ପୁନଶ୍ଚ ପୃଥିବୀ

Pollution control: ସାଇକେଲ୍‌ ଆରୋହୀଙ୍କ ପାଇଁ ପ୍ରଦୂ‌ଷଣ ବାଧକ

ଗ୍ରିନ୍‌ହାଉସ୍‌ ବାଷ୍ପ ହ୍ରାସ ଏବଂ ଜନସ୍ବାସ୍ଥ୍ୟର ଉନ୍ନତି ଲାଗି ସମ୍ପ୍ରତି ଭାରତରେ ସାଇକେଲ୍‌ ଚଢ଼ି ଯାତାୟାତ କରିବା ପାଇଁ ପ୍ରୋତ୍ସାହନ ଦିଆଯାଇଥିଲା। ତେବେ ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ଏଥିପାଇଁ କରାଯାଇଥିବା ନୀତି ଓ ଲିଙ୍ଗଗତ ବୈଷମ୍ୟ ବାଧକ ସାଜିଛି। ତିନିଟି ଦେଶରେ କରାଯାଇଥିବା ଏ ଗବେଷଣା ଦର୍ଶାଉଛି ଯେ ସାଇକେଲ୍‌ ଚାଳକମାନେ ଗ୍ରୀଷ୍ମ ଉତ୍ତାପ, ପ୍ରଦୂଷଣ, ଖରାପ ରାସ୍ତା ଓ ଲିଙ୍ଗଗତ ବୈଷମ୍ୟ ଭଳି ସମସ୍ୟାରେ ପଡୁଛନ୍ତି। ୨୦୨୫ ପ୍ରାରମ୍ଭରେ ସାଇକେଲ୍‌ ଚାଳନା ସପକ୍ଷବାଦୀ ସଙ୍ଗଠନ ‘ବିୱାଇସିଏସ୍‌ ଇଣ୍ଡିଆ ଫାଉଣ୍ଡେସନ୍‌’ ଦିଲ୍ଲୀକୁ ସାଇକେଲ୍‌ ଅନୁକୂଳ ନଗରୀ କରିବା ଉପରେ ପ୍ରାଧାନ୍ୟ ଦେବା ପାଇଁ ପ୍ରମୁଖ ରାଜନୀତିକ ଦଳଙ୍କୁ ଅନୁରୋଧ କରିଥିଲା। ପ୍ରଦୂଷଣମୁକ୍ତ ଭବିଷ୍ୟତ ପାଇଁ ସାଇକେଲ୍‌ ଚଢ଼ନ୍ତୁ- ଏଇ କଥାଟି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓ ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲ୍ଲାପାଳ ଜି. ଲକ୍ଷ୍ମୀଶଙ୍କୁ ଉଦ୍‌ବୁଦ୍ଧ କରିଥିଲା। ସେଥିପାଇଁ ସଭିଏଁ ସାଇକେଲ୍‌ ଚଢ଼ା ଉପରେ ଗୁରୁତ୍ବାରୋପ କରିଥିଲେ।
‘ନେଚର୍‌ ସିଟି’ରେ ପ୍ରକାଶିତ ଏ ସଂକ୍ରାନ୍ତ ଗବେଷଣାପ୍ରସୂତ ଆଲେଖ୍ୟ ଦର୍ଶାଉଛି ଯେ ଭାରତର ଦିଲ୍ଲୀ ଓ ଚେନ୍ନାଇ, ବାଂଲାଦେଶର ଢାକା, ଘାନାର ଆକ୍‌ରା ଆଦି ବିଶ୍ବର ତିନିଟି ନିମ୍ନ-ମଧ୍ୟବିତ୍ତ ଦେଶର ନଗରୀମାନଙ୍କରେ ସାଇକେଲ୍‌ ଆରୋହୀମାନେ ଭିତ୍ତିଭୂମି, ସରକାରୀ ନୀତି ପ୍ରଣୟନ ଓ ଲିଙ୍ଗଗତ ବୈଷମ୍ୟ ଭଳି ସମସ୍ୟାରେ ପଡୁଛନ୍ତି।

