ରାଜ୍ୟ

Ash Transportation Dispute ଦର୍ଲିପାଲିରେ ପାଉଁଶ ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ, ଗୁଳିମାଡ଼ରେ ଜଣେ ମୃତ

ସୁନ୍ଦରଗଡ଼ର ଦର୍ଲିପାଲି ବରୋବଗାରେ ଏନ୍‌ଟିପିସି ପାଉଁଶ ପରିବହନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ଗୁଳିମାଡ଼ ଘଟିଛି। ଏଥିରେ ରାଇଜ୍‌ ସଂଗଠନର ସଦସ୍ୟ ସୁନୀଲ ନେଟିଙ୍କ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ସୁନ୍ଦରଗଡ଼ରେ ଭଷ୍ମା ଥାନା ଦର୍ଲିପାଲି ବରୋବଗାରେ ପାଉଁଶ ପରିବହନ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ରାଇଜ୍‌ ସଂଗଠନର ସଦସ୍ୟ ଓ ଦର୍ଲିପାଲି ଗାଁର ସୁନୀଲ ନେଟି ଓରଫ ସିଲୁ ବୋଲି ଜଣାଯାଇଛି। ଏହାପରେ ଦର୍ଲିପାଲିରେ ପ୍ରବଳ ଉତ୍ତେଜନା ସୃଷ୍ଟିହୋଇଛି। ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

 

ଏନ୍‌ଟିପିସି ଦର୍ଲିପାଲିର ବ‌ରୋବଗାସ୍ଥ ପାଉଁଶ ପୋଖରୀରୁ ପାଉଁଶ ପରିବହନ ହେଉଥିଲା। ଏକ ଗୋଷ୍ଠୀ ସମନ୍ବିତ ପାଉଁଶ ପରିବହନ ମାଲିକ ସଂଘ (ୟୁଏଫଟିଓଏ) ନାମରେ ବେଆଇନ ଭାବେ ଏହାକୁ ନିୟନ୍ତ୍ରଣ କରି ଆସୁଥିଲେ। ଏହାପରେ ଦର୍ଲିପାଲି, ବରୋବଗାର ଯୁବକଙ୍କୁ ନେଇ ରାଇଜ୍‌ ନାମକ ଅନ୍ୟ ଏକ ସଂଗଠନ ଗଢ଼ି ଉଠିଥିଲା। ଗୁରୁବାର ବରୋବଗାଠାରେ ସଂଗଠନର ଏକ ବୈଠକ ବସି ପାଉଁଶ ପରିବହନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ। ବୈଠକ ସରିବା ପରେ ନିଜନିଜ ଘରକୁ ଚାଲି ଯାଇଥିବା ବେଳେ ସୁନୀଲଙ୍କ ସହ କିଛି ଯୁବକ ସଭାସ୍ଥଳରେ ଉପସ୍ଥିତ ଥିଲେ। ଏହି ସମୟରେ ସଂଘବଦ୍ଧ ହୋଇ କିଛି ଯୁବକ ସେଠାକୁ ଆସି ସୁନୀଲଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ସୁନୀଲ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ି ଯାଇଥିଲେ। ସାଙ୍ଗରେ ଥିବା ଯୁବକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦର୍ଲିପାଲି ଡାକ୍ତରଖାନାକୁ ଆଣିଥିଲେ। ସେଠାରୁ ପୁଲିସ ଗାଡ଼ିରେ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାକୁ ଆଣିଥିଲେ।

ପାଉଁଶ ପରିବହନ ସମ୍ପର୍କିତ ବିବାଦକୁ ନେଇ ଦର୍ଲିପାଲିରେ ପୂର୍ବରୁ ଅନେକ ଥର ଗଣ୍ଡଗୋଳ, ଗୁଳିଚାଳନା ହୋଇଥିଲା। କିନ୍ତୁ ପାଉଁଶ ପାଇଁ ମୁଣ୍ଡ ଗଡ଼ିବା ପ୍ରଥମ ଘଟଣା ହୋଇଥିବାରୁ ଅଞ୍ଚଳରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button