Anandabana: ୨ବର୍ଷରେ ଶ୍ରୀହୀନ ଆନନ୍ଦବନ: ପତ୍ରରେ ପୋତି ହୋଇଗଲା କୃତ୍ରିମ ନଈ

କଳିଙ୍ଗନଗର କେ-୩ ସ୍ଥିତ ‘ଆନନ୍ଦବନ’ ୨୦୨୪ ମସିହା ମାର୍ଚ୍ଚ ୧୨ରେ ଉଦ୍‌ଘାଟିତ ହେଲା। ରାଜଧାନୀର ଲୋକେ ଏହାକୁ ବେଶ୍‌ ପସନ୍ଦ କଲେ। ଉଦ୍‌ଘାଟନର ୧୮ ଦିନ ମଧ୍ୟରେ ଏଠାକୁ ୧୯,୭୮୦ ଲୋକ ବୁଲିବାକୁ ଆସିଥିଲେ।

ଖଣ୍ଡଗିରି: କଳିଙ୍ଗନଗର କେ-୩ ସ୍ଥିତ ‘ଆନନ୍ଦବନ’ ୨୦୨୪ ମସିହା ମାର୍ଚ୍ଚ ୧୨ରେ ଉଦ୍‌ଘାଟିତ ହେଲା। ରାଜଧାନୀର ଲୋକେ ଏହାକୁ ବେଶ୍‌ ପସନ୍ଦ କଲେ। ଉଦ୍‌ଘାଟନର ୧୮ ଦିନ ମଧ୍ୟରେ ଏଠାକୁ ୧୯,୭୮୦ ଲୋକ ବୁଲିବାକୁ ଆସିଥିଲେ। ଖୋଲିବାର ମାସେ ନପୂରୁଣୁ ଲୋକଙ୍କ ଏଭଳି ଆଗ୍ରହ ‘ଆନନ୍ଦବନ’ ଯେ ରାଜଧାନୀ ପାଇଁ ଏକ ସ୍ବତନ୍ତ୍ର ପରିଚୟ ଆଣିବ, ତାହା ପ୍ରମାଣିତ କରିଥିଲା। ଫେବ୍ରୁଆରିରେ ‘ଆନନ୍ଦବନ’ର ନାମ ପରିବର୍ତ୍ତନ କରାଯାଇ ‘ଅଟଳବିହାରୀ ବାଜପେୟୀ ଆନନ୍ଦବନ’ ହେଲା। ଏଲ୍‌ଇଡି ଲାଇଟ୍‌ରେ ନାଁ ‌ଲେଖାହେଲା। ଏହାପରେ ଆନନ୍ଦବନ ଆହୁରି ସବୁଜିମାରେ ଭରିବା ସହ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶାଥିଲା। ହେଲେ ଗୋଟିଏ ବ‌‌ର୍ଷ ୧୦ ମାସରେ ଶ୍ରୀହୀନ ହୋଇଗଲାଣି। ସବୁଜିମାରେ ଭର୍ତ୍ତି ଜଙ୍ଗଲ ଏବେ ଖାଁ ଖାଁ ଦିଶୁଛି। କଳକଳ ବହୁଥିବା ନଈ ଅଳିଆରେ ଭର୍ତ୍ତି ହୋଇଯାଇଛି। କେବଳ ସେତିକି ନୁହେଁ ପାର୍କ‌ର ଚଲାପଥ ପତ୍ରରେ ଭର୍ତ୍ତି। ଫୁଲର ପଥ ବୋଲାଉଥିବା ବଗିଚା ଆଜି ମରୁଭୂମି ଭଳି ମନେହେଉଛି।

