ଦେଶ ବିଦେଶ

ATR-72 Flights: ସାମୟିକ ବ୍ୟବସ୍ଥା ସ୍ବରୂପ ଉଡ଼ୁ ଏଟିଆର୍‌-୭୨ -ବିମାନବନ୍ଦର ସମ୍ପ୍ରସାରଣ ସରିବାକୁ ବହୁ ସମୟ ବାକି

ରାଉରକେଲା-ଭୁବନେଶ୍ବର ମଧ୍ୟରେ ବର୍ତ୍ତମାନ ଚାଲୁଥିବା ଇଣ୍ଡିଆୱାନ୍‌ ଏୟାର୍‌ର ୯ ସିଟ୍ ବିଶିଷ୍ଟ ବିମାନ ଇସ୍ପାତ ସହରବାସୀଙ୍କ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛି। ଦୈନିକ କେବଳ ୪/୫ ଜଣ ଯାତ୍ରା କରୁଛନ୍ତି।

ରାଉରକେଲା: ରାଉରକେଲା-ଭୁବନେଶ୍ବର ମଧ୍ୟରେ ବର୍ତ୍ତମାନ ଚାଲୁଥିବା ଇଣ୍ଡିଆୱାନ୍‌ ଏୟାର୍‌ର ୯ ସିଟ୍ ବିଶିଷ୍ଟ ବିମାନ ଇସ୍ପାତ ସହରବାସୀଙ୍କ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛି। ଦୈନିକ କେବଳ ୪/୫ ଜଣ ଯାତ୍ରା କରୁଛନ୍ତି। ଅପରପକ୍ଷରେ ଭୁବନେଶ୍ୱର ଓ କୋଲକାତା ରୁଟ୍‌ରେ ନିୟମିତ ବିମାନଯାତ୍ରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି, କିନ୍ତୁ ଏହି ଛୋଟ ବିମାନରେ ଯାତ୍ରା କରିବାକୁ ଅମଙ୍ଗ ହେଉଛନ୍ତି। ବିମାନବନ୍ଦର ସମ୍ପ୍ରସାରଣ ପ୍ରକଳ୍ପ ଏଯାଏ ଆରମ୍ଭ ହୋଇନଥିବାରୁ ନିକଟ ଭବି‌ଷ୍ୟତରେ ସଂପୂର୍ଣ୍ଣ ବିକଶିତ ବିମାନବନ୍ଦର ଆଶା କରାଯାଇନପାରେ। ଏଣୁ ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଉରକେଲା ବିମାନବନ୍ଦରରୁ ଏଟିଆର୍‌-୭୨ ବିମାନସେବା ପୁନଃ ଆରମ୍ଭ କରିବାକୁ ଦାବି ଜୋର୍‌ ଧରିଛି।

ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ପରିଲକ୍ଷିତ ହେଉଛି

ବାସ୍ତବରେ ଏଟିଆର୍‌-୭୨ ବିମାନ ଉଡ଼ାଣ ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ପରିଲକ୍ଷିତ ହେଉଛି। ତିନି ବର୍ଷ ପୂର୍ବେ, ଅର୍ଥାତ୍‌ ୨୦୨୩ ହକି ବିଶ୍ବକପ ସମୟରେ ମଧ୍ୟ ରାଉରକେଲା ବିମାନବନ୍ଦରରେ ସମାନ ସମସ୍ୟା ଲାଗିରହିଥିଲା। ସେତେବେ‌ଳେ ରାଜ୍ୟ ସରକାର ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ଠାରୁ ସ୍ବତନ୍ତ୍ର ଅନୁମତି ଆଣି ରାଉରକେଲା-ଭୁବନେଶ୍ବରକୁ ଏଟିଆର୍‌-୭୨ ବିମାନସେବା ଯୋଗାଇଥିଲେ। ବିଶ୍ବକପ୍‌ ପରେ ମଧ୍ୟ ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ, ଅର୍ଥାତ୍‌ ୨୦୨୫ ଜୁଲାଇ ୧୬ ତାରିଖ ଯାଏ ସେବା ବଳବତ୍ତର ରହିଥିଲା। ତେବେ ବିମାନସେବା ପରିଚାଳନାକାରୀ ସଂସ୍ଥା ଆଲିଆନ୍ସ ଏୟାର୍‌ର ଅବହେଳା ଯୋଗୁ ପରବର୍ତ୍ତୀ ସମୟରେ ଉଡ଼ାଣ ବନ୍ଦ ହୋଇଯାଇଥିଲା। ଗତ ୧୫ ତାରିଖରେ ବାୟୁସେନାର ସାମରିକ ପରିବହନ ବିମାନ ଏୟାରବସ୍ ସି୨୯୫ ରାଉରକେଲା ବିମାନବନ୍ଦରରେ ନିଯ୍‌ ପ୍ରଶ୍ନପତ୍ର ସହ ଅବତରଣ କରିଥିଲା। ଅବଶ୍ୟ ଏହି ବିମାନରେ ମିଶନ୍ ବା କାର୍ଯ୍ୟ ହିସାବରେ ଏହାର ସିଟ୍‌ ଓ ଯାତ୍ରୀ କ୍ଷମତା ଭିନ୍ନ ଭିନ୍ନ ହୋଇଥାଏ। ତେବେ ଏହାକୁ ଏକ ସାଧାରଣ ବାଣିଜ୍ୟିକ ଏୟାରଲାଇନ୍ସର ଇକୋନୋମି କ୍ଲାସ୍ ଶୈଳୀରେ ସଜାଇଲେ, ଏଥିରେ ଏକାଥରକେ ୪୬ ସିଟ୍‌ରୁ ଅଧିକ ଯାତ୍ରୀ ଯାତ୍ରା କରିପାରିବେ। ଏହି ଧରଣର ବିମାନ ଏଠାରେ ସଫଳ ଅବତରଣ କରୁଥିବାବେଳେ ପୂର୍ବରୁ ଚାଲୁଥିବା ଏଟିଆର୍‌-୭୨ ବିମାନର ପୁନଃ ଉଡ଼ାଣ ପାଇଁ ଦାବି ବଳିଷ୍ଠ ହେବା ସ୍ବାଭାବିକ। ୪ସି ଲାଇସେନ୍ସ ପ୍ରଦାନ ସହ ରାଉରକେଲାକୁ ବଡ଼ ବିମାନବନ୍ଦରରେ ରୂପାନ୍ତରିତ କରିବା ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି, କିନ୍ତୁ ଏହା ବେଗ ଧରିିପାରିନି। ଏପର୍ଯ୍ୟନ୍ତ ବିମାନବନ୍ଦରର ମାଲିକାନାସତ୍ତ୍ବ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରୁ ଏଏଆଇକୁ ସ୍ଥାନାନ୍ତରିତ ହୋଇପାରିନି। ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ବୋର୍ଡ ବୈଠକରେ ଏଯାଏ ଏନେଇ ସବୁଜସଙ୍କେତ ମିଳିପାରିନଥିବାରୁ ସଂପ୍ରସାରଣ ପ୍ରକଳ୍ପ ଶେଷ ହେବାକୁ ଆହୁରି ୩/୪ ବର୍ଷରୁ ଅଧିକ ସମୟ ଲାଗିବା ନେଇ ଆକଳନ କରାଯାଉଛି। ଏଣୁ ଏହି ସମୟରେ ଯାତ୍ରୀମାନଙ୍କ ଅସୁବିଧାକୁ ଦୂର କରିବା ଉଦ୍ଦେଶ୍ୟରେ ସାମୟିକ ବ୍ୟବସ୍ଥା ସ୍ବରୂପ ଏଟିଆର୍‌-୭୨ ଚଳାଚଳ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button