Mother’s affection: ଖାକି ପିନ୍ଧିଲେ କ’ଣ ମାଆର ମମତା ମରିଯାଏ?
‘ଖାକି ପୋଷାକ ପିନ୍ଧିଛନ୍ତି ବୋଲି କ’ଣ ମା’ ହେବାର ଅଧିକାର ହରାଇ ବସିବେ? ସରକାରୀ ଦାୟିତ୍ୱ ତୁଲାଉଥିବା ଜଣେ ମହିଳା କନେଷ୍ଟବଳ ନିଜ ଅସୁସ୍ଥ ଛୁଆକୁ ଡାକ୍ତର ଦେଖାଇବା ପାଇଁ ଛୁଟି ମାଗିଲେ। ହେଲେ ତାଙ୍କୁ ଛୁଟି ମିଳିଲାନି।’

ବାଲେଶ୍ବର: ‘ଖାକି ପୋଷାକ ପିନ୍ଧିଛନ୍ତି ବୋଲି କ’ଣ ମା’ ହେବାର ଅଧିକାର ହରାଇ ବସିବେ? ସରକାରୀ ଦାୟିତ୍ୱ ତୁଲାଉଥିବା ଜଣେ ମହିଳା କନେଷ୍ଟବଳ ନିଜ ଅସୁସ୍ଥ ଛୁଆକୁ ଡାକ୍ତର ଦେଖାଇବା ପାଇଁ ଛୁଟି ମାଗିଲେ। ହେଲେ ତାଙ୍କୁ ଛୁଟି ମିଳିଲାନି।’ ଏହିଭଳି କଥା କହି ବାଲେଶ୍ୱରର ଜଣେ ମହିଳା ଟ୍ରାଫିକ୍ କନେଷ୍ଟବଳ କାନ୍ଦିବା ଏବଂ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଘଟଣା ସମ୍ପର୍କରେ ପଚାରି ବୁଝିବା ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଡିଜି ବିନୟତୋଷ ମିଶ୍ର ଘଟଣାରେ ହସ୍ତକ୍ଷେପ କରିଛନ୍ତି।
ଗତକାଲି ରାତି ପାଖାପାଖି ୧୦ଟା ସମୟରେ ମହିଳା କନେଷ୍ଟବଳ ବାଲେଶ୍ବର ଟ୍ରାଫିକ୍ ଥାନା ନିକଟରେ ଠିଆ ହୋଇ କାନ୍ଦୁଥିଲେ। ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଳେଶ୍ବରରୁ ଫେରୁଥିବାବେଳେ କୌଣସି କାମ ପାଇଁ ଟ୍ରାଫିକ୍ ଥାନା ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ମହିଳା କନେଷ୍ଟବଳ ଜଣକ କାନ୍ଦି କାନ୍ଦି ଆସି ଶ୍ରୀମତୀ ମହାନ୍ତିଙ୍କୁ ସମସ୍ୟା ଜଣାଇଥିଲେ। ମହିଳା କନେଷ୍ଟବଳ ଆହୁରି ଅଭିଯୋଗ କରିଥିଲେ, ବିଭାଗରେ ବରିଷ୍ଠ ଅଧିକାରୀ ନିଜ ପିଲାର ଜନ୍ମଦିନ ପାଳନ କରୁଥିବାବେଳେ ତାଙ୍କ ଛୁଆ ଦେହ ଅସୁସ୍ଥ ଥାଇ ମଧ୍ୟ ଛୁଟି ଦେଉ ନାହାନ୍ତି। ଶ୍ରୀମତୀ ମହାନ୍ତି ତାଙ୍କୁ ବୁଝାସୁଝା କରି ଭୁବନେଶ୍ବର ଫେରି ଯାଇଥିଲେ।
ଛୁଆକୁ ଡାକ୍ତର ଦେଖାଇବାକୁ ମିଳିଲାନି ଛୁଟି
ମହିଳା କମିସନ ଅଧ୍ୟକ୍ଷାଙ୍କ ଆଗରେ କାନ୍ଦିକାନ୍ଦି କଲେ ଗୁହାରି
ଆଜି ଏହା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଘଟଣାକୁ କେନ୍ଦ୍ର କରି ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ ପୁଲିସ ସାଧାରଣ ଲୋକଙ୍କୁ ନ୍ୟାୟ ଓ ସୁରକ୍ଷା ଦେବାର ଦାୟିତ୍ୱ ନେଇଛି, ସେହି ବିଭାଗର ଜଣେ ମହିଳା କର୍ମଚାରୀ ନିଜ ଛୁଆର ଚିକିତ୍ସା ପାଇଁ ଛୁଟି ନପାଇ ରାସ୍ତାରେ କାନ୍ଦିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି। ବାଲେଶ୍ବରର ଅତିରିକ୍ତ ଏସ୍ପି ଦେବଜ୍ୟୋତି ଦାଶ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ପୁଲିସ ବିଭାଗ ଅଭିଯୋଗ ଉପରେ ତଦନ୍ତ କରିବ। ଯାହା ଫଳାଫଳ ଆସିବ ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’
ସୌଜନ୍ୟ ସମ୍ବାଦ