ବିଶ୍ବରେ ଭାରତ ହେଉଛି ଷଷ୍ଠ ସର୍ବାଧିକ ପ୍ରଦୂଷିତ ଦେଶ ଓ ବିଶ୍ବବ୍ୟାପୀ ଦିଲ୍ଲୀ ଚତୁର୍ଥ ସର୍ବାଧିକ ପ୍ରଦୂଷିତ ନଗରୀ ବୋଲି ୨୦୨୫ରେ ‘ଆଇକ୍ୟୁଏଆଇଆର୍‌’ ରିପୋର୍ଟ ଦେଇଥିଲା। ଉକ୍ତ ଆଲେଖ୍ୟର ସହ-ଲେଖକ ତଥା ଆଇଆଇଟି-ଦିଲ୍ଲୀର ଟ୍ରାନ୍‌ସ୍‌ପୋର୍ଟେସନ୍‌ ରିସର୍ଚ ଆଣ୍ଡ୍‌ ଇଞ୍ଜୁରି ପ୍ରିଭେନ୍‌ସନ୍‌ ସେଣ୍ଟର୍‌ରେ ସହକାରୀ ପ୍ରାଧ୍ୟାପକ ଥିବା ରାହୁଲ୍‌ ଗୋଏଲ୍‌ କହନ୍ତି, ‘‘ଦିଲ୍ଲୀରେ ଯେତେବେଳେ ବାୟୁ ପ୍ରଦୂଷଣ ବୃଦ୍ଧିପାଏ ସେତେବେଳେ ଯାନବାହନରୁ ନିର୍ଗମନ ହେଉଥିବା ଗ୍ରିନ୍‌ହାଉସ୍‌ ବାଷ୍ପ କଥା ‌ଆଲୋଚନା ହୁଏ। କିନ୍ତୁ, ହାସ୍ୟାସ୍ପଦ କଥା ହେଲା- ଏ କ୍ଷେତ୍ରରେ ସରକାର ଜଣେ ଆଡ୍‌ଭୋକେଟ୍‌ ଭଳି କାର୍ଯ୍ୟ କରନ୍ତି, କିନ୍ତୁ କ’ଣ କରାଗଲେ ବାସ୍ତବ ଅବସ୍ଥା ଉନ୍ନତ ହେବ ଏବଂ ଲୋକେ ମୋଟରଯାନ ନ ଚଳାଇ ସାଇକେଲ୍‌ ଚଳାଇବେ, ସେ ବାବଦରେ କିଛି କରାଯାଉନାହିଁ।’’

ପ୍ରଦୂଷଣ ସ୍ତର ବୃଦ୍ଧି ବିରୋଧରେ ପ୍ରତିବାଦ ପ୍ରଦର୍ଶନପୂର୍ବକ ଗତ ଫେବ୍ରୁଆରି ମାସରେ ଗୁଡ୍‌ଗାଓଁ ବାସିନ୍ଦାମାନେ ଚାଲି ଚାଲି ଏବଂ ସାଇକେଲ୍‌ ଚଳାଇ ରାସ୍ତାକୁ ବାହାରିଥିଲେ। ପରିବହନ ନି‌ମନ୍ତେ ଚାଲିବା ଓ ସାଇକେଲ୍‌ ଚଳାଇବା ଉପରେ ପ୍ରାଧାନ୍ୟ ଦେବାକୁ ଜନସାଧାରଣଙ୍କୁ ଉତ୍ସାହ ଦେବା ଥିଲା ସେମାନଙ୍କର ଉଦ୍ଦେଶ୍ୟ। କିନ୍ତୁ, ତାହା ଅସମ୍ଭବ ମନେହେଲା। କାରଣ, ରାସ୍ତାଘାଟରେ ସାଇକେଲ୍‌ ଚଳାଇ ଯିବା ପାଇଁ ଯେଉଁ ସୁବିଧା ଦରକାର, ତାହା ନ ଥିଲା। ଅସଲ କଥା ହେଲା- ରୋଡ୍‌ ଇଞ୍ଜିନିୟରିଙ୍ଗ୍‌ରେ ବାଇସାଇକେଲ୍‌ ଟ୍ରାକ୍‌ ପାଇଁ ଯେଉଁ ବ୍ୟବସ୍ଥା ରହିଛି, ତାହା ସହରୀ ରାସ୍ତାରେ କେଉଁଠାରେ ଲାଗୁ କରାଯାଉନାହିଁ। ତେଣୁ, ଉପଯୁକ୍ତ ଭିତ୍ତିଭୂମି ନ ଥାଇ ସାଇକେଲ୍‌ଚଢ଼ା ଉପରେ ଗୁରୁତ୍ବାରୋପ କଲେ କିଛି ଲାଭ ହେବନାହିଁ। ଧୂଳି ପ୍ରଦୂଷଣ ଓ ରାସ୍ତାର ଅବସ୍ଥା ମଧ୍ୟ ସାଇକେଲ୍‌ ଆରୋହୀଙ୍କ ପାଇଁ ଚିନ୍ତାଜନକ। ନଗରୀରେ ଉଡୁଥିବା ହାନିକାରକ ଧୂଳି, ଗାଡ଼ିରୁ ନିର୍ଗତ ଧୂଆଁ ପଥଚାରୀ ଓ ସାଇକେଲ୍‌ ଆରୋହୀଙ୍କୁ ଅଡୁଆରେ ପକାଉଛି। ତା’ଛଡ଼ା, ଖାଲଖମା ଓ ବାଲି ଜମିଥିବା ରାସ୍ତା ମଧ୍ୟ ସାଇକେଲ୍‌ ଚଳାଇବାରେ ଅନ୍ତରାୟ ସୃଷ୍ଟି କରୁଛି।

୨୦୨୦ରେ ଭାରତ ସରକାର ସ୍ମାର୍ଟ ସିଟି ବ୍ୟବସ୍ଥାରେ ‘ସାଇକେଲ୍‌ ଫର୍‌ ଚାଲେଞ୍ଜ୍‌’ ଯୋଜନା ଶୁଭାରମ୍ଭ କରିଥିଲେ। କିନ୍ତୁ, ଅଧିକାଂଶ ନଗରୀରେ ସାଇକେଲ୍‌ ଆତଯାତ ନିମନ୍ତେ ଉଦ୍ଦିଷ୍ଟ ରାସ୍ତା ଭୀଷଣ ଭିଡ଼ ହେଲା ଓ କେତେକ ନଗରୀରେ ସାଇକେଲ୍‌ ନିମନ୍ତେ ଆଦୌ ରାସ୍ତା ନ ଥିଲା। ଦିଲ୍ଲୀ ଭଳି କେତେକ ନଗରୀରେ ସାଇକେଲ୍‌ ଚାଳନା ପାଇଁ ଉଦ୍ଦିଷ୍ଟ ରାସ୍ତାରେ କାର୍‌, ଦୁଇଚକିଆ ଯାନ ଓ ଅଟୋ ମଧ୍ୟ ଚଳାଚଳ କଲା। ବେଙ୍ଗାଲୁରୁରେ ସାଇକେଲ୍‌ ରାସ୍ତାରେ ଲୋକେ କାର୍‌ ପାର୍କିଙ୍ଗ୍‌ କଲେ। ସେହିପରି, ଜଣା ନ ପଡ଼ିଲେ ବି ସାଇକେଲ୍‌ ଆରୋହଣ କ୍ଷେତ୍ରରେ ଲିଙ୍ଗଗତ ବୈଷମ୍ୟ ମଧ୍ୟ ଏକ ବାଧକ। ଭାରତରେ ନାରୀମାନେ ସାଇକେଲ୍‌ ଚଢୁଥିଲେ ବି ବ୍ୟାପକ ଯାନବାହନ ଚଳାଚଳ କରୁଥିବା ରାସ୍ତାରେ ସେମାନେ ସାଇକେଲ୍‌ ଚଳାନ୍ତିନାହିଁ। ଏସବୁ ରାସ୍ତାରେ ସେମାନେ ସାଇକେଲ୍‌ ପଛରେ ବସି ପାସେଞ୍ଜର୍‌ ଭଳି ଯାତାୟାତ କରନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button