ଜାତୀୟ

Balen Shah Government: ବାଲେନ ସରକାର ବିରୋଧରେ ଜଳୁଛି ନେପାଳ, ୧୦୦ ଟଙ୍କିଆ କଷ୍ଟମ୍ସ ଡ୍ୟୁଟି ଓ ଛାତ୍ର ସଂଘ ବ୍ୟାନକୁ ନେଇ ଅଶାନ୍ତ ସିଂହ ଦରବାର

କାଠମାଣ୍ଡୁ: ନେପାଳରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଆସିବାର ମାସେ ନପୂରୁଣୁ ବାଲେନ୍ଦ୍ର ଶାହା (ବାଲେନ)ଙ୍କ ସରକାର ବିରୋଧରେ ସାରା ଦେଶରେ ଗଣ-ଅସନ୍ତୋଷ ବିସ୍ଫୋରକ ରୂପ ନେଇଛି। ଭାରତରୁ ଅଣାଯାଉଥିବା ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଉପରେ କଠୋର କଷ୍ଟମ୍ସ ଡ୍ୟୁଟି ଲାଗୁ ଏବଂ ଶିକ୍ଷାନୁଷ୍ଠାନରୁ ରାଜନୈତିକ ଛାତ୍ର ସଂଗଠନକୁ ହଟାଇବା ନିଷ୍ପତ୍ତିକୁ ନେଇ ହଜାର ହଜାର ଛାତ୍ର ଓ ଜନତା ପ୍ରଶାସନିକ କେନ୍ଦ୍ର ‘ସିଂହ ଦରବାର’ ଘେରିଛନ୍ତି। ଏହା ସହିତ ଗୃହମନ୍ତ୍ରୀ ସୁଦାନ ଗୁରୁଙ୍ଗଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଏହି ବିକ୍ଷୋଭକୁ ଆହୁରି ତୀବ୍ର କରିଥିବା ବେଳେ ବାଲେନ ସରକାର ଏବେ ପ୍ରବଳ ରାଜନୈତିକ ଚାପର ସମ୍ମୁଖୀନ ହୋଇଛନ୍ତି।

ସୀମାନ୍ତ ଅଞ୍ଚଳରେ ରହୁଥିବା ସାଧାରଣ ଜନତାଙ୍କ ଅଭିଯୋଗ ଅନୁଯାୟୀ, ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସେମାନେ ଭାରତୀୟ ବଜାର ଉପରେ ନିର୍ଭର କରୁଥିବା ବେଳେ ନୂଆ ଟିକସ ନୀତି ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଅନ୍ୟପକ୍ଷରେ, ଶିକ୍ଷାନୁଷ୍ଠାନଗୁଡ଼ିକୁ ରାଜନୀତି ମୁକ୍ତ କରିବା ନାମରେ ସରକାର ଛାତ୍ର ସଂଘଗୁଡ଼ିକୁ ବ୍ୟାନ୍ କରିବା ନିଷ୍ପତ୍ତିକୁ ଯୁବପିଢ଼ି “ଦମନମୂଳକ” ନୀତି ବୋଲି କହିଛନ୍ତି। ସାରା ଦେଶରେ ସ୍କୁଲ ଓ କଲେଜ ପିଲାମାନେ ୟୁନିଫର୍ମ ପିନ୍ଧି ରାସ୍ତାକୁ ଓହ୍ଲାଇଥିବା ବେଳେ ଗୃହମନ୍ତ୍ରୀଙ୍କ ବିବାଦୀୟ ଆର୍ଥିକ କାରବାର ଓ ଦୁର୍ନୀତି ରିପୋର୍ଟ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି। ଗୃହମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରି ବିରୋଧୀ ଦଳ ଏବଂ ନାଗରିକ ସମାଜ ମୁହାଁମୁହିଁ ହୋଇଥିବା ବେଳେ ବାଲେନ ଶାହାଙ୍କ ନୂଆ ସରକାର ନିଜର କଠୋର ସଂସ୍କାର ନୀତି ଏବଂ ବୃଦ୍ଧି ପାଉଥିବା ଜନ ଆକ୍ରୋଶ ମଧ୍ୟରେ ଏକ ବଡ଼ ସଙ୍କଟରେ ଛନ୍ଦି ହୋଇପଡ଼ିଛି।

ସୌଜନ୍ୟ ସମ୍ବାଦ

Show More
Back to top button