ରାଜ୍ୟ

Sarathi Baba: ପୂର୍ବ ସର୍ତ୍ତରେ ପରିବର୍ତ୍ତନ, ୫ହଜାର ଲୋକଙ୍କ ଉପସ୍ଥିତିରେ ପ୍ରବଚନ ପାଇଁ ସାରଥିଙ୍କ ତରଫରୁ ଦାୟର ଆବେଦନ ହାଇକୋର୍ଟରୁ ପ୍ରତ୍ୟାହୃତ

ପୂର୍ବ ସର୍ତ୍ତରେ ପରିବର୍ତ୍ତନ କରି ୫ହଜାର ଲୋକଙ୍କ ଉପସ୍ଥିତିରେ ପ୍ରବଚନ ପ୍ରଦାନ ଲାଗି ଅନୁମତି ପାଇଁ ବାବା ସାରଥି ଓରଫ ସନ୍ତୋଷ କୁମାର ରାଉଳ ହାଇକୋର୍ଟରେ ଦାୟର କରିଥିବା ଅନ୍ତରୀଣ ଆବେଦନ ପ୍ରତ୍ୟାହୃତ ହୋଇଛି।

କଟକ: ପୂର୍ବ ସର୍ତ୍ତରେ ପରିବର୍ତ୍ତନ କରି ୫ହଜାର ଲୋକଙ୍କ ଉପସ୍ଥିତିରେ ପ୍ରବଚନ ପ୍ରଦାନ ଲାଗି ଅନୁମତି ପାଇଁ ବାବା ସାରଥିଓରଫ ସନ୍ତୋଷ କୁମାର ରାଉଳ ହାଇକୋର୍ଟରେ ଦାୟର କରିଥିବା ଅନ୍ତରୀଣ ଆବେଦନ ପ୍ରତ୍ୟାହୃତ ହୋଇଛି। ୨୦୧୭, ଅଗଷ୍ଟ ୪ରେ ହାଇକୋର୍ଟ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ସାରଥିଙ୍କୁ ଜାମିନ ମଞ୍ଜୁର କରିବା ବେଳେ ୭ଟି ସର୍ତ୍ତ ରଖିଥିଲେ। ଯେଉଁଠି ବି ସାରଥି ରୁହନ୍ତୁ ସେ କୌଣସି ପ୍ରକାର ସଭା ସମିତି ଓ ଧାର୍ମିକ ଅନୁଷ୍ଠାନରେ ଉଦବୋଧନ/ପ୍ରବଚନ ଦେଇ ପାରିବେ ନାହିଁ। ଶ୍ରଦ୍ଧାଳୁ କିମ୍ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକାଠି କରି ଉଦବୋଧନ ଦେଇ ପାରିବେ ନାହିଁ ବୋଲି ସର୍ତ୍ତାରୋପ କରାଯାଇଥିଲା। ଏହି ସର୍ତ୍ତରେ ସଂଶୋଧନ ‌ଲୋଡ଼ି ସାରଥି ଦାୟର କରିଥିବା ଅନ୍ତରୀଣ ଆବେଦନର ହାଇକୋର୍ଟ ୨୦୨୧, ଫେବ୍ରୁଆରି ୧୫ରେ ଶୁଣାଣି କରି ପ୍ରବଚନ ପାଇଁ ଅନୁମତି ଦେଇଥିଲେ। ୨୦୧୭, ଅଗଷ୍ଟ ୪ର ନିର୍ଦ୍ଦେଶରେ ଥିବା ଏ ସଂପର୍କିତ ସର୍ତ୍ତକୁ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ହାଇକୋର୍ଟ ୨୦୨୧, ଜୁଲାଇ ୧ରୁ ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍ବାଧିକ ୨ଶହ ଲୋକଙ୍କ ଉପସ୍ଥିତିରେ ସେ ପ୍ରବଚନ ଦେଇ ପାରିବେ ବୋଲି ହାଇକୋର୍ଟ କହିଥିଲେ। ଏହି ସର୍ତ୍ତରେ ସଂଶୋଧନ କରି ୨ଶହ ବଦଳରେ ୫ହଜାର ଅନୁଗାମୀଙ୍କୁ ପ୍ରବଚନ/ଧର୍ମ ଉପଦେଶ ପ୍ରଦାନ ପାଇଁ ଅନୁମତି ପ୍ରଦାନ କରାଯାଉ ବୋଲି ଦର୍ଶାଇ ଗତ ୨୦୨୬, ସେପ୍ଟେମ୍ବର ଶେଷ ସପ୍ତାହରେ ସାରଥି ଏହି ଅନ୍ତରୀଣ ଆବେଦନ ଦାୟର କରିଥିଲେ। ଏଥି ସହିତ ଯେଉଁ ସ୍ଥାନରେ ରହିବେ ସେ ସ˚ପର୍କରେ ଫୋନ ନମ୍ବର ସହିତ ତଥ୍ୟ ମୁଦା ଲଫାପାରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବା ପାଇଁ ୨୦୧୭, ଅଗଷ୍ଟ ୪ର ନିର୍ଦ୍ଦେଶରେ ରହିଥିବା ସର୍ତ୍ତକୁ ଉଠାଇବାକୁ ଏହି ଅନ୍ତରୀଣ ଆବେଦନରେ ସାରଥିଙ୍କ ତରଫରୁ ପ୍ରାର୍ଥନା କରାଯାଇଥିଲା। ସେ ଏହି ସର୍ତ୍ତ ପାଳନ କରି ଆସୁଛନ୍ତି ଓ ଇତି ମଧ୍ୟରେ ସ୍ବତନ୍ତ୍ର ଅଦାଲତରେ ମାମଲାର ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇ ସାରିଛି ବୋଲି ଅନ୍ତରୀଣ ଆବେଦନରେ ଦର୍ଶାଯାଇଥିଲା। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅନ୍ତରୀଣ ଆବେଦନର ଶୁଣାଣି ହୋଇଥିଲା। ଏହି ଅନ୍ତରୀଣ ଆବେଦନ ପ୍ରସଂଗରେ ‌ସେ ଆଗକୁ ବଢ଼ିବାକୁ ଚାହୁଁ ନାହାଁନ୍ତି ଓ ଏକ ଉତ୍ତମ ଆବେଦନ ଦାଖଲ କରିବାକୁ ଅନୁମତି ଦିଆଯାଉ ବୋଲି ସାରଥିଙ୍କ ତରଫରୁ ଦର୍ଶାଯାଇଥିଲା। ଏହାପରେ ହାଇକୋର୍ଟ ଅନ୍ତରୀଣ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୫, ଅଗଷ୍ଟ ୮ରେ ସାରଥିଙ୍କୁ କ୍ରାଇମବ୍ରାଞ୍ଚ୍‌ ଗିରଫ୍‌ କରିଥିଲା। ବିବାଦୀୟ ଡାକ୍ତର ଛାତ୍ରୀଙ୍କ ମାମଲାରେ ସାରଥିଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ୨୦୧୭, ଅଗଷ୍ଟ ୪ରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। କେନ୍ଦ୍ରାପଡା ଏସଡିଜେଏମ୍ ଅଦାଲତରେ ବିଚାରାଧୀନ ମାମଲାରେ ସାରଥିଙ୍କୁ ୨୦୧୯, ଜୁଲାଇ ୨୨ରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ।

