଗ୍ରିମ ଆକଳନରେ ଏହା କୁହାଯାଇଛି। ୨୦୨୫-୨୬ରେ ଖରିଫ ଫସଲ ପାଇଁ ହୋଇଥିବା ୧୭୩.୩୩ ନିୟୁତ ଟନ୍‌ର ପ୍ରଥମ ଅଗ୍ରିମ ଆକଳନ ତୁଳନାରେ ଏହା ୬.୧୯ ନିୟୁତ ଟନ୍‌ କମ୍‌। କିନ୍ତୁ ଗତବର୍ଷର ଦ୍ବିତୀୟ ଅଗ୍ରିମ ଆକଳନରେ ଏହା ୧୭୪.୧ ନିୟୁତ ଟନ୍‌ ରହିବ ବୋଲି ଆକଳନ କରାଯାଇଥିଲା। ଏଲ୍‌ନିନୋ ଓ ଖରାପ ମୌସୁମୀ ବର୍ଷା ପ୍ରଭାବ ସତ୍ତ୍ବେ ଫସଲ ଉତ୍ପାଦନ ନେଇ ଏହି ଆକଳନ କରାଯାଇଛି। ଅନ୍ୟପକ୍ଷରେ ୨୦୨୫-୨୬ ବର୍ଷ ପାଇଁ ପ୍ରକାଶିତ ସଂପୂର୍ଣ୍ଣ ତଥ୍ୟରେ ଫସଲ ଉତ୍ପାଦନ ରେକର୍ଡ ୩୭୮.୫୩ ନିୟୁତ ଟନ ରହିଛି। ୨୦୨୪-୨୫ ତୁଳନାରେ ଏହା ୨୦.୮ ନିୟୁତ ଟନ ଅଧିକ।

ବିଳମ୍ବ ହୋଇଥିଲା ବୁଣାବୁଣି 
ଆମେ ଏଲ୍‌ନିନୋ ଓ ନିଅଣ୍ଟିଆ ମୌସୁମୀ ବର୍ଷାର ସମ୍ମୁଖୀନ ହୋଇଛୁ। ଜୁନରେ ସ୍ବାଭାବିକଠାରୁ ୩୫ରୁ ୪୦ ପ୍ରତିଶତ କମ୍‌ ମୌସୁମୀ ବର୍ଷା ହୋଇଥିଲା। ଏଥିପାଇଁ ବୁଣାବୁଣି ବିଳମ୍ବ ହୋଇଥିଲା। ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ମୃତ୍ତିକା ଆର୍ଦ୍ରତାଜନିତ ଚାପ ଦେଖାଦେଇଥିଲା। ଏସବୁ ସତ୍ତ୍ବେ ଖରିଫ ଫସଲ ଉତ୍ପାଦନ ବିଗତ ୫ ବର୍ଷର ହାରାହାରି ଉତ୍ପାଦନ ତୁଳନାରେ ଅଧିକ ରହିବା ନେଇ ଆକଳନ କରାଯାଇଛି। ଏହା ଭାରତୀୟ କୃଷିର ଦୃଢ଼ତାକୁ ଦର୍ଶାଉଛି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସାମ୍ବାଦିକମାନଙ୍କୁ କହିଛନ୍ତି।

ଖରିଫରେ ଧାନ ଉତ୍ପାଦନ ୧୨୧.୯ ନିୟୁତ ଟନ ରହିବ। ମୋଟା ଓ ପୁଷ୍ଟିକର ଶସ୍ୟ ଉତ୍ପାଦନ ୩୮.୧୦ ନିୟୁତ ଟନ, ମକା ଉତ୍ପାଦନ ୨୬.୦୬ ନିୟୁତ ଟନ ଏବଂ ବାଜରା ଉତ୍ପାଦନ ୮.୯୪ ନିୟୁତ ଟନରେ ରହିବ। ଖରିଫରେ ଡାଲି ଉତ୍ପାଦନ ୭.୧୩ ନିୟୁତ ଟନ, ତୈଳବୀଜ ଉତ୍ପାଦନ ୨୩.୯୪ ନିୟୁତ ଟନ ରହିବ, ଆଖୁ ଉତ୍ପାଦନ ୪୫୪.୩୩ ନିୟୁତ ଟନ, କପା ଉତ୍ପାଦନ ୨୪.୮୬ ନିୟୁତ ଟନ ରହିବ ବୋଲି ଆକଳନ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button