ସିଓଲ: ଦକ୍ଷିଣ କୋରିଆର କେନ୍ଦ୍ରୀୟ ସହର ଡେଜେଓନରେ ଏକ ଅଟୋ ପାର୍ଟସ କାରଖାନାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୫୩ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ ସତର୍କ କରାଇ ଦେଇଛନ୍ତି ଯେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ଆହତଙ୍କ ମଧ୍ୟରେ ୨୪ ଜଣ ଗୁରୁତର ଥିବା ଅଗ୍ନିଶମ ବାହିନୀ ମୁଖ୍ୟ କହିଛନ୍ତି।
ଆହୁରି ୧୪ ଜଣ ଲୋକ ଫ୍ୟାକ୍ଟ୍ରି ଭିତରେ ରହିଯାଇଥିବା ଅନୁମାନ କରାଯାଉଛି। ଫ୍ୟାକ୍ଟ୍ରି ପରିସରରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଛି। ଅପରାହ୍ଣ ୧ଟା ୧୭ ମିନିଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ, କିନ୍ତୁ ନିଆଁ ଲାଗିବା ପରେ ଏହା ଦ୍ରୁତ ବେଗରେ ମାଡ଼ି ଯାଇଥିଲା।
ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ୨୫୦ରୁ ଅଧିକ ଅଗ୍ନିଶମ କର୍ମଚାରୀ
ନିଆଁ ଏତେ ଭୟଙ୍କର ଥିଲା ଯେ ଫ୍ୟାକ୍ଟ୍ରି ଭିତରକୁ ଅଗ୍ନିଶମ ବାହିନୀ କର୍ମଚାରୀ ପ୍ରବେଶ କରିବା କଷ୍ଟକର ଥିଲା। ୨୫୦ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟାଙ୍ଗ ନିଆଁକୁ ଆୟତ୍ତ କରିବା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଆହ୍ୱାନ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ
