Air pollution: ଐତିହାସିକ ସ୍ଥାପତ୍ୟର ନିରବ ଶତ୍ରୁ ବାୟୁ ପ୍ରଦୂଷଣ

ବାୟୁ ପ୍ରଦୂଷଣ କେବଳ ଆମ ସ୍ବାସ୍ଥ୍ୟ, ଶିକ୍ଷା ଓ ଉତ୍ପାଦନଶୀଳତାକୁ ପ୍ରଭାବିତ କରୁନାହିଁ, ଏହା ଆମ ଇତିହାସ ଓ ଐତିହ୍ୟର ଜୀବନ୍ତ ପ୍ରତୀକ ପାଲଟିଥିବା ସ୍ଥାପତ୍ୟଗୁଡ଼ିକୁ ମଧ୍ୟ କ୍ଷତିଗ୍ରସ୍ତ କରୁଛି ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ଆଇଆଇଟି ଓ ଏଏସ୍‌ଆଇ ଭଳି ଅନୁଷ୍ଠାନର ବୈଜ୍ଞାନିକମାନେ ଲାଲ୍‌ କିଲା ଉପରେ କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ ବାୟୁରେ ଉପସ୍ଥିତ ପ୍ରଦୂଷଣକାରୀ ଯୌଗିକଗୁଡ଼ିକ ଏହାର ପ୍ରସ୍ତର ସହିତ ରାସାୟନିକ ପ୍ରତିକ୍ରିୟା କରି ତାହାର ରଙ୍ଗକୁ ଲାଲ୍‌ରୁ କଳା କରିଦେଉଛି ଏବଂ ତାହାର ପୃଷ୍ଠ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି।

ବାଲୁକା ପ୍ରସ୍ତର ଓ ମାର୍ବଲ୍‌ ପରି ପଥରରେ ଅଧିକାଂଶ ସ୍ଥାପତ୍ୟ ନିର୍ମିତ ହୋଇଥିବାବେଳେ ସିମେଣ୍ଟ ଫ୍ୟାକ୍‌ଟ୍ରି, ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ ଗାଡ଼ିମୋଟରରୁ ବାହାରୁଥିବା ଧୂଆଁରେ ଥିବା ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ସେହି ପ୍ରସ୍ତରଗୁଡ଼ିକ ଉପରେ ‘ସଲ୍‌ଫେସନ୍’ ନାମକ ପ୍ରକ୍ରିୟା ଆରମ୍ଭ କରିଦେଇଥାଏ, ଯାହା କଳା ଦାଗ ସୃଷ୍ଟି ପଛର ମୁଖ୍ୟ କାରଣ। ପୂର୍ବରୁ ତାଜ ମହଲର ରଙ୍ଗ ବଦଳିବା ପଛରେ ପ୍ରଦୂଷଣର ଭୂମିକା ସମ୍ପର୍କରେ ଜଣା ପଡ଼ିଥିଲା। କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ ବାୟୁ ପ୍ରଦୂଷଣର ପ୍ରଭାବ ଜାଣିବା ପାଇଁ ମଧ୍ୟ ବର୍ତ୍ତମାନ ଏଏସ୍‌ଆଇ ଅଧ୍ୟୟନ କରୁଛି।

ସୌଜନ୍ୟ ସମ୍ବାଦ