ମୁମ୍ବାଇ: ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ହେଉଛନ୍ତି ସାରା ବିଶ୍ବର ଲକ୍ଷଲକ୍ଷ କ୍ରିକେଟର୍ଙ୍କ ଆଦର୍ଶ। ହେଲେ ତାଙ୍କ ନିଜ ପୁଅ ଅର୍ଜୁନଙ୍କ ଆଦର୍ଶ ହେଉଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର୍ ଯୁବରାଜ ସିଂହ। ଅର୍ଜୁନ ନିଜେ ଏକ ସାକ୍ଷତକାର ଅବସରରେ ଏହାର ଖୁଲାସା କରିଛନ୍ତି।
ସାକ୍ଷତକାରରେ ଅର୍ଜୁନଙ୍କ ମନର କଥା
ଶୁଭଙ୍କର ମିଶ୍ରଙ୍କ ପଡକାଷ୍ଟ୍ ବେଳେ ତାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ ତୁମ ଆଦର୍ଶ କିଏ, ଅର୍ଜୁନ ତୁରନ୍ତ ଉତ୍ତର ଦେଇଥିଲେ ଯୁବରାଜ ସିଂହ। କହିଥିଲେ ଯୁବି ହେଉଛନ୍ତି ମୋର ବ୍ୟାଟିଂ ଆଦର୍ଶ। ବୋଲିଂ କଥା ପଡ଼ିଲେ ସେ ହେଉଛନ୍ତି ଜଣେ ସ୍ପିନର ଏବଂ ମୁଁ ଜଣେ ପେସର୍। ଏଣୁ ମୁଁ କେବଳ ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରେ।
ସୂଚନାଯୋଗ୍ୟ ଯେ ଅର୍ଜୁନ ଚଳିତ ଋତୁରେ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ରେ ଯୋଗ ଦେଇଛନ୍ତି। ମୁମ୍ବାଇ ଡ୍ରେସିଂ ରୁମ୍ରେ କଟାଇଥିବା ସମୟ ମନେ ପକାଇ ସେ କହିଥିଲେ ଯଶପ୍ରୀତ୍ ବୁମ୍ରା ଓ ଟ୍ରେଣ୍ଟ୍ ବୋଲ୍ଟଙ୍କ ଭଳି ବୋଲରଙ୍କ ଉପସ୍ଥିତି ମୋତେ ନିଶ୍ଚିତ ଭାବେ ଉଲ୍ଲସିତ କରୁଥିଲା। ହେଲେ ସମସ୍ତେ ସୁଯୋଗ ମିଳୁ ବୋଲି ଚାହାନ୍ତି, କେହି ବେଞ୍ଚ୍ରେ ବସି ରହିବାକୁ ଭଲ ପା’ନ୍ତି ନାହିଁ। ମୁଁ ମଧ୍ୟ ଏହି କ୍ଷେତ୍ରରେ ବ୍ୟତିକ୍ରମ ନୁହେଁ। ତେବେ ଆପଣ କେବଳ କଠିନ ପରିଶ୍ରମ କରି ନିଜ ସୁଯୋଗକୁ ଅପେକ୍ଷା କରିପାରିବେ। କାରଣ ଏହା ଆପଣଙ୍କ ନିୟନ୍ତ୍ରଣରେ ନାହିଁ।
ସୌଜନ୍ୟ ସମ୍ବାଦ