ଜାମିନ ମଞ୍ଜୁର କରିବା ବେଳେ ୭ଟି ସର୍ତ୍ତ ରଖିଥିଲେ

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୭, ଅଗଷ୍ଟ ୪ରେ ହାଇକୋର୍ଟ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ସାରଥିଙ୍କୁ ଜାମିନ ମଞ୍ଜୁର କରିବା ବେଳେ ୭ଟି ସର୍ତ୍ତ ରଖିଥିଲେ। ଜେଲରୁ ବାହାରିବା ବେଳେ ସେ କୌଣସି ପ୍ରକାର ଶୋଭାଯାତ୍ରା ବାହାର କରି ପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ। ସାରଥିଙ୍କ କେନ୍ଦ୍ରାପଡା ତଥା ବାରିମୂଳ ଆଶ୍ରମ ଗସ୍ତ ଉପରେ ଅଙ୍କୁଶ ଜାରି କରାଯାଇଥିଲା। ଯେଉଁଠି ବି ସାରଥି ରୁହନ୍ତୁ ସେ କୌଣସି ପ୍ରକାର ସଭା ସମିତି ଓ ଧାର୍ମିକ ଅନୁଷ୍ଠାନରେ ଉଦବୋଧନ/ପ୍ରବଚନ ଦେଇ ପାରିବେ ନାହିଁ। ଯେଉଁ ସ୍ଥାନରେ ରହିବେ ସେ ସ˚ପର୍କରେ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଅବଗତ କରିବେ। ଠିକଣା ଓ ଟେଲିଫୋନ୍ ନମ୍ବର ସିଲ୍ କଭରରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ଅଦାଲତରେ ମାମଲା ଶୁଣାଣି ବେ‌େଳ ଯେତେବେଳେ ଆବଶ୍ୟକ ବ୍ୟକ୍ତିଗତ ଭାବେ ହାଜର ହେବେ। ତଦନ୍ତକାରୀ ଅଧିକାରୀଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ। ଯଦି କୌଣସି ସର୍ତ୍ତର ଖିଲାପ କରନ୍ତି ତେବେ ତାଙ୍କ ଜାମିନ ରଦ୍ଦ କରାଯିବ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button