Arjun wins gold: ଅର୍ଜୁନଙ୍କୁ ସ୍ବର୍ଣ୍ଣ, ୫୭ ପଦକ ସହ ଓଡ଼ିଶା ଦ୍ବିତୀୟ

ଛତିଶଗଡ଼ର ରାୟପୁର, ଅମ୍ବିକାପୁର ଓ ଜଗଦଲପୁରଠାରେ ୧୦ ଦିନଧରି ଚାଲିଥିବା ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏକାଧିକ ବିରଳ ରେକର୍ଡ କରିଥିଲେ ମଧ୍ୟ ଓଡ଼ିଶା ମାତ୍ର ୨ଟି ସ୍ବର୍ଣ୍ଣ ପଦକ କମ୍‌ ପାଇବାରୁ ଦଳଗତ ବିଜେତାରୁ ବଞ୍ଚିତ ହୋଇଛି।

ଭୁବନେଶ୍ବର: ଛତିଶଗଡ଼ର ରାୟପୁର, ଅମ୍ବିକାପୁର ଓ ଜଗଦଲପୁରଠାରେ ୧୦ ଦିନଧରି ଚାଲିଥିବା ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏକାଧିକ ବିରଳ ରେକର୍ଡ କରିଥିଲେ ମଧ୍ୟ ଓଡ଼ିଶା ମାତ୍ର ୨ଟି ସ୍ବର୍ଣ୍ଣ ପଦକ କମ୍‌ ପାଇବାରୁ ଦଳଗତ ବିଜେତାରୁ ବଞ୍ଚିତ ହୋଇଛି। କର୍ଣ୍ଣାଟକ ୨୩ ସ୍ବର୍ଣ୍ଣ ସହ ୩୮ ପଦକ ଜିତି ଦଳଗତ ବି‌ଜେତା ହୋଇଛି। ଓଡ଼ିଶା କିନ୍ତୁ ୨୧ ସ୍ବର୍ଣ୍ଣ ସହ ୫୭ ପଦକ ଜିତି ଦ୍ବିତୀୟ ସ୍ଥାନରେ ରହି ସନ୍ତୁଷ୍ଟ ହୋଇଛି। ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ୬ଟିଯାକ ଇଭେଣ୍ଟରୁ ଅନ୍ୟୂନ ଗୋଟିଏ ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଥିଲା। ଓଡ଼ିଶାର ୫୭ ପଦକ ମଧ୍ୟରେ ୧୫ ରୌପ୍ୟ ଓ ୨୧ କାଂସ୍ୟ ପଦକ ସାମିଲ ରହିଛି। ଓଡ଼ିଶା ମଧ୍ୟ ଏକମାତ୍ର ରାଜ୍ୟ ଭାବେ ୫୦+ ପଦକ ଜିତିଛି। ସନ୍ତରଣ ଓ ‌‌ଦୌଡ଼କୁଦରୁ ଓଡ଼ିଶା ଖେଳାଳି ୧୫ ସ୍ବର୍ଣ୍ଣ ପଦକ ସହ ମୋଟ ୪୦ ପଦକ ଜିତିବା ସବୁଠାରୁ ଉଲ୍ଲେଖନୀୟ ସଫଳତା ହୋଇଛି। କର୍ଣ୍ଣାଟକର ମଣିକାନ୍ତ (୮ ସ୍ବର୍ଣ୍ଣ, ୧ ରୌପ୍ୟ) ଏବଂ ଓଡ଼ିଶାର ଅଞ୍ଜଳି ମୁଣ୍ଡା (୫ ସ୍ବର୍ଣ୍ଣ) ଯଥାକ୍ରମେ ପୁରୁଷ ଓ ମହିଳାରେ ସର୍ବାଧିକ ବ୍ୟକ୍ତିଗତ ପଦକ ଜିତିିବାର‌ ଗୌରବ ପାଇଥିଲେ।

ଶୁକ୍ରବାର ଶେଷ ଦିନରେ ଓଡ଼ିଶା ୩ ପଦକ ଜିତିଥିଲା। ଯୁବ ପ୍ରତିଭା ଅର୍ଜୁନ ଖରା ପୁରୁଷ ତୀରନ୍ଦାଜିର ରିକର୍ଭରେ ସ୍ବର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ଏହା କର୍ଣ୍ଣାଟକକୁ ଶୀର୍ଷରୁ ହଟାଇବାକୁ ଯଥେଷ୍ଟ ହୋଇ ନଥିଲା। ଫାଇନାଲ୍‌ରେ ଅର୍ଜୁନ ନିଜ ରାଜ୍ୟରେ ସୋମନାଥ ହେମ୍ବ୍ରମଙ୍କୁ ପରାସ୍ତ କରିଥିଲେ। ପୁରୁଷ ରିକର୍ଭ ଦଳ କିନ୍ତୁ ଫାଇନାଲ୍‌ରେ ଝାଡ଼ଖଣ୍ଡଠାରୁ ୪-୬ରେ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲା। ଏହି ଦଳରେ ଅର୍ଜୁନ ଖରା, ସୋମନାଥ ହେମ୍ବ୍ରମ, ରମାଇ ମୁର୍ମୁ ସାମିଲ ଥିଲେ।୧୦ ଦିନିଆ ଏହି ପ୍ରତିଯୋଗିତାରେ ୨୫ ରାଜ୍ୟରୁ ପ୍ରାୟ ୩୮୦୦ ଖେଳାଳି ୧୦୬ ସ୍ବର୍ଣ୍ଣ ପଦକ ପାଇଁ ଲଢ଼େଇ କରିଥିଲେ। ୨୦ ରାଜ୍ୟ ଅନ୍ୟୂନ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କର୍ଣ୍ଣାଟକ, ଓଡ଼ିଶା, ଝାଡ଼ଖଣ୍ଡ ପ୍ରଥମ ୩ ସ୍ଥାନରେ ରହିଥିବା ବେଳେ ଆୟୋଜନ ଛତିଶଗଡ଼ ନବମରେ ରହିଥିଲା।

ଆଦିବାସୀ ପ୍ରତିଭା ଆମ ଦେଶର ଗର୍ବ: ଦ୍ରୌପଦୀ ମୁର୍ମୁ
ଆଦିବାସୀଙ୍କ ସହିତ ଦେଶର ଯୁବ ପ୍ରତିଭାଙ୍କ କ୍ରୀଡ଼ା ଦକ୍ଷତାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଶଂସା କରିଛନ୍ତି। ‘ଆଦିବାସୀ କ୍ରୀଡ଼ା ପ୍ରତିଭା: ଆମ ଦେଶର ଗର୍ବ’ ଶୀର୍ଷକ ଏକ ଲେଖାରେ ରାଷ୍ଟ୍ରପତି ଲେଖିଛନ୍ତି ଆଦିବାସୀ ସମ୍ପ୍ରଦାୟ ଦେଶ ପାଇଁ ଅମୂଲ୍ୟ ସାମାଜିକ ସମ୍ପତ୍ତି। ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ାରୁ ଯେଉଁ ଖେଳାଳି ଗୋଷ୍ଠୀ ବାହାରିବେ ଏହା ଭାରତକୁ ବିଶ୍ବରେ ଏକ କ୍ରୀଡ଼ା ସୁପର୍‌ ପାୱାର କରିପାରିବ। ଖେଲୋ ଇଣ୍ଡିଆ ପ୍ରୟାସ ମଧ୍ୟ ଏ ଦିଗରେ ଏକ ବଡ଼ ପଦକ୍ଷେପ ଯାହା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ ପାଇଁ ପ୍ରତିଭା ଚିହ୍ନଟର ମାଧ୍ୟମ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Exit mobile version