ବିଶେଷ

A human face: ୩ ଲକ୍ଷ ବର୍ଷ ତଳର ମଣିଷ ମୁହଁ

ପ୍ରାୟ ୩ ଲକ୍ଷ ୧୫ ହଜାର ବର୍ଷ ପୂର୍ବେ ପୃଥିବୀରେ ବାସ କରୁଥିବା ଆଧୁନିକ ମଣିଷ ବା ବୈଜ୍ଞାନିକ ଭାଷାରେ ‘ହୋମୋ ସାପିଏନ୍‌ସ’ଙ୍କ ଚେହେରା କେମିତି ଥିଲା? ସେମାନଙ୍କ ଆଖି, ନାକ ଓ ମୁହଁର ଗଠନ ଆଜିର ମଣିଷଙ୍କ ପରି ଥିଲା କି?

ପ୍ରାୟ ୩ ଲକ୍ଷ ୧୫ ହଜାର ବର୍ଷ ପୂର୍ବେ ପୃଥିବୀରେ ବାସ କରୁଥିବା ଆଧୁନିକ ମଣିଷ ବା ବୈଜ୍ଞାନିକ ଭାଷାରେ ‘ହୋମୋ ସାପିଏନ୍‌ସ’ଙ୍କ ଚେହେରା କେମିତି ଥିଲା? ସେମାନଙ୍କ ଆଖି, ନାକ ଓ ମୁହଁର ଗଠନ ଆଜିର ମଣିଷଙ୍କ ପରି ଥିଲା କି? ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ବୈଜ୍ଞାନିକମାନେ ଡିଜିଟାଲ୍ ପ୍ରଯୁକ୍ତିର ସାହାଯ୍ୟ ନେଇଛନ୍ତି। ମରକ୍କୋର ଜେବେଲ୍ ଇରହୁଦ୍‌ରୁ ମିଳିଥିବା ପ୍ରାଚୀନ ଜୀବାଶ୍ମ ଆଧାରରେ ସେମାନେ ଏକ ମୁହଁର ୩ଡି ଚିତ୍ର ପ୍ରସ୍ତୁତ କରିଛନ୍ତି। ଏହି ଚିତ୍ରର ଅନେକ ବୈଶିଷ୍ଟ୍ୟ ଆଜିର ମଣିଷଙ୍କ ସହ ମେଳ ଖାଉଛି।

ଉତ୍ତର ଆଫ୍ରିକାର ମରକ୍କୋସ୍ଥିତ ଜେବେଲ୍ ଇରହୁଦ୍ ଅଞ୍ଚଳରୁ ମଣିଷର ହାଡ଼ ଓ ପଥର ଉପକରଣ ମିଳିଥିଲା। ୧୯୬୦ ଦଶକରେ ଏଠାରୁ ପ୍ରଥମ ଖପୁରି ଆବିଷ୍କୃତ ହୋଇଥିଲା। ପରେ ଅଧିକ ଖନନ କରାଯିବାରୁ ଅନ୍ୟ ଜୀବାଶ୍ମ ମଧ୍ୟ ମିଳିଥିଲା। ୨୦୧୭ରେ ପ୍ରକାଶିତ ଗବେଷଣା ଅନୁସାରେ, ଏହି ଜୀବାଶ୍ମଗୁଡ଼ିକ ପ୍ରାୟ ୩ ଲକ୍ଷ ୧୫ ହଜାର ବର୍ଷ ପୁରୁଣା। ଏହି ଆବିଷ୍କାର ମଣିଷର ଉତ୍ପତ୍ତି ଓ ବିବର୍ତ୍ତନ ସମ୍ପର୍କରେ ବୈଜ୍ଞାନିକଙ୍କ ଧାରଣାକୁ ନୂଆ ଦିଗ ଦେଇଥିଲା। ୩ଡି ଡିଜାଇନର୍ ସିସେରୋ ମୋରାଏସ୍ ଓ ତାଙ୍କ ସହଯୋଗୀମାନେ ଜୀବାଶ୍ମର ବିଭିନ୍ନ ଅଂଶ ଓ କମ୍ପ୍ୟୁଟର୍ ପ୍ରଯୁକ୍ତି ବ୍ୟବହାର କରି ମୁହଁଟିର ପୁନଃନିର୍ମାଣ କରିଥିଲେ। ଏହି ମଡେଲ୍‌ର ଖପୁରି ଗହ୍ବରର ଆୟତନ ପ୍ରାୟ ୧,୩୬୪ ମିଲିଲିଟର ବୋଲି ଆକଳନ କରାଯାଇଥିଲା।

ପୁନଃନିର୍ମିତ ମୁହଁରେ ଆଜିର ମଣିଷଙ୍କ ସହ କିଛି ସାମଞ୍ଜସ୍ୟ ଦେଖିବାକୁ ମିଳୁଛି। ତେବେ ସେମାନଙ୍କ ଚର୍ମର ରଙ୍ଗ, କେଶ ଓ ଦାଢ଼ି କେମିତି ଥିଲା, ତାହା ନିଶ୍ଚିତ ଭାବେ ଜାଣିବା ସମ୍ଭବ ନୁହେଁ। ତେଣୁ ଏହି ଚିତ୍ରକୁ ପ୍ରକୃତ ଚେହେରାର ଅବିକଳ ରୂପ ନୁହେଁ, ବରଂ ବୈଜ୍ଞାନିକ ତଥ୍ୟ ଆଧାରିତ ଏକ ମଡେଲ୍‌ ବୋଲି କୁହାଯାଇପାରେ। ଏହି ଗବେଷଣାରୁ ଜଣାପଡ଼ୁଛି ଯେ ଆଜିର ମଣିଷଙ୍କ ଶାରୀରିକ ଗଠନ ଦୀର୍ଘ ସମୟ ଧରି ଧୀରେ ଧୀରେ ବିକଶିତ ହୋଇଛି। ମୁହଁର କିଛି ଅଂଶ ଆଧୁନିକ ମଣିଷଙ୍କ ପରି ଥିବାବେଳେ ଖପୁରିର ଅନ୍ୟ କିଛି ଅଂଶରେ ପ୍ରାଚୀନ ବୈଶିଷ୍ଟ୍ୟ ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button