ଗତ ବର୍ଷ ଭାରତ ଚୀନକୁ ଅତିକ୍ରମ କରି ପୃଥିବୀର ସର୍ବବୃହତ୍ ଚାଉଳ ଉତ୍ପାଦନକାରୀ ଦେଶର ମୁକୁଟ ହାସଲ କରିଥିଲା। ଗତ ଏକ ଦଶନ୍ଧି ମଧ୍ୟରେ ଭାରତରୁ ଚାଉଳ ରପ୍ତାନିର ପରିମାଣ ପାଖାପାଖି ଦ୍ବିଗୁଣିତ ହୋଇଛି। କିନ୍ତୁ ଏହି ସଫଳତା ଉଲ୍ଲସିତ କରିବା ଭଳି ନୁହେଁ, କାରଣ କ୍ରମବର୍ଦ୍ଧିଷ୍ଣୁ ଧାନ ଚାଷ ଯୋଗୁଁ ଭାରତର ଭୂତଳ ଜଳ ସ୍ତର ତଳକୁ ଖସିବାରେ ଲାଗିଛି। ପଞ୍ଜାବ ଓ ହରିୟାଣା ପରି ପ୍ରମୁଖ ଚାଉଳ ଉତ୍ପାଦନକାରୀ ରାଜ୍ୟରେ ଦଶ ବର୍ଷ ତଳେ ୩୦ ଫୁଟ୍ ମାଟି ଖୋଳିଲେ ଭୂତଳ ଜଳ ସ୍ତର ମିିଳିଯାଉଥିଲା। କିନ୍ତୁ ଗତ ପାଞ୍ଚ ବର୍ଷରେ ଅଧିକ ଚାଉଳ ଉତ୍ପାଦନ ପାଇଁ ପ୍ରଚୁର ପାଣି ବିନିଯୋଗ ହୋଇ ଭୂତଳ ଜଳ ସ୍ତର ୨୦୦ ଫୁଟ୍ ପର୍ଯ୍ୟନ୍ତ ତଳକୁ ଖସିଗଲାଣି। ଏହି ଦୁଇଟି ରାଜ୍ୟ ବର୍ଷକୁ ଯେତିକି ପରିମାଣର ଭୂତଳ ଜଳ ଉତ୍ତୋଳନ କରନ୍ତି ତାହା ପ୍ରାକୃତିକ ଭାବେ ଭରଣା ହୋଇପାରୁଥିବା ପରିମାଣ ଠାରୁ ୩୫ରୁ ୫୭% ଅଧିକ।

