କଟକ: ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଦୁଇ ଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ କଟକ ମେୟର୍ ସୁବାସ ସିଂହ। ଯଦି ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି ମିଳେ ତେବେ ବାଲିଯାତ୍ରା ଡିସେମ୍ବର ୧ ତାରିଖ ପରିବର୍ତ୍ତେ ଆସନ୍ତା ୩ ତାରିଖ ଦିନ ଉଦ୍ଯାପିତ ହେବ। ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀମାନଙ୍କ କାରବାରକୁ ନଜରରେ ରଖି ମେୟର ଏହାର ଅବଧି ବୃଦ୍ଧି ଲାଗି ଅନୁରୋଧ କରିଛନ୍ତି।
ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ। ଏହି ଦିଗରେ ଆମେ ଅଗ୍ରସର ହେଉଛେ। ଭାରତର ଅର୍ଥନୈତିକ ଦୃଢ଼ତା ତାହାର ଉଦାହରଣ ବୋଲି କଟକର ଐତିହାସିକ ବାଲିଯାତ୍ରାକୁ ଉଦ୍ଘାଟନ କରିବା ଅବସରରେ କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ ପୁଞ୍ଜିପତିମାନେ ଏବେ ଓଡ଼ିଶା ପ୍ରତି ଆକୃଷ୍ଟ ହେଉଛନ୍ତି। ଓଡ଼ିଶାରେ ଛୋଟବଡ଼ ଶିଳ୍ପ ତିଆରି ହେଲାଣି। ଓଡ଼ିଶାର ଗୌରବମୟ ଇତିହାସକୁ ଆଧାର କରି ବାଲିଯାତ୍ରା ପାଳନ କରାଯାଉଛି। ଇତିହାସକୁ ନେଇ ଉତ୍ସବ ପାଳନ କରିବା ଓଡ଼ିଶାବାସୀଙ୍କ ସୃଜନଶୀଳତାର ପ୍ରତିଫଳନ। ଯେଉଁମାନେ ସମୁଦ୍ରର ତରଙ୍ଗକୁ ଆୟତ୍ତ କରିପାରନ୍ତି, ସେମାନେ ସାରା ବିଶ୍ବରେ ଶାସନ କରନ୍ତି। ଆମ ପୂର୍ବ ପୁରୁଷମାନେ ଏହି ଉକ୍ତିକୁ ଯଥାର୍ଥ କରିପାରିଥିଲେ। ତେଣୁ ଯୁବପିଢ଼ିମାନେ ସାଧବମାନଙ୍କ ଦକ୍ଷତା ଓ ସାହସରୁ ଶିକ୍ଷାଲାଭ କରନ୍ତୁ ବୋଲି ରାଷ୍ଟ୍ରପତି କହିଥିଲେ। ଓଡ଼ିଶା ଓ ଇଣ୍ଡୋନେସିଆ ବାଲି ମଧ୍ୟରେ ଥିବା ସଂପର୍କକୁ ଅଧିକ ମଜଭୁତ କରିବା ପାଇଁ ଦୁଇ ଦେଶ ମଧ୍ୟରେ କେବଳ ସ୍ମୃତିକୁ ସାଇତି ରଖିବା ପରିବର୍ତ୍ତେ ବାଣିଜ୍ୟିକ ଓ ସାଂସ୍କୃତିକ ସହଯୋଗକୁ ଦୃଢ କରିବାକୁ ଆହ୍ବାନ ଦେବା ସହିତ ଏହା ଦ୍ବାରା ଉଭୟ ଦେଶ ମଧ୍ୟରେ ଆନ୍ତର୍ଜାତିକ ଓ କୂଟନୈତିକ ସଂପର୍କ ସୁଦୃଢ଼ ହେବ ବୋଲି ରାଷ୍ଟ୍ରପତି କହିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ବ୍ରଜମୋହନ ରାମ କହିଥିଲେ, ବୋଇତ କେବଳ ବ୍ୟାପାରର ସାଧନ ନୁହେଁ, ବରଂ ସାଂସ୍କୃତିକ ଆଦାନ ପ୍ରଦାନର ମାଧ୍ୟମ।