୯୦ ଏକର ଜାଗାରେ ନିର୍ମିତ ଆନନ୍ଦବନକୁ ଗୋଟିଏ ବର୍ଷରେ ‘ଆନନ୍ଦବନ’କୁ ୨,୪୮,୨୭୦ ଜଣ ପର୍ଯ୍ୟଟକ ଭ୍ରମଣ କରିଥିଲେ। ଏଠାକାର ଆକ୍ୟୁପ୍ରେସର୍‌ ରାସ୍ତା, ପୁଷ୍କରିଣୀ, ରାସ୍ତାର ଉଭୟ ପାର୍ଶ୍ବରେ ଶହେରୁ ଅଧିକ ପ୍ରକାରର ଗୋଲାପ ଫୁଲ ଓ ଅନ୍ୟ ଫୁଲ ପାର୍କର ମୁଖ୍ୟ ଆକର୍ଷଣ ଥିଲା। ସେହିଭଳି ମୁଖ୍ୟରାସ୍ତାର ଉପରେ ଥିବା ଫୁଟ୍ ଓଭରବିଜ୍ ଉପରୁ ଜଙ୍ଗଲର ଦୃଶ୍ୟ ଅତ୍ୟନ୍ତ ମନୋରମ ଦିଶୁଥିବାରୁ ବ୍ରିଜ୍ ଉପରେ ଗହଳି ଲାଗି ରହୁଥିଲା। କାଫେଟେରିଆରେ ମାଣ୍ଡିଆ ଜାଉ, ମାଣ୍ଡିଆ ମଣ୍ଡା ଓ କାକରା ସହିତ କୋରାପୁଟ କଫି ପାଇଁ ମଧ୍ୟ ବେଶ୍‌ ଭିଡ଼ ଜମୁଥିଲା। ହେଲେ ଗତ କିଛି ମାସ ହେଲା ଏଥିରେ ବିଚ୍ୟୁତି ଦେଖିବାକୁ ମିଳୁଛି।  ଗୋଟିଏ କିଲୋମିଟରର ଆକ୍ୟୁପ୍ରେସର୍‌ ରାସ୍ତାରେ ପଡ଼ିଥିବା ପଥର ମଧ୍ୟରୁ ଏକାଧିକ ପଥର ଆଉ ନାହିଁ। ଫଳରେ ସେଠାରେ ଆଉ ଚାଲିବା ସମ୍ଭବ ହେଉନି। ପୋଖରୀ ମଇଳା ହୋଇଯାଇଛି। ଫୁଟୁଥିବା ନୀଳକଇଁ ଆଉ ଫୁଟୁନାହିଁ। ନିକଟରେ ୩ ବତକଙ୍କ ଦେହାନ୍ତ ‌ହୋଇଛି। ଫୁଟ୍‌ ଓଭରବ୍ରିଜ୍‌ ଚଢ଼ିବା ରାସ୍ତାରେ ସୁନ୍ଦର ଫୁଲକୁଣ୍ଡ ଆଉ ନାହିଁ। ସେହିପରି ଏକାଧିକ ଔଷଧୀୟ ଚାରା ମରିଗଲାଣି। ସବୁଠାରୁ ବଡ଼ କଥା ହେଲା ପାର୍କର ମୁଖ୍ୟ ଆକର୍ଷଣ ଥିବା ଫୁଲ ପାର୍କ ଏବେ ଶ୍ରୀହିନ। ଶୀତ ଦିନେ ଯେଉଁଠି ବିଭିନ୍ନ ରକମର ଫୁଲରେ ପାର୍କ ମହକିବା କଥା, ସେଭଳି ସମୟରେ ପାର୍କରେ ଗୋଟିଏ ହେଲେ ଫୁଲଗଛ ଦେଖିବାକୁ ମିଳୁନି।

ମିଳିଥିବା ସୂଚନା ଅନୁସାରେ ‘ଆନନ୍ଦବନ’ର ରକ୍ଷଣାବେକ୍ଷଣ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏଠାରେ  ୭୦ କର୍ମଚାରୀ ନିଯୁକ୍ତ ହୋଇଥିଲେ। ହେଲେ ଏବେ ମାତ୍ର ୨୧ ସୁରକ୍ଷା କର୍ମୀ ଓ ୨୪ ଦିନ ମଜୁରିଆ କାମ କରୁଛନ୍ତି।‌ ତେଣୁ ଏତିକି କର୍ମଚାରୀରେ ବନର ଯତ୍ନ ନିଆଯାଇ ପାରୁନାହିଁ। ଖଣିନିଗମ ବନର ଉନ୍ନତିର ତଦାରଖ ପାଇଁ ଜଣେ ମାନେଜର ନିୟୋଜିତ କରିଥିଲେ। ହେଲେ ଏହି ବନକୁ ସିଧାସଳଖ ବୁଝିବାକୁ କାହାକୁ ଦାୟିତ୍ବ ଦିଆଯାଇ ନାହିଁ। ଏ ନେଇ ଜଣେ ବରିଷ୍ଟ ଅଧିକାରୀଙ୍କ କହିବା କଥା ଆନନ୍ଦବନକୁ ଚଳାଇବା ପାଇଁ ଆବଶ୍ୟକ ପାଣ୍ଠି କମି ଯାଇଥିବାରୁ ଏଭଳି ସମସ୍ୟା ହେଉଛି। ଏହାର ଭରଣା ପାଇଁ ପାର୍କର ଟିକଟ ଦର ୫ଟଙ୍କାରୁ ୧୦ ଟଙ୍କା କରାଯାଇଛି। ଆଗାମୀ ଦିନରେ ଅନ୍ୟାନ୍ୟ ଉପାୟରେ ଏହାକୁ ସଂଚାଳନ ପାଇଁ ଯୋଜନା ହେବ।

ପତ୍ରରେ ପୋତି ହୋଇଗଲା କୃତ୍ରିମ ନଈ
ଆନନ୍ଦବନରେ ପର୍ଯ୍ୟଟକ ନଈର ମଜା ନେବେ। କୃତ୍ରିମ ନଈକୁ ଯଥାସମ୍ଭବ ପ୍ରାକୃତିକ ରୂପ ଦେବାପାଇଁ ଉଦ୍ୟମ କରାଗଲା। ଘଞ୍ଚଜଙ୍ଗଲ ମଝିରେ ୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ନଈ ଆନନ୍ଦବନ‌ର ସୁନ୍ଦରତାକୁ ଆହୁରି ବଢ଼ାଇଥାନ୍ତା। ହେଲେ ଏ‌ବେ ପୁରା ନଈ ପତ୍ରରେ ଭତ୍ତି। ମଇଳା ଜମି ଅନେକ ସ୍ଥାନରେ ପାଣି ଜମି ରହୁଛି। କଳକଳ ବହୁଥିବା ପାଣି ସ୍ଥିର ‌ହୋଇ ପଚ୍ଚା ଗନ୍ଧ ହେଲାଣି।

 

ସୌଜନ୍ୟ ସମ୍ବାଦ

Exit mobile version