ଢାକା: ବାଂଲାଦେଶରେ ପୁନର୍ବାର ଭୀଷଣ ହିଂସାତ୍ମକ ବିକ୍ଷୋଭ ଚିନ୍ତାର କାରଣ ପାଲଟିଛି। ୨୦୨୪ ଜୁଲାଇ ବିଦ୍ରୋହର ଜଣେ ପ୍ରମୁଖ ନେତା ଭାରତ-ବିରୋଧୀ ସରିଫ ଓସ୍ମାନ ହାଦିଙ୍କ ହତ୍ୟାକୁ ନେଇ ଶୁକ୍ରବାର ଢାକା ଓ ଅନ୍ୟାନ୍ୟ ସହରରେ ହଜାର ହଜାର ଲୋକ ହିଂସାତ୍ମକ ବିକ୍ଷୋଭ କରିଛନ୍ତି। ୩୨ ବର୍ଷୀୟ ହାଦି ଗତ ଡିସେମ୍ବର ୧୨ ତାରିଖରେ ନିର୍ବାଚନ ପ୍ରଚାର ବେଳେ ଅଜଣା ଆତତାୟୀଙ୍କ ଦ୍ୱାରା ଗୁଳିମାଡ଼ର ଶିକାର ହୋଇଥିଲେ। ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ଗତରାତିରେ ତାଙ୍କର ମୃତ୍ୟୁ ଘଟିଛିି। ଏହାକୁ ନେଇ ପୁଣି ଥରେ ଦେଶରେ ହିଂସା ସୃଷ୍ଟି ହୋଇଛି। ବିକ୍ଷୋଭକାରୀ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି। ଆନ୍ଦୋଳନକାରୀମାନେ ଭାରତ-ବିରୋଧୀ ସ୍ଲୋଗାନ ଦେବାସହ ଭାରତୀୟ ଦୂତାବାସକୁ ଟାର୍ଗେଟ୍ କରିଥଲେ।
ଭାରତୀୟ ଦୂତାବାସକୁ ଟାର୍ଗେଟ୍, ପୋଡ଼ିଦେଲେ ୨ ଗଣମାଧ୍ୟମ କାର୍ଯ୍ୟାଳୟ
ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା, ଶବକୁ ଗଛରେ ଟାଙ୍ଗି ଜଳାଇଲେ
ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଶବକୁ ଏକ ଗଛରେ ଝୁଲାଇ ଜାଳି ଦେଇଛନ୍ତି। ଇସଲାମକୁ ଅପମାନ ଦେଇଥିବା ଅଭିଯୋଗରେ ମୟମନସିଂହ ଜିଲ୍ଲାର ଭାଲୁକା ଉପଜିଲ୍ଲାରେ ଆଜି ଏହି ବର୍ବର ଘଟଣା ଘଟିଛି। ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାସ (୩୦)ଙ୍କୁ ମୁସଲିମ ଚରମପନ୍ଥୀଙ୍କ ଏଭଳି ହତ୍ୟା ସଂଖ୍ୟାଲଘୁଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ଦୀପୁ ଏକ କପଡ଼ା ଫ୍ୟାକ୍ଟ୍ରିର କର୍ମଚାରୀ ଥିଲେ। ସେହିଭଳି ଢାକାର କରୱାନ ବଜାର ଅଞ୍ଚଳରେ ଥିବା ଦୁଇ ପ୍ରମୁଖ ଦୈନିକ ପତ୍ରିକା ‘ପ୍ରଥମ ଆଲୋ’ ଓ ‘ଡେଲି ଷ୍ଟାର୍’ କାର୍ଯ୍ୟାଳୟରେ ଉତ୍ତେଜିତ ଜନତା ବ୍ୟାପକ ଭଙ୍ଗାରୁଜା କରିବା ପରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ଏମାନେ ଭାରତ ସମର୍ଥକ ବୋଲି ଅଭିଯୋଗ କରାଯାଇଥିଲା। ଭିଡିଓ ଫୁଟେଜ୍ରେ ଦେଖାଯାଇଛି ଯେ ବିକ୍ଷୋଭକାରୀମାନେ ଆସବାବପତ୍ର ଭାଙ୍ଗୁଛନ୍ତି ଓ କାର୍ଯ୍ୟାଳୟରେ ନିଆଁ ଲଗାଉଛନ୍ତି। କାର୍ଯ୍ୟାଳୟ ଭିତରେ ଥିବା ସାମ୍ବାଦିକମାନେ ଧୂଆଁରେ ଫସି ରହିଥିବାବେଳେ ଅଗ୍ନିଶମ ବାହିନୀ ପ୍ରାୟ ୩୦ ଜଣ ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲେ।
ବିକ୍ଷୋଭକାରୀମାନେ ପୂର୍ବତନ ଶାସକ ଦଳ ଆୱାମୀ ଲିଗ୍ ସହ ଜଡ଼ିତ ସ୍ଥାନଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ବାଂଲାଦେଶର ଜନକ ଶେଖ୍ ମୁଜିବୁର ରହମାନଙ୍କ ଧାନମଣ୍ଡି ବାସଭବନ (ଯାହା ଏକ ସଂଗ୍ରହାଳୟ)କୁ ପୁନର୍ବାର ଭାଙ୍ଗିଦିଆଯାଇଛି। ରାଜଶାହୀରେ ଆୱାମୀ ଲିଗ୍ର ଏକ କାର୍ଯ୍ୟାଳୟକୁ ବୁଲଡୋଜର ଦ୍ବାରା ଧ୍ବଂସ କରି ଦିଆଯାଇଥିବାବେଳେ ଅନେକ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି। ଏହାସହିତ ଭାରତ ସହ ଜଡ଼ିତ ସ୍ଥାନଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଚଟ୍ଟଗ୍ରାମରେ ଭାରତୀୟ ସହାୟକ ହାଇକମିସନରଙ୍କ ବାସଭବନ ଉପରେ ପ୍ରବଳ ପଥର ମାଡ଼ ହୋଇଛି। କ୍ଷୟକ୍ଷତି କମ୍ ଥିଲେ ମଧ୍ୟ ଏହା ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା ବଢ଼ାଇଛି। ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ଯୁନୁସ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇ ହାଦିଙ୍କ ମୃତ୍ୟୁକୁ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କୁ ସହିଦ ବୋଲି କହିଛନ୍ତି। ସେ ଶାନ୍ତି ରକ୍ଷା କରିବାକୁ ନିବେଦନ କରି ଡିସେମ୍ବର ୨୦କୁ ରାଷ୍ଟ୍ରୀୟ ଶୋକ ଦିବସ ଘୋଷଣା କରିଛନ୍ତି। ବାଂଲାଦେଶ ପୁଣି ହିଂସା କବଳିତ ହୋଇଥିବାରୁ ଭାରତ ଏହା ଉପରେ ସତର୍କ ନଜର ରଖିଛି ଏବଂ କୂଟନୈତିକ ସ୍ତରରେ ପ୍ରତିକ୍ରିୟା ଜଣାଇଛି।
ସୌଜନ୍ୟ ସମ୍ବାଦ

