America-Iran : ଆଜି ଆମେରିକା-ଇରାନ ଶାନ୍ତି ଆଲୋଚନା: ନିଜ ନାଗରିକଙ୍କୁ ଇରାନ ଛାଡ଼ିବାକୁ ଆମେରିକାର ପରାମର୍ଶ

ଆମେରିକା-ଇରାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚି ଥିବାବେଳେ ଶୁକ୍ରବାର ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଅନୁଷ୍ଠିତ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନର ପ୍ରମୁଖ ନେତା ଅୟାତୋଲ୍ଲା ଅଲି ଖାମେନି ପରସ୍ପରକୁ ନାଲି ଆଖି ଦେଖାଉ ଥିବାବେଳେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଦେଖାଯାଇଛି।

ତେହେରାନ : ଆମେରିକା-ଇରାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚି ଥିବାବେଳେ ଶୁକ୍ରବାର ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଅନୁଷ୍ଠିତ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନର ପ୍ରମୁଖ ନେତା ଅୟାତୋଲ୍ଲା ଅଲି ଖାମେନି ପରସ୍ପରକୁ ନାଲି ଆଖି ଦେଖାଉ ଥିବାବେଳେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଦେଖାଯାଇଛି। କତାର, ତୁର୍କୀ, ଓମାନ ଦୁଇ ଦେଶ ମଧ୍ୟରେ ସ୍ଥିତି ସାମାନ୍ୟ କରିବାକୁ ପ୍ରୟାସ କରୁଥିବାବେଳେ ଶୁକ୍ରବାର ସକାଳେ ଓମାନ ରାଜଧାନୀ ମାସ୍କଟରେ ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଅନୁ‌ଷ୍ଠିତ ହେବ। କତାର ଓ ତୁର୍କୀ ଏଥିରେ ମଧ୍ୟସ୍ଥତା କରିବେ। ଇତିମଧ୍ୟରେ ତେହେରାନସ୍ଥିତ ଆମେରିକା ଦୂତାବାସ ଏହାର ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦେଇଛି।

ଏପରିସ୍ଥିତିରେ ଆମେରିକା ଏହାର ନାଗରିକଙ୍କୁ ସ୍ଥଳପଥରେ ଇରାନରୁ ଆର୍ମେନିଆ କିମ୍ବା ତୁର୍କୀ ଯିବାକୁ ପରାମର୍ଶ ଦେଇଛି। ଆମେରିକା ସରକାରଙ୍କ ସହାୟତା ଉପରେ ନିର୍ଭର ନକରି ନିଜସ୍ବ ଉପାୟରେ ଇରାନ ଛାଡ଼ିବାକୁ କୁହାଯାଇଛି। ଯେଉଁମାନେ ଇରାନ ଛାଡି ପାରିବେ ନାହିଁ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି। ନିଜ ପାଖରେ ଯଥେଷ୍ଟ ଖାଦ୍ୟ, ପାଣି ଏବଂ ଔଷଧ ମହଜୁଦ ରଖିବା ସହିତ ଗୋପନୀୟତା ବଜାୟ ରଖିବା ଏବଂ ପରିବର୍ତ୍ତନଶୀଳ ପରିସ୍ଥିତି ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ସୂଚନା ପାଇବାକୁ ଦୂତାବାସ ଏହାର ନାଗରିକଙ୍କୁ ସ୍ମାର୍ଟ ଟ୍ରାଭେଲର ଏନରୋଲମେଣ୍ଟ ପ୍ରୋଗ୍ରାମରେ ନାମ ଯୋଡ଼ିବାକୁ ପରାମର୍ଶ ଦେଇଛି। ଆମେରିକା-ଇରାନ ଦ୍ୱୈତ ନାଗରିକତା ରଖିଥିବା ଲୋକଙ୍କ ପାଇଁ ଅଧିକ ବିପଦ ରହିଥିବା ଏଥିରେ କୁହାଯାଇଛି। ଇରାନ ଦ୍ୱୈତ ନାଗରିକତାକୁ ସ୍ୱୀକାର କରେ ନାହିଁ ଏବଂ ଏମାନଙ୍କୁ କେବଳ ଇରାନ ନାଗରିକ ଭାବରେ ଗ୍ରହଣ କରେ। ଆର୍ମେନିଆରେ ପ୍ରବେଶ କରୁଥିବା ଆମେରିକୀୟ ନାଗରିକମାନେ ୧୮୦ ଦିନ ପର୍ଯ୍ୟନ୍ତ ଭିସା-ମୁକ୍ତ ରହିପାରିବେ ଓ ତୁର୍କୀ ପାର ହେଉଥିବା ଲୋକମାନେ ୯୦ ଦିନ ପର୍ଯ୍ୟନ୍ତ ରହିପାରିବେ।ତୁର୍କମେନିସ୍ତାନ ସୀମା ଖୋଲା ଥିଲେ ମଧ୍ୟ ଆଶଗାବାତରେ ଥିବା ଆମେରିକୀୟ ଦୂତାବାସଠାରୁ ଏଥିପାଇଁ ସ୍ୱତନ୍ତ୍ର ଅନୁମତି ଆବଶ୍ୟକ। ଆଜରବୈଜାନକୁ ସ୍ଥଳପଥ ବନ୍ଦ ରହିଛି ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଆମେରିକା ଏହାର ନାଗରିକମାନଙ୍କୁ ଆଫଗାନିସ୍ତାନ, ଇରାକ କିମ୍ବା ପାକିସ୍ତାନ-ଇରାନ ସୀମାବର୍ତ୍ତୀ ଅଞ୍ଚଳ ଦେଇ ଯାତ୍ରା ନକରିବାକୁ ସତର୍କ କରିଛି। ୱାସିଂଟନର ତେହେରାନ ସହିତ କୌଣସି କୂଟନୈତିକ କିମ୍ବା କନସୁଲାର ସମ୍ପର୍କ ନାହିଁ ବୋଲି କୁହାଯାଇଛି। ଆମେରିକା-ଇରାନ ମଧ୍ୟରେ ଯଦି ଶାନ୍ତି ଆଲୋଚନା ବିଫଳ ହୁଏ ତେବେ ଯୁଦ୍ଧ ‌ହେବାର ଆଶଙ୍କା ରହିଛି। ଯଦ୍ବାରା ପୂରା ମଧ୍ୟପ୍ରାଚ୍ୟରେ ଭୟାବହ ସ୍ଥିତି ଉତ୍ପନ୍ନ ହେବା ଆଶଙ୍କା ପ୍ରକାଶ ପାଇଛି।

ସୌଜନ୍ୟ ସମ୍ବାଦ

Exit mobile version