ଅନ୍ୟତମ ଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, କଟକ ତାରକସି କାମ ଏବେ ବି ସାରା ବିଶ୍ବରେ ଚର୍ଚ୍ଚିତ। ପ୍ରଧାନମନ୍ତ୍ରୀ ବିଦେଶର ପ୍ରତିନିଧିଙ୍କୁ ଉପହାରରେ ତାରକସିର ବୋଇତ ଦେଉଛନ୍ତି। ଏଥିପାଇଁ ଆମେ ଗର୍ବିତ। ଖୁବ୍ଶୀଘ୍ର କଟକର ବିକାଶ ପାଇଁ ମହାନଦୀ ରିଭର୍ଫ୍ରଣ୍ଟ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଶ୍ବସ୍ତରୀୟ ଏସ୍ସିବି ମେଡିକାଲ ମଧ୍ୟ ଉଦ୍ଘାଟିତ ହେବ। ଏଥିସହିତ ୧୮୦୦ ଶଯ୍ୟା ବିଶିଷ୍ଟ ଆଉ ଏକ ୩୨ ମହଲା କୋଠା ନିର୍ମାଣ ହେବ। ବାରବାଟୀ ଷ୍ଟାଡିୟମ୍ର ନବୀକରଣ କରାଯାଇ ୬୦ ହଜାର ଦର୍ଶକ ବସିବା ଭଳି କ୍ଷମତା ସୃଷ୍ଟି କରାଯିବ। ମା’ କଟକଚଣ୍ଡୀଙ୍କ ଭବ୍ୟ ମନ୍ଦିର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ। କଟକର ମୁଣ୍ଡଳିଠାରେ ସେମିକଣ୍ଡକ୍ଟର ହବ୍ ଓ ଡାଟା ସେଣ୍ଟର ଖୋଲାଯିବ। ଆପାରେଲ୍ ଓ ଟେକ୍ସଟାଇଲ୍ କ୍ଷେତ୍ରରେ କଟକ ବହୁତ ଆଗକୁ ଯାଉଛି। ତେଣୁ ବିକଶିତ ଓଡ଼ିଶା ସ୍ବପ୍ନରେ କଟକର ବଡ଼ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୂଆ ଦିଗ ଖୋଜିବାର କୌଶଳ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟକ ହେବ। ଯୁବପିଢ଼ିମାନେ ସାଧବଙ୍କଠୁ ସାହସ, ଆତ୍ମବିଶ୍ବାସ, ଜିଜ୍ଞାସା, ଉଦ୍ୟମଶୀଳତାରୁ ପ୍ରେରଣା ନିଅନ୍ତୁ। ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବହୁଦିନରୁ ସାଂସ୍କୃତିକ ସଂପର୍କ ରହିଛି। ବାଲିଯାତ୍ରା ଏହି ଉଦ୍ଦେଶ୍ୟକୁ ଅଧିକ ଶକ୍ତି ଯୋଗାଇବ। ପର୍ଯ୍ୟଟନ, ଶିକ୍ଷା, କଳା, ସଂସ୍କୃତି ଇତ୍ୟାଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସଂପର୍କ ଅଧିକ ନିବିଡ଼ ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ।
କଟକ ତାରକସି କାମ ଏବେ ବି ସାରା ବିଶ୍ବରେ ଚର୍ଚ୍ଚିତ
କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କ ସହିତ ଅନ୍ୟ ଅତିଥିମାନେ କଳିଙ୍ଗ ତରଙ୍ଗିଣୀରେ ସିଲଭର ସିଟି ବୋଟ୍ କ୍ଲବ୍ରୁ କଟକ ଇନ୍ କଟକ ପର୍ଯ୍ୟନ୍ତ ଆସିଥିଲେ। ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଡଙ୍ଗା ଭସାଇଥିଲେ। ଅତିଥିମାନେ ଜାତୀୟସ୍ତରୀୟ ପଲ୍ଲିଶ୍ରୀମେଳାକୁ ଉଦ୍ଘାଟନ କରିଥିଲେ। ଟେରାକୋଟା କାରିଗରଙ୍କ ସହିତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ଇଣ୍ଡୋନେସିଆ ଦୂତାବାସର ଚାର୍ଜ ଡି’ ଆଫାୟାର୍ସ ୟୁଧୋ ସାସୋଙ୍ଗକୋ, କଟକ ସାଂସଦ ଭର୍ତ୍ତୃହରି ମହତାବ, ମେୟର ସୁବାସ ସିଂହ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବାରବାଟୀ-କଟକ ବିଧାୟକ ସୋଫିଆ ଫିର୍ଦ୍ଦୋସ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଞ୍ଚାସୀନ ଥିଲେ। ଏହି ଅବସରରେ ବାଲିଯାତ୍ରାର ସ୍ମରଣିକା ଉନ୍ମୋଚିତ ହୋଇଥିଲା।
ସୌଜନ୍ୟ ସମ୍ବାଦ