ଦେଶ ବିଦେଶ

Journalist: ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମାମଲାର ଶୁଣାଣି: ‘ଆତ୍ମଘୋଷିତ ସାମ୍ବାଦିକଙ୍କୁ ସ୍ୱୀକୃତିପ୍ରାପ୍ତଙ୍କ ଭଳି ସୁରକ୍ଷା ମିଳିବନି’

ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିସନରଙ୍କ (ସିଇସି) ବିରୋଧରେ ହୋଇଥିବା ବିକ୍ଷୋଭ ସମୟରେ ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଉପରେ ଦାଖଲ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ....

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିସନରଙ୍କ (ସିଇସି) ବିରୋଧରେ ହୋଇଥିବା ବିକ୍ଷୋଭ ସମୟରେ ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଉପରେ ଦାଖଲ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ  ବିଚାରପତି ଜୟମାଲ୍ୟ ବାଗଚୀ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ଯେ ଆତ୍ମଘୋଷିତ ସାମ୍ବାଦିକମାନେ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ଭଳି ସମାନ ସ୍ତରର ସୁରକ୍ଷା ପାଇପାରିବେ ନାହିଁ।

ବିଚାରପତି ବାଗଚୀ ପର୍ଯ୍ୟବେକ୍ଷଣ କରି କହିଛନ୍ତି, ‘ସାମ୍ବାଦିକର ମାନ୍ୟତା ସ୍ୱୟଂ-ପ୍ରଦତ୍ତ ନୁହେଁ। ଯଦି ଆପଣ କୌଣସି ଖବରକାଗଜ କିମ୍ବା ଛାପା ଗଣମାଧ୍ୟମର ସାମ୍ବାଦିକ, ତେବେ ଆପଣ ପ୍ରେସ୍ କାଉନସିଲ୍ ଅଧୀନରେ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ। ଯଦି ଆପଣ ସେହି ଖବରକାଗଜର ଟିଭି ଚ୍ୟାନେଲରେ ଅଛନ୍ତି, ତେବେ ସେହି ଅନୁଯାୟୀ ସ୍ୱୀକୃତିପ୍ରାପ୍ତ। ଆପଣ ଜଣେ ଅନ୍‌ଲାଇନ୍ ସାମ୍ବାଦିକ ମଧ୍ୟ ହୋଇପାରନ୍ତି ଏବଂ ଆପଣଙ୍କର ପଞ୍ଜୀକରଣ ଥାଇପାରେ। ଆମେ ଏବେ ଏପରି ଏକ ସମୟରେ ଅଛୁ, ଯେଉଁଠାରେ ବ୍ୟକ୍ତିଗତ ସ୍ତରରେ ଲୋକମାନେ ନିଜକୁ ସାମ୍ବାଦିକ ବୋଲି ଦାବି କରୁଛନ୍ତି। ଆତ୍ମଘୋଷିତ ସାମ୍ବାଦିକମାନଙ୍କୁ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ଭଳି ସମାନ ସୁରକ୍ଷା ମିଳିନପାରେ।’ ସୂଚନାଯୋଗ୍ୟ, ବିକ୍ଷୋଭ ଖବର ସଂଗ୍ରହ ସମୟରେ ‘ରିଲ୍ ନିର୍ମାତା’ ଏବଂ ‘କଣ୍ଟେଣ୍ଟ ନିର୍ମାତା’ମାନେ ସାମ୍ବାଦିକମାନଙ୍କୁ ମିଳୁଥିବା ସୁରକ୍ଷା ଦାବି କରିପାରିବେ ନାହିଁ ବୋଲି ଦିଲ୍ଲୀ ପୁଲିସ ଆଗରୁ ସ୍ପଷ୍ଟ କରିସାରିଛି।

ବିଚାରପତି ବାଗଚୀ କହିଛନ୍ତି, ପ୍ରଥମେ ସାମ୍ବାଦିକଙ୍କ ସଂଜ୍ଞା ନିରୂପଣ କରିବାକୁ ହେବ। ଜଣେ ପ୍ରେସ୍ କାଉନସିଲ୍ ଅଧୀନରେ ପଞ୍ଜୀକୃତ ବୃତ୍ତିଗତ ସାମ୍ବାଦିକ, ପଞ୍ଜୀକୃତ ଖବରକାଗଜ ବା ଟିଭି ଚ୍ୟାନେଲରେ କାର୍ଯ୍ୟରତ ବ୍ୟକ୍ତି, ନା ସାମାଜିକ ଗଣମାଧ୍ୟମରେ ରିଲ୍ ତିଆରି କରି ନାଗରିକଙ୍କ ମୁଖପାତ୍ର ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ସାମ୍ବାଦିକ କୁହାଯିବ, ତାହା ସ୍ଥିର କରିବାକୁ ପଡ଼ିବ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button