କଲ୍ୟାଣସିଂହପୁର:ରାୟଗଡ଼ାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ହିରସୁଳି ଗ୍ରାମରେ ବୁଧବାର ରାତିରେ ଜଣେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ ଯୋଗୁଁ ସମଗ୍ର ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଗ୍ରାମର ଜଣେ ବ୍ୟକ୍ତି ଟାଙ୍ଗିଆ ଆକ୍ରମଣରେ ଗୁରୁତର ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ହିରସୁଳି ଗ୍ରାମର ଜଇସିଂ ମାଞ୍ଜିକା (୪୨) ଯିଏ କି ମାନସିକ ଅସୁସ୍ଥତାରେ ପୀଡ଼ିତ ବୋଲି ସ୍ଥାନୀୟ ଲୋକେ କହିଛନ୍ତି | ୨୨ ତାରିଖ ରାତି ପ୍ରାୟ ୯ଟା ସମୟରେ ଟାଙ୍ଗିଆ ଧରି ଗାଁର ବିଭିନ୍ନ ଘରକୁ ଯାଇ କବାଟ,କାନ୍ଥ, ଛପର ଓ ସିଟ୍କୁ ହାଣି କ୍ଷତିଗ୍ରସ୍ତ କରିଥିଲେ। ଏହାପରେ ସେ ଗ୍ରାମର ରଘୁନାଥ କାଡ୍ରାକା (୪୬)ଙ୍କ ଘରକୁ ପଶି ଟାଙ୍ଗିଆରେ ଆକ୍ରମଣ କରିଥିବା ଜଣା ପଡ଼ିଛି। ଆକ୍ରମଣରେ ରଘୁନାଥ କାଡ୍ରାକା ଗୁରୁତର ଆହତ ହୋଇଥିବା ବେଳେ ଚରଣ କାଡ୍ରାକା ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ଗ୍ରାମରେ ଭୟ ଓ ଆତଙ୍କର ପରିବେଶ
ଘଟଣା ପରେ ଗ୍ରାମବାସୀ କଲ୍ୟାଣସିଂହପୁର ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ଅଜିତ ପରିଡାଙ୍କ ନିର୍ଦ୍ଦେଶରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଜଇସିଂ ମାଞ୍ଜିକାଙ୍କୁ କାବୁକରିବାରେ ଅସଫଳ ହୋଇ ଫେରିଛନ୍ତି । ଅନ୍ୟପକ୍ଷରେ ଗୁରୁତର ଆହତ ରଘୁନାଥ କାଡ୍ରାକାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଗ୍ରାମରେ ଭୟ ଓ ଆତଙ୍କର ପରିବେଶ ଦେଖାଦେଇଥିବା ବେଳେ ପୁଲିସ ମାମଲାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