ନୂଆଦିଲ୍ଲୀ: ବନ୍ଦ ହୋଇଯାଇଥିବା ଟେଲିକମ୍ କମ୍ପାନି ରିଲାଏନ୍ସ କମ୍ୟୁନିକେସନ ସହ ସମ୍ପର୍କିତ ୨୯୨୯ କୋଟି ଟଙ୍କାର ଋଣ ଠକେଇ ମାମଲାରେ ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ବିତୀୟ ଦିନରେ ଜେରା କରିଛି। ଗତକାଲି ତାଙ୍କୁ ସିବିଆଇ ୮ ଘଣ୍ଟା ଜେରା କରିଥିଲା। କିଛିଦିନ ପୂର୍ବରୁ ତାଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କୁ ମଧ୍ୟ ସିବିଆଇ ଜେରା କରିଥିଲା।ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏକ ମାମଲା ଆଧାରରେ ସିବିଆଇ ଅନିଲଙ୍କୁ ଜେରା କରୁଛି। ଗତବର୍ଷ ଅଗଷ୍ଟ ୧୮ରେ ଏନେଇ ଏତଲା ରୁଜୁ କରାଯାଇଥିଲା।
ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁନିୟନ ବ୍ୟାଙ୍କ, କାନାରା ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କକୁ ନେଇ ଗଠିତ କନସୋର୍ଟିୟମ୍ର ଷ୍ଟେଟ୍ ବ୍ୟାଙ୍କ ନେତୃତ୍ବ ନେଇଥିଲା। ସେହି କନସୋର୍ଟିୟମ୍ ଅନିଲଙ୍କ କମ୍ପାନିକୁ ଦେଇଥିବା ଋଣ ବୁଡ଼ିଛି। ସେଥିପାଇଁ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ରିଲାଏନ୍ସ କମ୍ୟୁନିକେସନ, ଅନିଲ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏକ ଫରେନ୍ସିକ୍ ଅଡିଟ୍ରୁ ଋଣ ଅର୍ଥର ବ୍ୟାପକ ଅପବ୍ୟବହାର ହୋଇଥିବା ସ୍ପଷ୍ଟ ହୋଇଥିଲା। ୨୦୧୩ରୁ ୨୦୧୭ ମଧ୍ୟରେ ଋଣ ରାଶିର ହେରଫେର କରାଯାଇଥିଲା। ଏହି ହେରଫେର ଯୋଗୁଁ ଷ୍ଟେଟ୍ ବ୍ୟାଙ୍କ ୨୯୨୯.୦୫ କୋଟି ଟଙ୍କା ହରାଇଛି। ୧୭ଟି ବ୍ୟାଙ୍କ ମିଳିତ ଭାବେ ଅନିଲଙ୍କ କମ୍ପାନିକୁ ୧୯,୬୯୪.୩୩ କୋଟି ଟଙ୍କାର ଋଣ ଦେଇଥିଲେ।
ସୌଜନ୍ୟ ସମ୍ବାଦ
