Balendra Shah: ନେପାଳରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବାଲେନ୍ଦ୍ର ଶାହ

ପ୍ରଧାନମନ୍ତ୍ରୀ ଭାବେ ମାତ୍ର ୩୫ ବର୍ଷ ବୟସରେ ଶପଥ ନେଇଛନ୍ତି ବାଲେନ୍ଦ୍ର ଶାହ। କାଠମାଣ୍ଡୁର ପୂର୍ବତନ ମେୟର ତଥା ରାପର ବାଲେନ୍‌ ଶାହ ସେପ୍ଟେମ୍ବରରେ ‌‘ଜେନ୍‌ ଜି’ ଆନ୍ଦୋଳନ ପରେ ଦେଶର ସବୁଠୁ ଚର୍ଚ୍ଚିତ ଚେହେରା ପାଲଟିଥିଲେ।

କାଠମାଣ୍ଡୁ: ନେପାଳର ସର୍ବକନିଷ୍ଠ ତଥା ୪୦ ତମ ପ୍ରଧାନମନ୍ତ୍ରୀ ଭାବେ ମାତ୍ର ୩୫ ବର୍ଷ ବୟସରେ ଶପଥ ନେଇଛନ୍ତି ବାଲେନ୍ଦ୍ର ଶାହ। କାଠମାଣ୍ଡୁର ପୂର୍ବତନ ମେୟର ତଥା ରାପର ବାଲେନ୍‌ ଶାହ ସେପ୍ଟେମ୍ବରରେ ‌‘ଜେନ୍‌ ଜି’ ଆନ୍ଦୋଳନ ପରେ ଦେଶର ସବୁଠୁ ଚର୍ଚ୍ଚିତ ଚେହେରା ପାଲଟିଥିଲେ। ଚଳିତ ମାସ ଅନୁଷ୍ଠିତ ନିର୍ବାଚନରେ ତାଙ୍କ ଦଳ ପ୍ରଚଣ୍ଡ ବିଜୟ ହାସଲ କରିଥିଲା। ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ବାଲେନ ଶାହଙ୍କ ନେତୃତ୍ବାଧୀନ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ସଂସଦର ନିମ୍ନ ସଦନ ହାଉସ୍‌ ଅଫ୍‌ ରି‌ପ୍ରେଜେଣ୍ଟେଟିଭରେ ୨୭୫ ଆସନରୁ ୧୮୨ଟି ଜିତି ପାଖାପାଖି ଦୁଇ ତୃତୀୟାଂଶ ଆସନ ହାସଲ କରିଥିଲେ। ଶୁକ୍ରବାର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ବାଲେନ୍‌ ଶାହଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ।

ଶପଥ ଗ୍ରହଣ ଉତ୍ସବ ହିନ୍ଦୁ ରୀତିନୀତି ଅନୁସାରେ ଶଙ୍ଖନାଦ ସହିତ ଆରମ୍ଭ ହୋଇଥିଲା। ପବିତ୍ର ରାମ ନବମୀ ଅବସରରେ ହିନ୍ଦୁ ବ୍ରାହ୍ମଣ ଓ ବୌଦ୍ଧ ଲାମାଙ୍କ ମନ୍ତ୍ର ଧ୍ବନି ମଧ୍ୟରେ ବାଲେନ ଶାହ ଶପଥ ନେଇଥିଲେ। ମଧ୍ୟାହ୍ନ ୧୨ଟା ୩୪ ମିନିଟ ଶୁଭ ମୁହୂର୍ତ୍ତ ରହିଥିଲା। ୧-୨-୩-୪ ସଂଖ୍ୟା କ୍ରମାନ୍ବୟ ସହିତ ଏହି ସମୟ ନିର୍ଦ୍ଧାରଣ କରାଯାଇଥିଲା। ବାଲେନ ଶାହ ତାଙ୍କ ନୂଆ କାର୍ଯ୍ୟାଳୟକୁ ଅପରାହଣ ୨ଟା ୧୫ ମିନିଟରେ ପ୍ରବେଶ କରିବେ। ଏହାକୁ ମଧ୍ୟ ସଂଖ୍ୟା ଗଣିତ ଅନୁସାରେ ନିର୍ଦ୍ଧାରଣ କରାଯାଇଛି।

୩୫ ବର୍ଷୀୟ ରାପର୍‌ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

ବାଲେନ ଶାହ ନେପାଳ ରାଜଧାନୀ କାଠମାଣ୍ଡୁରେ ୧୯୯୦ ମସିହା ଏପ୍ରିଲ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ତାଙ୍କ ପରିବାର ହିନ୍ଦୁ ବହୁଳ ତେରାଇ ଅଞ୍ଚଳରୁ ଆସିଥିଲା। ତେରାଇ ଅଞ୍ଚଳ ଭାରତ ସୀମାକୁ ଲାଗି ରହିଛି। ବାଲେନ ଶାହ ଜଣେ ଷ୍ଟ୍ରକଚରାଲ ଇଞ୍ଜିନିୟର, କିନ୍ତୁ ରାପ୍‌ କଳାକାର ଭାବେ ସେ ଲୋକପ୍ରିୟତା ଅର୍ଜ୍ଜନ କରିଥିଲେ ଓ ପରେ କାଠମାଣ୍ଡୁର ମେୟର ହୋଇଥିଲେ। ବାଲେନ ଶାହ ନିଜ ସଙ୍ଗୀତ ମାଧ୍ୟମରେ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ନିକଟରେ ପହଞ୍ଚାଉଥିଲେ।

 

 

ସୌଜନ୍ୟ ସମ୍ବାଦ

Exit mobile version